
ସୀତାରାମ ଅଗ୍ରୱାଲ
ଚିଲିକା: ବର୍ତ୍ତମାନ ସମଗ୍ର ରାଜ୍ୟରେ ଲକ ଡ଼ାଉନ ଚାଲିଥିବାବେଳେ ଏଥିରୁ ବାଦ ପଡିନି ଚିଲିକା ନିର୍ବାଚନମଣ୍ଡଳୀ। ବାଣପୁର, ବାଲୁଗାଁ ଅଞ୍ଚଳ ବର୍ତ୍ତମାନ ହଟସ୍ପଟ ଅଞ୍ଚଳ ଥିବାବେଳେ ଏସବୁ ନିୟମକୁ ଫୁ କରି ଉଡାଇଦେଉଛନ୍ତି ଚୋରା ମଦ ବେପାରୀମାନେ। ଲକ ଡ଼ାଉନ ଅଧିକାଂଶ ଲୋକଙ୍କ ପାଇଁ ସର୍ବନାଶ ସାଜିଥିବାବେଳେ ସତେ ଯେମିତି ଏହି ଚୋରା ମଦବେପାରୀ ଙ୍କ ପାଇଁ ଏହା ପୁଷ ମାସ। କରୋନା ମହାମାରୀ ର ପ୍ରକୋପ କୁ ଖାତିର ନକରି ଏମାନେ ବେଧଡକ ବେପାର ଚଳାଉଛନ୍ତି।
ଆଜି ସନ୍ଧ୍ୟାରେ ବିଶେଷ ସୂତ୍ରରୁ ଖବର ପାଇ ଅନ୍ତର୍ଗତ ନାଚୁଣୀ ଫାଣ୍ଡି ଅଧିକାରୀ ଶ୍ରୀ ଉମାକାନ୍ତ ସାହୁ ସଦଳବଳ ସହିତ ସାନନଈରୀରୁ ବଉଳାବନ୍ଧ ଗ୍ରାମ କୁ ସଂଯୋଗ କରୁଥିବା ରାସ୍ତାରେ ଛପି ରହିଥିଲେ। ସେହି ସମୟରେ ସାନନଈରୀରୁ ବଉଳାବନ୍ଧ ଆଡେ ଆସୁଥିବା (ଓ.ଆର.୦୨.ବି.ଏକ୍ସ.୫୧୦୪) ନମ୍ବର ବିଶିଷ୍ଟ ଏକ ଅଟୋ ସହ ୨୫ ପେଟି(୬୨୫ ବୋତଲ) ଚୋରା ଦେଶୀ ମଦ କୁ ଜବତ ଏବଂ ଦୁଇ ଜଣଙ୍କୁ ଗିରଫ କରିଛି ନାଚୁଣୀ ପୋଲିସ। ଗିରଫ ଦ୍ବୟ ହେଲେ ଅଟୋ ଚାଳକ ଟୁଲୁ ବେହେରା ଏବଂ ଚୋରା ଦେଶୀ ମଦ ବେପାରୀ ସୋନୁ ବେହେରା। ଆସନ୍ତାକାଲି ସେମାନଙ୍କୁ କୋର୍ଟଚାଲାଣ କରାଯିବ ବୋଲି ନାଚୁଣୀ ଫାଣ୍ଡି ଅଧିକାରୀ ଶ୍ରୀ ସାହୁ ସୂଚନା ଦେଇଛନ୍ତି।