ଆଖୁ କ୍ଷେତରୁ ମିଳିଲା 10 ବର୍ଷ ଶିଶୁର ମୃତଦେହ : 72 ଘଣ୍ଟାରେ ଘଟିଲାଣି ତିନୋଟି ହତ୍ୟାକାଣ୍ଡ

Published: Sep 20, 2020, 12:00 pm IST

ଶାହାଜହାଁପୁର : ୟୁପିରେ ଏବେ ଅପରାଧିକ କାର୍ଯ୍ୟକଳାପ ବଢିବାରେ ଲାଗିଛି । ଗତ କିଛି ଦିନ ହେବ ଏଠାରେ ଚୋରି, ହତ୍ୟାକାଣ୍ଡ, ଦୁଷ୍କର୍ମ ପରି ଘଟଣାମାନ ଦେଖିବାକୁ ମିଳିଛି ।  ୟୁପିର ଶାହଜାହାଁପୁର ଜିଲ୍ଲାରେ ତିନି ଦିନ ଭିତରେ ତିନୋଟି ହତ୍ୟା ହୋଇ ଚାଞ୍ଚଲ୍ୟ ଖେଳି ଯାଇଛି । ଦିନ ଦ୍ବିପ୍ରହରରେ 10 ବର୍ଷୀୟ ନିରୀହ ଶିଶୁର ହତ୍ୟା କରାଯାଇ ଆଖୁ କ୍ଷେତରେ ଫୋପାଡି ଦିଆଯାଇଥିବାର ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁସାରେ ରୋଜା କ୍ଷେତ୍ର ପିପିରିଆ ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ଏଠାରେ ରହୁଥିବା ଜଣେ 10 ବର୍ଷୀୟ ଶିଶୁ ନିଲେଶ୍‌ର ମୃତଦେହ ଆଖୁ କ୍ଷେତରୁ ଉଦ୍ଧାର ହୋଇଛି । ନିଲେଶର ମା’ ଉର୍ମିଳା କହିଛନ୍ତି ଯେ, ଗ୍ରାମର ବାହାରେ ଏକ ଅଶ୍ବତ୍ଥ ବୃକ୍ଷ ପାଖରେ ଗ୍ରାମର ସମସ୍ତ ଗାଈ ଓ ବଳଦ ବନ୍ଧା ହୁଅନ୍ତି । ନିଲେଶ ମଧ୍ୟ ସେଠାରେ ତାଙ୍କର ବଳଦକୁ ବାନ୍ଧି ରଖିଥିଲେ । ତେବେ ଶନିବାର ସକାଳ 9ଟା ସମୟରେ ନୀଲେଶର ମା’ ଦେଖିବା ବେଳକୁ ସେଠାରେ ନିଲେଶ ନଥିଲା । ପରେ ଘରକୁ ଆସି ମଧ୍ୟ ନିଲେଶକୁ ଖୋଜିଥିଲେ । ପରନ୍ତୁ ସେଘରେ ବି ନଥିଲେ । ଏହାପରେ ପୂରା ଗ୍ରାମରେ ନୀଲେଶକୁ ଖୋଜାଖୋଜି କରିଥିଲେ । ସନ୍ଧ୍ୟା ସମୟରେ ସିୟାରାମଙ୍କ ଆଖୁ କ୍ଷେତରେ ନିଲେଶଙ୍କ ଶବ ପଡିଥିବାର ଦେଖିବାକୁ ପାଇଥିଲେ ପରିବାର ଲୋକେ । ଘଟଣାସ୍ଥଳରେ ପୋଲିସ୍‌ ପହଞ୍ଚି ତଦନ୍ତ ଜାରି କରିଛନ୍ତି । ନିଲେଶଙ୍କ ପରିବାର ଲୋକେ ଏହା ଏକ ହତ୍ୟା କାଣ୍ଡ ବୋଲି ଦାବି କରୁଥିବାବେଳେ ପୋଲିସ୍‌ ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ୍‌ ପାଇଁ ପଠାଇଛି ।

ସୂଚନାଯୋଗ୍ୟ, ଜିଲ୍ଲାରେ ଗତ 72 ଘଣ୍ଟା ମଧ୍ୟରେ ଏହା ତୃତୀୟ ହତ୍ୟା ଘଟଣା । ଏହାପୂର୍ବରୁ ସଦର ବଜାର ଅଞ୍ଚଳରେ ଜଣେ ଶଶୁର କୁରାଢୀରେ ନିଜ ବୋହୂକୁ ହତ୍ୟା କରିଥିବାର ମାମଲା ସାମ୍ନାକୁ ଆସିଥିବାବେଳେ । ଉକ୍ତ ରାତ୍ରିରେ ଛାତ ଉପରେ ଶୋଇଥିବା ଜଣେ ଛାତ୍ରର ଗଳା ଚିପି ହତ୍ୟା ହୋଇଥିବାର ଘଟଣା ମଧ୍ୟ ସାମ୍ନାକୁଆସିଛି । ପୋଲିସ୍‌ ଏବେ ଏହି ତିନି ହତ୍ୟାକାଣ୍ଣ ଅପରାଧୀଙ୍କୁ ଧରିବାରେ ସଫଲ ହୋଇପାରିନାହିଁ । (ଏଜେନ୍ସି)

Related posts