ବ୍ରହ୍ମପୁରରୁ ୪ ହଜାର ଲିଟର ଦେଶୀମଦ ଜବତ: ମଦଭାଟି ମାଲିକଙ୍କ ସମେତ ୧୪ ଗିରଫ

Published: Apr 22, 2020, 7:47 pm IST

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବ୍ରହ୍ମପୁର ପୋଲିସ୍‌କୁ ମିଳିଛି ବଡ ସଫଳତା। ବୁଧବାର ପୋଲିସ୍‌ ପକ୍ଷରୁ ଚଢାଉ କରାଯାଇ ୪ ହଜାର ଲିଟର ଦେଶୀ ମଦ ଜବତ କରିବା ସହିତ ୧୪ ଜଣଙ୍କୁ ଗିରଫ କରିଛି। ବୈଦ୍ୟନାଥପୁରର ଆଇଆଇସିଙ୍କ ନେତୃତ୍ବରେ ଏକ ଟିମ୍‌ ମଙ୍ଗଳବାର ରାତିରେ ଲାଞ୍ଜିପଲ୍ଲୀ ବାଇପାସ୍‌ ନିକଟସ୍ଥ ଜଳେଶ୍ବରପୁରର ଏକ ଇଟା କାରଖାନା ଉପରେ ଚଢାଉ କରିଥିଲେ। ଏହି ଚଢାଉରେ ପୋଲିସ୍‌ ୪୭୪୦ ଲିଟର ଦେଶୀମଦ ଜବତ କରିଛି। ୨୦ ଲିଟର ବିଶିଷ୍ଟ ପ୍ଲାଷ୍ଟିକ୍‌ ଜାରକିନ୍‌ରେ ଏହି ଦେଶୀ ମଦ ରଖାଯାଇଥିଲା। ସେହିପରି ୨୩୮୦୦ ଲିଟର ପଲିଥିନ୍‌ ମଦ ଏବଂ ୧୨୨୯୦ ଟଙ୍କାର ନଗଦ ଅର୍ଥ ଜବତ କରାଯାଇଛି। ଏହା ସହିତ ଦୁଇଟି ପ୍ୟାକେଜିଂ ମେସିନ୍‌ ମଧ୍ୟ ଜବତ କରାଯାଇଛି। ପୋଲିସ୍‌ ପକ୍ଷରୁ ଅବକାରୀ ବିଭାଗ ଅଧିନିୟମ ଅନୁଯାୟୀ କେସ୍‌ ନମ୍ବର ୧୦୯/୨୦୨୦ରେ ମାମଲା ରୁଜୁ କରାଯିବା ସହିତ ଦେଶୀ ମଦ ଭାଟି ମାଲିକ ଭାସ୍କର ସାହୁଙ୍କ ସମେତ ୧୪ ଜଣଙ୍କୁ ଗିରଫ କରିଛି।

Related posts