ରାୟଗଡ଼ା: ବାଲିଯାତ୍ରାରେ ବୁଲୁଥିବା ବେଳେ ଘଟିଲା ଭୟଙ୍କର ରକ୍ତପାତ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରଥମେ ବଚସା ଓ ପରେ ଠେଲାପେଲା ହୋଇଥିଲା। ଏହା ପରେ ଉତ୍ତେଜନା ବଢ଼ିବାରୁ ଛୁରାମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଏଥିରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଏଭଳି ଚାଞ୍ଚଲ୍ୟକର ଘଟଣା ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ଶିକରପାଇ ଗ୍ରାମରେ ଘଟିଛି।
ମୃତ ଯୁବକ ହେଉଛନ୍ତି ବୁଡ଼ାଗୁଡ଼ା ଗ୍ରାମର ମହେଶ କାଡ୍ରାକା। ଏହି ଘଟଣାରେ ରୋହନ କାଡ୍ରାକା ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଘଟଣାକୁ ନେଇ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିବା ବେଳେ ଦୋଷୀଙ୍କ ଗିରଫ ଦାବିରେ ଗ୍ରାମବାସୀ ଧାରଣା ଦେଇଛନ୍ତି।
ସୂଚନା ଅନୁଯାୟୀ, ଶିକରପାଇ ଗ୍ରାମରେ ଆୟୋଜିତ ବାଲିଯାତ୍ରା ଦେଖିବାକୁ ସନ୍ଧ୍ୟା ସମୟରେ ମହେଶ ଓ ରୋହନ ଯାଇଥିଲେ। ସେଠାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରଥମେ କଥା କଟାକଟି ହୋଇଥିଲା। ପରେ ଏହା ଠେଲାପେଲାର ରୂପ ନେଇଥିଲା।
ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବା ପରେ ଅନ୍ୟ ଗୋଷ୍ଠୀର କିଛି ଯୁବକ ମହେଶ ଓ ରୋହନଙ୍କୁ ଛୁରାମାଡ଼ କରିଥିବା ଅଭିଯୋଗ ହୋଇଛି। ଏଥିରେ ଉଭୟ ରକ୍ତାକ୍ତ ହୋଇପଡ଼ିଥିଲେ। ମହେଶ ଘଟଣାସ୍ଥଳରେ ଟଳିପଡ଼ିଥିବା ବେଳେ ରୋହନ ଗୁରୁତର ଆହତ ହୋଇଥିଲେ।
ଘଟଣା ପରେ ଉଭୟଙ୍କୁ ରକ୍ତାକ୍ତ ଅବସ୍ଥାରେ ଡାକ୍ତରଖାନା ନିଆଯାଇଥିଲା। ହେଲେ ମହେଶଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଅନ୍ୟପଟେ ଗୁରୁତର ଆହତ ରୋହନଙ୍କ ଚିକିତ୍ସା ଚାଲିଛି। ଏହି ଘଟଣା ପରେ ଶିକରପାଇ ଓ ବୁଡ଼ାଗୁଡ଼ା ଅଞ୍ଚଳରେ ଉତ୍ତେଜନା ବଢ଼ିଛି। ତେବେ ଦୁଇ ଗୋଷ୍ଠୀ ମଧ୍ୟରେ କେଉଁ କାରଣରୁ ପୂର୍ବରୁ ଶତ୍ରୁତା ରହିଥିଲା, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ।
ଘଟଣାକୁ ନେଇ କଲ୍ୟାଣସିଂହପୁର ଥାନା ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଛୁରାମାଡ଼ କରିଥିବା ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି। ଅନ୍ୟପଟେ ପୋଲିସ ଏହି ଘଟଣାରେ ତିନି ଜଣଙ୍କୁ ଅଟକ ରଖିଥିବା ଜଣାପଡ଼ିଛି। ପୋଲିସ ତଦନ୍ତ ପରେ ଛୁରାମାଡ଼ର ପ୍ରକୃତ କାରଣ ଏବଂ ଘଟଣାରେ ସମ୍ପୃକ୍ତ ଅନ୍ୟ ବ୍ୟକ୍ତିଙ୍କ ବିଷୟରେ ଅଧିକ ତଥ୍ୟ ସ୍ପଷ୍ଟ ହେବ।


