ଲକ୍‌ଡାଉନ୍‌ ସମୟରେ ଦିଲ୍ଲୀରେ ଡବଲ୍‌ ମର୍ଡର

Published: Apr 24, 2020, 8:53 pm IST

ନୂଆଦିଲ୍ଲୀ : କରୋନା ସଂକଟ ସମୟରେ ସାରା ଦେଶରେ ଲକ୍ ଡାଉନ୍‌ ଜାରି ହୋଇଛି । ଲକ୍‌ ଡାଉନ ସମୟରେ ବି ଅପରାଧ ଘଟଣା ଦେଖିବାକୁ ମିଳିଛି । ଦେଶର ରାଜଧାନୀ ଦିଲ୍ଲୀରେ ଡବଲ୍‌ ମର୍ଡର ଘଟଣା ସାମ୍ନାକୁ ଆସିଛି ।

ମିଳିଥିବା ସୂଚନା ଅନୁସାରେ ଦିଲ୍ଲୀର ଛାବଲା ଅଞ୍ଚଳରେ ଦୁର୍ଗାବିହାରରେ ଏପରି ଏକ ଅଘଟଣ ଘଟିଛି । ଏଠାରେ ବୃଦ୍ଧ ଦମ୍ପତିଙ୍କୁ ହତ୍ୟା କରିଥିବାର ଖବର ମିଳିଛି । ଏହି ବୃଦ୍ଧ  ଦମ୍ପତି ହେଉଛନ୍ତି 61 ବର୍ଷୀୟ ରାଜସିଂହ ଓ 58 ବର୍ଷୀୟା ଓମ୍‌ବତୀ । ରାଜସିଂହ ଏମସିଡିରୁ ଅବସର ଗ୍ରହଣ କରି ନିଜ ପରିବାର ସହିତ ରହୁଥିଲେ । କିନ୍ତୁ ହଠାତ୍‌ ତାଙ୍କର ହତ୍ୟା ହୋଇଥିବା ସୂଚନା ମିଳିଛି ।

ଏହି ବୃଦ୍ଧ ଦମ୍ପତି ତାଙ୍କ ଘରେ ରହୁଥିବାବେଳେ ତାଙ୍କ ସମ୍ପର୍କୀୟ ତାଙ୍କୁ ଫୋନ୍‌ କରିଥିଲେ । ଫୋନ୍‌ ନ ଉଠାଇବାରୁ ତାଙ୍କ ସମ୍ପର୍କୀୟ ଘରେ ପହଞ୍ଚି ତାଙ୍କ ଖବର ଜାଣିବାକୁ ଚେଷ୍ଟା କରିଥିଲେ । ଘରେ ପହଞ୍ଚି ବୃଦ୍ଧ ଦମ୍ପତିକୁ ରକ୍ତ ଜୁଡୁବୁଡ ଅବସ୍ଥାରେ ପଡିଥିବାର ଦେଖିଥିଲେ। ତାଙ୍କ ଶରୀରରେ ଛୁରୀ ଦାଗ ମଧ୍ୟ ରହିଥିଲା । ଏହାପରେ ପୋଲିସ୍‌କୁ ଫୋନ୍‌ କରି ଘଟଣା ସମ୍ପର୍କରେ ଜଣାଇଥିଲେ ସମ୍ପର୍କୀୟ ଜଣକ । ପୋଲିସ୍‌ ଆସି ଘଟଣାର ତଦନ୍ତ ଆରମ୍ଭ କରିଛି। କିନ୍ତୁ ଘରେ ତାଙ୍କ ପୁଅ ବୋହୂ ଉପସ୍ଥିତ ରହିଥିବା ସମୟରେ ଏହି ବୃଦ୍ଧ ଦମ୍ପତିଙ୍କର ହତ୍ୟା କିପରି ହେଲା ତାକୁ ନେଇ ସନ୍ଦେହ ଘନୀଭୂତ ହୋଇଛି । ପୋଲିସ୍‌ ପୁଅ ବୋହୂଙ୍କୁ ପଚରାଉଚୁରା କରୁଛି । ତେବେ ଏହି ହତ୍ୟାକାଣ୍ଡ ପଛରେ ପୁଅ ବୋହୂଙ୍କର ହାତ ରହିଛି ବୋଲି ପୋଲିସ୍‌ ଅନୁମାନ କରୁଛି । ତେବେ ହତ୍ୟା କିପରି ଘଟିଲା ସେ ନେଇ ସମ୍ପୂର୍ଣ୍ଣ ସୂଚନା ମିଳିପାରିନାହିଁ । (ଏଜେନ୍ସି)

Related posts