ବିବାହର ପ୍ରଲୋଭନ ଦେଖାଇ ନାବାଳିକାକୁ ଶାରୀରିକ, ମାନସିକ ନିର୍ଯ୍ୟାତନା: ଚାଇଲ୍ଡ ଲାଇନ୍ ପକ୍ଷରୁ ନାବାଳିକା ଉଦ୍ଧାର

Published: Oct 30, 2020, 9:02 pm IST

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବିବାହର ପ୍ରଲୋଭନ ଦେଖାଇ ଜଣେ ୧୫ ବର୍ଷର ନାବାଳିକାକୁ ଜନୈକ ବ୍ୟକ୍ତି ଶାରୀରିକ ମାନସିକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ହେଉଥିବାବେଳେ ଆଜି ଚାଇଲ୍ଡ ଲାଇନ୍ ପକ୍ଷରୁ ଥାନା ସହାୟତାରେ ନାବାଳିକାକୁ ଉଦ୍ଧାର କରିଯାଇଥିବା ଜଣାପଡ଼ିଛି।

ଘଟଣାରୁ ପ୍ରକାଶ ଯେ ଧରାକୋଟ ମୁଣ୍ଡମରେଇ ଅଂଚଳର କୃଷ୍ଣ ପ୍ରଧାନ ନାମକ ଜଣେ ଯୁବକ ଜନୈକ ନାବଳିକାକୁ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସଂପର୍କ ରଖିବା ସହ ତାକୁ ଧରି ଫେରର୍ ହୋଇଯାଇଥିଲା। କିଛି ଦିନ ବାହାର ରାଜ୍ୟରେ ରଖିବା ପରେ ବର୍ତ୍ତମାନ ପାଟପୁର ଥାନା ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ ଏସ୍ ଗୋପାଳପୁରରେ ଏକ ଘରେ ରଖିଥିଲା। ସେଠାରେ ତାକୁ ପ୍ରତ୍ୟେକ ଦିନ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଥିବାବେଳେ ଏହା ଅସହ୍ୟ ହେବାରୁ ନାବାଳିକାଟି ଆଜି ୧୦୯୮ ଚାଇଲ୍ଡ ଲାଇନ୍ ସହ ସଂପର୍କ କରିଥିଲେ।

ଏନେଇ ଚାଇଲ୍ଡ ଲାଇନ୍ ସଂଯୋଜକ ସାଇ ପ୍ରସାଦ ସାମଲ, ସହଯୋଗୀ କୁମାର ପ୍ରିୟଙ୍କା ବେହେରା ପାଟପୁର ଥାନା ସହ ଯୋଗାଯୋଗ କରି ଏସ୍ ଗୋପାଳପୁର ଅଂଚଳରୁ ନାବାଳିକାକୁ ଉଦ୍ଧାର କରିଥିଲେ। ପୀଡ଼ିତାକୁ ଡ଼ାକ୍ତରୀ ମାଇନା ପରେ ଶିଶୁ ମଙ୍ଗଳ ସମିତି ନିକଟରେ ହାଜିରା କରାଯିବ। ଏପଟେ ପାଟପୁର ଥାନା ଏକ ମାମଲା ରୁଜୁ କରି କୃଷ୍ଣ ପ୍ରଧାନକୁ ଅଟକ ରଖିଥିବା ଜଣାପଡ଼ିଛି।

Related posts