ପିସ୍ତଲ ସହ ସେଲ୍‌ଫି ନେଇ ମୃତ୍ୟୁବରଣ କଲେ 22ବର୍ଷୀୟ ଯୁବକ

Published: Nov 8, 2020, 1:36 pm IST

ନୋଏଡା: ପୁଣି ଥରେ ସେଲ୍‌ଫି କାଳ ହୋଇଛି । ସେଲ୍‌ଫି ନେବା ପାଇଁ ଆଜିକାଲିର ଯୁବପିଢି ମାନେ ବିପଦକୁ ବରଣ କରୁଛନ୍ତି। ପ୍ରାୟ ସବୁଦିନେ ସେଲ୍‌ଫି ନେଇ ଜୀବନ ଯାଉଥିବାର ଖବର ଶୁଣିବାକୁ ମିଳିଛି । ନୋଏଡାର ଜଣେ 22 ବର୍ଷୀୟ ଯୁବକ ଗୁଳି ଭର୍ତ୍ତି ପିସ୍ତଲ ସହ ସେଲ୍‌ଫି ନେଇ ମୃତ୍ୟୁବରଣ କରିଛନ୍ତି । ସେଲ୍‌ଫି ନେବା ସମୟରେ ପିସ୍ତଲରୁ ଗୁଳି ଯୁବକଙ୍କୁ ବାଜି ଥିଲା । ତାଙ୍କୁ ତତ୍‌କ୍ଷଣାତ୍‌ ହସ୍ପିଟାଲ ନିଆଯାଇଥିଲା । କିନ୍ତୁ ଯୁବକ ଜଣକ ବଞ୍ଚିନଥିଲେ । ତେବେ ଯୁବକ ଜଣ ସେଲ୍‌ଫି ନେବାବେଳେ ତାଙ୍କ ସାଙ୍ଗରେ ତାଙ୍କର ଜଣେ ବନ୍ଧୁ ରହିଥିଲେ । ପୋଲିସ୍‌ ଯୁବକଙ୍କ ମୃତଦେହକୁ ଜବତ କରିବା ସହ ତାଙ୍କ ବନ୍ଧୁଙ୍କୁ ପଚରାଉଚୁରା କରୁଛି । ଉକ୍ତ ପିସ୍ତଲର ମଧ୍ୟ ଫରେନସିକ୍‌ ଯାଞ୍ଚ ହେଉଛି ।

ମିଳିଥିବା ସୂଚନା ଅନୁସାରେ ମୃତକ ଜଣକ ଗ୍ରେଟର ନୋଏଡା ବାଦଲପୁରର 22 ବର୍ଷୀୟ ସୌରଭ । ସେ ତାଙ୍କ ବନ୍ଧୁ ନକୁଲଙ୍କ ସହ ଅନ୍ୟ ଜଣେ ବନ୍ଧୁଙ୍କ ସାକ୍ଷାତ କରିବାକୁ ଯାଉଥିଲେ । ଦୁହେଁ କାର୍‌ରେ ଯାଉଥିବାବେଳେ ସୌରଭ ପିସ୍ତଲ ବାହାର କରି ମୋବାଇଲ୍‌ରେ ସେଲ୍‌ଫି ନେଉଥିଲେ । ପିସ୍ତଲ୍‌ରେ ଗୁଳି ଭର୍ତ୍ତି ଥିବାବେଳେ ସେ ଏହା ଜାଣିନଥିଲେ । ପିସ୍ତଲ୍‌ର ଟ୍ରିଗର୍‌ ଚାପି ସେଲ୍‌ଫି ନେବା ସମୟରେ ଗୁଳିଟି ତାଙ୍କ ଦେହରେ ବାଜି ଯାଇଥିଲା । ସୌରଭଙ୍କ ବନ୍ଧୁ ତାଙ୍କୁ ତତକ୍ଷଣାତ୍‌ ହସ୍ପିଟାଲ ନେଇଥିଲେ।  ତେବେ ଡାକ୍ତରଖାନାରେ ଡାକ୍ତର ସୌରଭଙ୍କୁ ମୃତ ଘୋଷଣା କରିଥିଲେ । (ଏଜେନ୍ସି)

Related posts