ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ଫାସୀ ଗ୍ରାମରେ ଏକ ଅପମୃତ୍ୟୁ ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। କାରଣ ଗତବର୍ଷ ଏହି ସମୟରେ ବୁଗୁଡ଼ା ଅଞ୍ଚଳର ଯୋଶଦା ପାଣିଗ୍ରାହୀ ନାମ୍ନୀ ଜଣେ ମହିଳା ଏହି ଫାସୀ ଗ୍ରାମର ଜିତେନ୍ଦ୍ର ପାଣିଗ୍ରାହୀ ନାମକ ଜଣେ ଯୁବକକୁ ବିବାହ କରିଥିଲେ। ଏହି ଏକ ବର୍ଷ ମଧ୍ୟରେ ଉଭୟଙ୍କ ବୈବାହିକ ଜୀବନ ସୁରୁଖୁରୁରେ ଚାଲିଥିବାବେଳେ ସ୍ବାମୀ ଜିତେନ୍ଦ୍ର କାମ ଅନ୍ବେଷଣରେ ଆଜି ସୁରଟ୍ ରେ ପହଞ୍ଚିଛନ୍ତି। ଏଭଳି ପରିସ୍ଥିତିରେ ଘରର ଦୈନନ୍ଦିନ କାର୍ଯ୍ୟ ଓ ରନ୍ଧାବଢ଼ା କାମ ସାରି ଅନ୍ୟ ଏକ କୋଠରୀରେ ଘର ଚଟାଣରେ ଗାମୁଛା ବାନ୍ଧି ଯୋଶଦା ଝୁଲିପଡିଛନ୍ତି।
ଏହି ଦୃଶ୍ୟ ଦେଖି ଶାଶୁ ଅନ୍ୟ ପଡୋଶୀଙ୍କ ସହଯୋଗରେ ତାକୁ ତଳକୁ ଓହ୍ଲାଇ ଚିକିତ୍ସା ପାଇଁ କୋଦଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୋଲିସ ଡାକ୍ତରଖାନାରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।


