କିସିଣ୍ଡା ଥାନା ଅଂଚଳରେ ଧାର ଟଙ୍କାକୁ କେନ୍ଦ୍ର କରି ହତ୍ୟାକାଣ୍ଡ : ଟାଙ୍ଗିଆରେ ହାଣି ଗିରଫ ହେଲା ଅଭିଯୁକ୍ତ

Published: Apr 20, 2020, 8:43 am IST

କନ୍ଦର୍ପ ବେହେରା
ରେଢାଖୋଲ: ଟଙ୍କା ଧାରକୁ  କେନ୍ଦ୍ର କରି ଏକ ହତ୍ୟାକାଣ୍ଡ ଘଟି ଚାଂଚଲ୍ୟ ସୃଷ୍ଟି କରିଛି କିସିଣ୍ଡା ଅଂଚଳରେ। ପ୍ରକାଶ ଯେ, ରେଢାଖୋଲ ଉପଖଣ୍ଡ କିସିଣ୍ଡା ଥାନା ଅନ୍ତର୍ଗତ ଖନ୍ଦିବାହାଳ ଗ୍ରାମରେ ଏହି ହତ୍ୟାକାଣ୍ଡ ଘଟିଛି।  ଗତ କାଲି ରାତି ପ୍ରାୟ ପାଖାପାଖି ୮ ଟାରେ ଖନ୍ଦିବାହାଳ ଗ୍ରାମର ଭୀମସେନ୍ ସ୍ୱାଇଁ(୫୦) ନିଜ ଘର ସାମ୍ନାରେ ଲଙ୍କମରିଚ ତୋଳୁଥିବା ସମୟରେ ସେହି ଗ୍ରାମର ଗୌତମ ମାଝୀ ନାମକ ଜଣେ ଯୁବକ ଅଚାନକ ଟାଙ୍ଗିଆରେ ତାର ବେକକୁ ୪ ରୁ ୫ ଚୋଟ ମାରି ଦେଇ ଫେରାର ହୋଇଥିଲା। ଘଟଣା ସ୍ଥଳରେ ଭୀମସେନ ର ମୃତ୍ୟୁ ହୋଇଯାଇଥିଲା ବୋଲି ନାକ୍ଟିଦେଉଳ ଥାନାଧୀକାରୀ ଚିତରଂଜନ ନାଏକ ପ୍ରକାଶ କରିଛନ୍ତି।

ପୋଲିସ୍ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି। ଅଭିଯୁକ୍ତ ଭୀମସେନକୁ ଟାଙ୍ଗିଆରେ ହତ୍ୟା କରିଥିବା ସ୍ୱୀକାର କରିଛି। ପୋଲିସ୍ ସୂତ୍ରରୁ ପ୍ରକାଶ ଯେ ମୃତ ଭୀମସେନ ସ୍ୱାଇଁ ଗୌତମ ଠାରୁ ଟଙ୍କା ଉଧାରିରେ ନେଇଥିଲା । ଗୌତମ ବାରମ୍ବାର ମାଗିବାରୁ ଦେଇ ନଥିଲା। ମୃତ ଭୀମସେନ୍ କାଳେ ଗୌତମକୁ ମାରି ଦେବ ସେ ଭୟରେ ହତ୍ୟା କରିଥିବା ପୋଲିସ୍ ଆଗରେ ଅଭିଯୁକ୍ତ ପ୍ରକାଶ କରିଛି ।

ଅପରପକ୍ଷରେ ପ୍ରେମ ସମ୍ପର୍କକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଚାଲିଛି । ଖବର ଲେଖାଯିବା ପର୍ଯ୍ୟନ୍ତ ମୃତ ଭୀମ ସେନର ଶବ ତାଘର ସମ୍ମୁଖରେ ପଡିରହିଛି । ସମ୍ବଲପୁରରୁ ସାଇଂଟିଫିକ୍ ଟିମ୍ ଆସିଲା ପରେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡିଛି
ଆଜି ଶବ ବ୍ୟବଚ୍ଛେଦ ହେବା ସହ ଅଭିଯୁକ୍ତକୁ କୋର୍ଟଚାଲାଣ କରାଯିବ ବୋଲି କିସିଣ୍ଡା ଥାନାଧୀକାରୀ ଚିତରଂଜନ ନାଏକ ଆମ ପ୍ରତିନିଧିଙ୍କ ଠାରେ ପ୍ରକାଶ କରିଛନ୍ତି ।

Related posts