ଚେନ୍ନାଇରେ ଆଉ ଏକ ନିର୍ଭୟା : ଅସଦାଚରଣ ପରେ ପଞ୍ଚମ ଶ୍ରେଣୀ ଛାତ୍ରୀକୁ ହତ୍ୟା

Published: Mar 21, 2020, 6:42 pm IST

ଚେନ୍ନାଇ: ନିର୍ଭୟା ମାମଲାର ଚାରିଜଣ ଦୋଷୀଙ୍କୁ ଫାଶୀ ମିଳିବାର ଅଳ୍ପ କିଛି ଘଣ୍ଟା ପରେ ଘଟିଛି ଆଉ ଏକ ଅଭାବନୀୟ ଘଟଣା। ତାମିଲନାଡୁର ଚେନ୍ନାଇରେ ଆଉ ଏକ ଦୁଷ୍କର୍ମ ଆଉ ହତ୍ୟା ମାମଲା । ଆଜି ଏଠାରେ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଏକ ଛାତରୁ ଫିଙ୍ଗି ହତ୍ୟା କରାଯାଇଛି। ଅପରାଧର କିଛି ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କୁ ଚେନ୍ନାଇ ପୋଲିସ ଗିରଫ କରିଛି। ୨୯ ବର୍ଷ ବୟସ୍କ ଏହି ଅଭିଯୁକ୍ତ ଜଣକ ମୃତ ନାବାଳିକାର ପଡୋଶୀ ବୋଲି ଜଣାପଡିଛି।

ପୋଲିସର ସୂଚନାନୁସାରେ, ମଦୁରାଭୋୟାଲ ଅଞ୍ଚଳରେ ରହୁଥିବା ୧୦ ବର୍ଷର ନାବାଳିକା ଜଣକ ଶୌଚ ହେବା ପାଇଁ ନିଜ ଘରୁ ବାହାରକୁ ଯାଇ ଫେରିନଥିଲା। ପହଞ୍ଚିବାରେ ବିଳମ୍ବ ହେବାରୁ ପିତାମାତା ଭୟଭୀତ ହୋଇ ପୋଲିସକୁ ଡାକିଥିଲେ। ଅଭିଭାବକ, ପଡ଼ୋଶୀ ଏବଂ ପୋଲିସ କର୍ମଚାରୀମାନେ ବହୁ ଖୋଜା ଖୋଜି କରିଥିଲେ। ପରେ ନାବାଳିକା ଜଣକ ବିଲଡିଂ ପଛପଟେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବାର ଦେଖିବାକୁ ପାଇଥିଲେ।

ଗୁରୁତର ଅବସ୍ଥାରେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା, କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଡାକ୍ତରୀ ପରୀକ୍ଷା ସମୟରେ ଜଣାପଡିଛି ଯେ ନାବାଳିକା ଜଣଙ୍କୁ ଅସଦାଚରଣ କରାଯାଇଛି।

ତଦନ୍ତ ପରେ ପୋଲିସ ଝିଅର ପଡୋଶୀ ପି.ସୁରେଶଙ୍କୁ ଗିରଫ କରିଛି।  ଛାତରେ ନାବାଳିକାକୁ ଅସଦାଚରଣ କରୁଥିବା ସମୟରେ ନାବାଳିକା ଚିତ୍କାର କରିବାରୁ ତାଙ୍କୁ ତଳକୁ ଫିଙ୍ଗି ଦେଇଥିବା ନେଇ ନିଜେ ଅଭିଯୁକ୍ତ ସ୍ୱୀକାର କରିଛି। (ଏଜେନ୍ସି)

 

Related posts