ଭୁବନେଶ୍ବର: ବିଭିନ୍ନ ସ୍ଥାନରେ ପୁଲିସର ଚଢଉ ଓ କସରତ ପରେ କଟକ ରେଳ ଷ୍ଟେସନ ପରିସରରୁ ଅପହୃତ ହୋଇଥିବା ୭ ବର୍ଷର ନାବାଳିକା ଶେଷରେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛି। ଚାଉଳିଆଗଞ୍ଜ ଥାନା ଅନ୍ତର୍ଗତ ଓଏମ୍ପି ଛକ ରେଳଷ୍ଟେସନ ନିକଟରୁ ଗତ ଶନିବାର ନିଖୋଜ ହୋଇଯାଇଥିବା ଏହି ଶିଶୁକନ୍ୟାଙ୍କୁ ଠାବ କରିବାରେ କମିଶନରେଟ୍ ପୋଲିସ ସଫଳତା ହାସଲ କରିଛି। ଏହି ସମ୍ବେଦନଶୀଳ ଅପହରଣ ମାମଲାରେ ପୋଲିସ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚୁରା ଜାରି ରଖିଛି। ଉଦ୍ଧାର ନାବାଳିକାଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପୂର୍ଣ୍ଣ ସୁସ୍ଥ ଥିବା ଶିଶୁ ମଙ୍ଗଳ କମିଟି (ସିଡବ୍ଲୁସି) ଅଧ୍ୟକ୍ଷ ମାନସ ରଞ୍ଜନ ବିଶ୍ୱାଳ ସୂଚନା ଦେଇଛନ୍ତି। ପୋଲିସ ସିଡବ୍ଲୁସିକୁ ହସ୍ତାନ୍ତର କରିବା ପରେ ଆବଶ୍ୟକ ସ୍ୱାସ୍ଥ୍ୟ ପରୀକ୍ଷା କରାଇ ଶିଶୁଟିକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ।
ପୋଲିସ ସୂଚନା ଅନୁଯାୟୀ, ଅନୁଗୋଳ ଜିଲ୍ଲାର ସୀମା ଗଡ଼ନାୟକ ଓ ତାଙ୍କ ସ୍ୱାମୀ ତାଙ୍କ ୭ ବର୍ଷର ନାତୁଣୀକୁ ଧରି କେନ୍ଦ୍ରାପଡ଼ାରୁ କଟକ ଆସିଥିଲେ। କଟକ ରେଳ ଷ୍ଟେସନରୁ ଟ୍ରେନ୍ ଯୋଗେ ସେମାନେ ଅନୁଗୋଳ-ପାଲଲହଡ଼ା ଯାଇଥାନ୍ତେ। ଷ୍ଟେସନ ପଛପଟ ଗେଟ୍ ନିକଟରେ ନାତୁଣୀକୁ ଭୋକ ଲାଗିବାରୁ ଆଜେଇ-ଆଜା ତାଙ୍କୁ ସେଠାରେ ବସାଇ ଖାଦ୍ୟ ଆଣିବାକୁ ଯାଇଥିଲେ। ମାତ୍ର କିଛି ସମୟ ପରେ ଫେରି ଦେଖିଲା ବେଳକୁ ନାତୁଣୀ ସେଠାରେ ନଥିଲେ। ଆଖପାଖ ଅଞ୍ଚଳରେ ବହୁ ଖୋଜାଖୋଜି କରିବା ପରେ ବି ଶିଶୁଟିର କୌଣସି ସନ୍ଧାନ ନମିଳିବାରୁ ପରିବାର ଲୋକେ ତୁରନ୍ତ ଚାଉଳିଆଗଞ୍ଜ ଥାନାରେ ଅଭିଯୋଗ କରିଥିଲେ।
ଚାଉଳିଆଗଞ୍ଜ ଥାନାରେ ଏତଲା ହେବା ପରେ କଟକ ଡିସିପି ଋଷିକେଶ ଖିଲାରୀ ଘଟଣାକୁ ଅତ୍ୟନ୍ତ ଗୁରୁତ୍ୱର ସହ ନେଇ ସମଗ୍ର କଟକ ଅର୍ବାନ୍ ପୋଲିସ ଜିଲ୍ଲାକୁ ସକ୍ରିୟ କରିଥିଲେ। ନାବାଳିକାଙ୍କୁ ସୁରକ୍ଷିତ ଠାବ କରିବା ପାଇଁ କମିଶନରେଟ୍ ପୋଲିସ, ଜିଆର୍ପି (GRP) ଏବଂ ଆର୍ପିଏଫ୍ (RPF) ମିଳିତ ଭାବେ ୮ ରୁ ୧୦ଟି ସ୍ୱତନ୍ତ୍ର ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ। ତଦନ୍ତ ସମୟରେ ଘଟଣାସ୍ଥଳର ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଥିଲା, ଯେଉଁଥିରେ ଜଣେ ବୟସ୍କ ବ୍ୟକ୍ତିଙ୍କ ପଛେ ପଛେ ନାବାଳିକା ଜଣକ ଯାଉଥିବା ଏବଂ ବ୍ୟକ୍ତି ଜଣକ ଗୋଟିଏ ଦୋକାନ ପାଖରେ ଅଟକି କିଛି କିଣୁଥିବାର ଦୃଶ୍ୟ କଏଦ ହୋଇଥିଲା। ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ପାଇଁ ପୋଲିସ ସିସିଟିଭିରୁ ତାଙ୍କ ଫଟୋ ଜାରି କରିବା ସହ ସୂଚନାଦାତାଙ୍କ ପାଇଁ ୨୫ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା। ଏହାସହ ସୋସିଆଲ ମିଡିଆ ଓ ୧୧୨ ଜରୁରୀକାଳୀନ ନମ୍ବର ମାଧ୍ୟମରେ ସାଧାରଣ ଜନତାଙ୍କ ସହଯୋଗ ଲୋଡ଼ାଯାଇଥିଲା।
ତଦନ୍ତ ପ୍ରକ୍ରିୟାରେ ପୋଲିସ ପ୍ରାୟ ୧୧୨ ଜଣ ଟୋପି ପିନ୍ଧା ବ୍ୟକ୍ତିଙ୍କୁ ଯାଞ୍ଚ କରିବା ସହ ଷ୍ଟେସନ୍ ପରିସର, ରେଳ ଟ୍ରାକ୍ ଓ ଆଖପାଖ ଅଞ୍ଚଳର ବୈଷୟିକ ତଥ୍ୟକୁ ଅନୁଧ୍ୟାନ କରି ଶେଷରେ ନାବାଳିକାଙ୍କୁ ଉଦ୍ଧାର କରିବା ସହ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଅଟକ ରଖିଛି। କେଉଁ ପରିସ୍ଥିତିରେ ଏବଂ କି ଉଦ୍ଦେଶ୍ୟରେ ନାବାଳିକାଙ୍କୁ ଅପହରଣ କରାଯାଇଥିଲା, ସେ ନେଇ ପୋଲିସ ଅଧିକ ତଦନ୍ତ ଚଳାଇଛି।


