ବାଲୁଗାଁ: ଆଧୁନିକ ଯୁଗରେ ସୋସିଆଲ ମିଡିଆର ଚାହିଦା ବଢୁଥିବା ବେଳେ ରିଲ୍ସ ନିଶାରେ ଯୁବପିଢ଼ି ପଡିଥିବା ଦେଖିବାକୁ ମିଳୁଛି। ନିଜ ନିଜର ଫଲୋର୍ସ ବଢାଇବା ନେଇ ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାରର ରେକର୍ଡିଂ ହେଉ ଅବା ଫଟୋ ଇନଷ୍ଟାଗ୍ରାମରେ ପୋଷ୍ଟ କରି ସାଙ୍ଗସାଥି, ବନ୍ଧୁପରିଜନଙ୍କ ପ୍ରିୟପାତ୍ର ହେବାକୁ ପ୍ରୟାସ ଜାରି ରଖିଛନ୍ତି। ହେଲେ କିଛି ବ୍ୟକ୍ତି ବିଶେଷ ମହତ ଉଦ୍ଦେଶ୍ୟ ନେଇ ଦେଶ, ବିଦେଶ ଅବା ସ୍ଥାନୀୟ କିଛି ତଥ୍ୟ ଭିତ୍ତିକ ଖବର ଇନଷ୍ଟାଗ୍ରାମରେ ପୋଷ୍ଟ କରି ନିଜର ଫଲୋର୍ସ ବଢାଉଇବାକୁ ଚେଷ୍ଟା କରୁଛନ୍ତି। ତେବେ ଫଲୋର୍ସ ବଢାଇବା ନିଶାରେ ଅନେକ ସମୟରେ କିଛି ଵିଭ୍ରାନ୍ତିକର ପୋଷ୍ଟ ଯୋଗୁଁ ଟ୍ରୋଲ ମଧ୍ୟ ହୋଇଥାନ୍ତି। ଏପରି ଏକ ଘଟଣା ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅଞ୍ଚଳରେ ଦେଖିବାକୁ ମିଳିଛି।
୨୦୨୨ ମସିହାରୁ ବାଲୁଗାଁ ମହାବିଦ୍ୟାଳୟ ନାମକ ଏକ ଇନଷ୍ଟାଗ୍ରାମ ଆଇଡିକୁ ସେହି କଲେଜର ଜଣେ ଛାତ୍ର ପରିଚାଳନା କରି ଆସୁଥିବା ବେଳେ କଲେଜ ସମ୍ବନ୍ଧୀୟ ବିଭିନ୍ନ ଜରୁରୀ ଖବର ମାନ ପୋଷ୍ଟ କରିଆସୁଥିଲେ। ଏପରିକି ଉକ୍ତ ଆଇଡିରେ ୬୦୦ରୁ ଉର୍ଦ୍ଧ୍ବ ଫଲୋର୍ସ ମଧ୍ୟ ଯୋଡି ହୋଇ ରହିବାସହ ଅନେକ ସମୟରେ ପରୀକ୍ଷା ସୂଚୀ, କଲେଜ ବିଂଜ୍ଞପ୍ତି ଅବା କଲେଜ ସମ୍ବନ୍ଧରେ ତଥ୍ୟ ପାଇପାରୁଥିଲେ। ମାତ୍ର କିଛି ଦିନ ତଳେ ଉକ୍ତ ଆଇଡି ଟି ହ୍ୟାକ ହେଇଥାଉ ଅବା କେହି ଜାଣିଶୁଣି ଵିଭ୍ରାନ୍ତିକର ଅଶ୍ଳୀଳ ଫଟୋ ପୋଷ୍ଟ କରିଥିଲେ। ଏପରିକି ଉକ୍ତ ଆଇଡିରେ ଏହାକୁ ନେଇ ମେସେଜ ମାଧ୍ୟମରେ ବାକ ବିତର୍କ ହୋଇଥିଲା। ଯାହାଫଳରେ ଉକ୍ତ ଆଇଡିରେ ଖରାପ ପୋଷ୍ଟ କରିଥିବା ସମ୍ପୃକ୍ତ ବ୍ୟକ୍ତିଙ୍କ ପରିଚୟ ଅସ୍ପଷ୍ଟ ହେବାରେ ଆଇଡି ପରିଚାଳନା କରୁଥିବା ଛାତ୍ର ଏହି ଆଇଡିକୁ ସ୍ଥଗିତ ରଖିବା ସହ ବାଲୁଗାଁ ଥାନାରେ ଅଭିଯୋଗ କରିଛନ୍ତି।
ଉକ୍ତ ଘଟଣା ନେଇ ତଦନ୍ତ ଜାରି ରହିଥିବା ବାଲୁଗାଁ ଥାନା ପକ୍ଷରୁ କୁହାଯାଇଛି।