କେନ୍ଦୁପତ୍ର ଫଡିରୁ ଲକ୍ଷାଧିକ ଟଙ୍କାର କିରାସିନୀ ଜବତ

Published: Sep 16, 2020, 11:18 am IST

କନ୍ଦର୍ପ ବେହେରା

ରେଢାଖୋଲ : ଆଜି ରେଢାଖୋଲ ପୋଲିସ୍ ଲୁହାପଙ୍କ ଅଂଚଳରୁ ଲକ୍ଷାଧିକ ଟଙ୍କା ମୂଲ୍ୟର କିରାସିନୀ ଜବତ କରିଥିବା ଖବର ହସ୍ତଗତ ହୋଇଛି ।

ପ୍ରକାଶ  ଯେ, ରେଢାଖୋଲ ଥାନା ଲୁହାପଙ୍କ ପଂଚାୟତ ଅନ୍ତର୍ଗତ ରେଢାଖୋଲ କେନ୍ଦୁପତ୍ର ଡିଭିଜନର ଜାମ୍ମୁବଣିଆଁ କେନ୍ଦୁପତ୍ର ଫଡିଭିତରୁ ୧୬ ଡ୍ରମ କିରାସିନୀ(୩ହଜାର ଲିଟର ପାଖାପାଖି) ରେଢାଖୋଲ ଏସ୍‌ଡିପିଓ ହାଡିବନ୍ଧୁ ସ୍ୱାଇଁ ଜବତ କରିଥିବା ଜଣା ପଡିଛି । ଯାହାର ଆନୁମାନିକ ମୂଲ୍ୟ ୩ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି ପୋଲିସ୍ କହିଛି । ଏହା ପୂର୍ବରୁ ସେଇ ଅଂଚଳରୁ ୨୪୦୦ ଲିଟର କରାସିନୀ କିଛିଦିନ ତଳେ ଜବତ ହୋଇଥିଲା । ଏହି ବେପାରରେ କେତେଜଣ ଅସାଧୁ ବ୍ୟବସାୟୀ ସମୃକ୍ତଥିବା ଅନୁମାନ କରାଯାଉଛି । ଏହି କିରାସିନୀ ରେଢାଖୋଲ ଓ ନାକଟିଦେଉଳ ଅଂଚଳର ପଂଚାୟତ ମାନଙ୍କରୁ ଅସୁଲ କରି ତାକୁ ଚୋରାରେ ଚଢାଦରରେ ବାହାରକୁ ଗାଡି ସାହାଯ୍ୟରେ ଚାଲାଣ କରୁଥିବା ଜଣାପଡିଛି ।

କରୋନା ପାଇଁ କିଛିମାସ ତଳେ କିରାସିନୀ ପଂଚାୟତ ମାନଙ୍କରେ ମାତ୍ର ୧୭ ଟଙ୍କାରେ ଖାଉଟି ମାନଙ୍କୁ ମିଳିଥିଲା । କେତେକ ପଂଚାୟତର ଖାଉଟି ମାନଙ୍କୁ ଯେତିକି ପରିମାଣରେ କିରାସିନୀ ସେ ଦାମରେ ଦେବାର ଥିଲା ତାହା ମଧ୍ୟ ଖାଉଟି ନ ପାଇ ପଂଚାୟତ କର୍ତ୍ତୃପକ୍ଷ ଅସାଧୁ ବ୍ୟବସାୟୀଙ୍କୁ ବିକ୍ରିକରିଥିବା ସନ୍ଦେହ ହେଉଛି। ଏହି କାରବାରରେ କିଛି ପୋଲିସ୍ କର୍ମଚାରୀଙ୍କୁ ହାତବାରିସି କରି ଅସାଧୁ ବ୍ୟବସାୟୀ ଅନାୟାସରେ ଏହି ବେପାର କରୁଥିବା ଅନୁମାନ କରାଯାଉଛି । ଗ୍ରାମାଂଚଳରେ ମଧ୍ୟ ଖାଉଟି ଆବଶ୍ୟକ ପରିମାଣର କିରାସିନୀ ନେଉ ନ ଥିବାରୁ ପଂଚାୟତର ଗ୍ରାମରୋଜଗାର ସେବକ ମାନେ ରାତାରାତି ଏଇ ବେପାର ମଧ୍ୟ କରୁଛନ୍ତି । ବଜାରରେ କିରାସିନୀ ଲିଟର ପିଛା ୫୦ ଟଙ୍କା ଦରରେ ବିକ୍ରି ମଧ୍ୟ ହେଉଛି । ଏପରିକି ସେ କିରାସିନୀ ପେଟ୍ରୋଲ ଓ ଡିଜେଲ ରେ ଟ୍ରକ ଡ୍ରାଇଭରମାନେ ଚୋରାରେ ନେଇ ମିଶ୍ରଣ କରୁଛନ୍ତି ।

ରେଢାଖୋଲ ପୋଲିସ୍ ଆଗାମୀ ଦିନରେ ଏଭଳି ଚଢଉ ବାରମ୍ବାର କଲେ କିରାସିନୀର କଳାବଜାର ରୋକାଯାଇପାରନ୍ତା ବୋଲି ମତପ୍ରକାଶ ପାଇଛି ।

Related posts