Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ସଂସ୍କୃତି»ସାହିତ୍ୟିକ ପାଣିପାଗ ; ଅକାଦେମି ପୁରସ୍କାର: “ଗୋପନୀୟତା’ର ଗଣ୍ଠି ଫିଟୁ !
ସଂସ୍କୃତି

ସାହିତ୍ୟିକ ପାଣିପାଗ ; ଅକାଦେମି ପୁରସ୍କାର: “ଗୋପନୀୟତା’ର ଗଣ୍ଠି ଫିଟୁ !

June 13, 2019No Comments7 Mins Read
Share Facebook Twitter LinkedIn Email WhatsApp Copy Link

ଅସିତ ମହାନ୍ତି

ପ୍ରଫେସର ଦାଶରଥି ଦାସଙ୍କ “ପ୍ରସଙ୍ଗ ପୁରୁଣା: ଭାବନା ନୂଆ’ ସିନା ୨୦୧୮ର ସାହିତ୍ୟ ଅକାଦେମି ପୁରସ୍କାର ପାଇଲା- କିନ୍ତୁ ଆଉ କେଉଁ କେଉଁ ପୁସ୍ତକ ଏ ବର୍ଷର ଚୂଡ଼ାନ୍ତ ଚୟନରେ ଥିଲା?
ପୁରସ୍କାରର ମୂଲ୍ୟ ପରି, ଏ ପ୍ରଶ୍ନଟି ମଧ୍ୟ ଲକ୍ଷେଟଙ୍କିଆ। କାରଣ, ପୁରସ୍କାର-ନିୟମାବଳୀରେ ସ୍ପଷ୍ଟ ବ୍ୟବସ୍ଥା ଥିଲେ ମଧ୍ୟ, ଅକାଦେମି କର୍ତ୍ତୃପକ୍ଷ ପୁରସ୍କାର ଘୋଷଣା ସହିତ ଚୂଡ଼ାନ୍ତ ଚୟନରେ ଥିବା ପୁସ୍ତକଗୁଡ଼ିକର ତାଲିକା ଘୋଷଣା କରନ୍ତି ନାହିଁ। ଏ ନେଇ ନା ଭାଷା ଉପଦେଷ୍ଟାମଣ୍ଡଳୀ ସଦସ୍ୟ, ନା ସାଧାରଣ ପରିଷଦ ସଦସ୍ୟ, ନା କାର୍ଯ୍ୟନିର୍ବାହୀ କମିଟି ସଦସ୍ୟ ବା ଆବାହକ- କେହି ବି କେବେ ଦାବି କରିଥିବା ଜଣାନାହିଁ।
କେବଳ ଓଡ଼ିଆ ଭାଷାରେ ନୁହେଁ- ସାହିତ୍ୟ ଅକାଦେମି ଭାରତବର୍ଷର ୨୪ଟି ଭାଷାରେ ପୁରସ୍କାର ଦିଅନ୍ତି। ମୂଳ ପୁରସ୍କାର ବ୍ୟତୀତ, ପରବର୍ତ୍ତୀ କାଳରେ “ଅନୁବାଦ ପୁରସ୍କାର’, “ଯୁବ ପୁରସ୍କାର’ ଓ “ବାଲ୍‍ ସାହିତ୍ୟ ପୁରସ୍କାର’ ମଧ୍ୟ ପ୍ରବର୍ତ୍ତିତ ହୋଇଛି। ଏ ସବୁରେ ମଧ୍ୟ, ପୁରସ୍କାର ଘୋଷଣା ସହିତ ଚୂଡ଼ାନ୍ତ ଚୟନରେ ଥିବା ସବୁ ପୁସ୍ତକ ବା ସମସ୍ତଙ୍କର ନାମ ଘୋଷଣା କରାଯାଏ ନାହିଁ। ଏହା ଅକାଦେମି ପୁରସ୍କାର-ନିୟମାବଳୀର ସ୍ପଷ୍ଟ ଉଲ୍ଲଙ୍ଘନ ହୋଇଥିଲେ ମଧ୍ୟ, ଏଯାଏ କେହି ଯେ ସେ ବାବଦରେ ପ୍ରଶ୍ନ ଉଠାଉ ନାହାନ୍ତି, ଏହା ହିଁ ଆଶ୍ଚର୍ଯ୍ୟ।
ଏ ପ୍ରସଙ୍ଗରେ ଉଲ୍ଲେଖନୀୟ ଯେ ଏ ନେଇ ଆଜିଠୁଁ ୫୦ ବର୍ଷ ତଳେ ପାର୍ଲାମେଣ୍ଟରେ ପ୍ରଶ୍ନ ଉଠିଥିଲା। ସେତେବେଳେ ଉପଦେଷ୍ଟାମଣ୍ଡଳୀ ପରାମର୍ଶ ଆଧାରରେ, କାର୍ଯ୍ୟନିର୍ବାହୀ କମିଟି ହିଁ ପୁରସ୍କାରର ଚୂଡ଼ାନ୍ତ ଚୟନ କରୁଥିଲା। ସଂସଦରେ ସେହି ପ୍ରଶ୍ନ ଉଠିଥିଲା ୧୯୬୮ ମସିହାରେ। ସେତେବେଳେ ଦେଶର ଶିକ୍ଷାମନ୍ତ୍ରୀ ଥିଲେ ତ୍ରିଗୁଣା ସେନ୍‍। ମାନ୍ୟବର ସାଂସଦମାନଙ୍କର ମତକୁ ବିଚାରକୁ ନେଇ, ସେ ତାଙ୍କ ଉତ୍ତରରେ କହିଥିଲେ- ଏହି ପୁରସ୍କାରର ଚୟନରେ ବିଭିନ୍ନ ପର୍ଯ୍ୟାୟରେ ଯେଉଁମାନେ ସଂପୃକ୍ତ, ସେମାନଙ୍କର ନାମ ସଂସଦଠାରୁ ଗୋପନ ରଖାନଯାଉ। ପୁରସ୍କାର ଘୋଷଣା ପରେ, ଏଣିକି ସେମାନଙ୍କର ନାମ ମଧ୍ୟ ଆଉ ଗୁପ୍ତ ନରହୁ।
ସଂସଦ ଗୃହରେ ମାନ୍ୟବର ଶିକ୍ଷାମନ୍ତ୍ରୀ ଦେଇଥିବା ସେହି ପରାମର୍ଶର ବିଚାର ଅକାଦେମିର କାର୍ଯ୍ୟନିର୍ବାହୀ କମିଟି ବୈଠକରେ ହୋଇଥିଲା। ବହୁ ସଦସ୍ୟ ମତ ଦେଇଥିଲେ ଯେ ପୁରସ୍କାର ଘୋଷଣା ହୋଇସାରିବା ପରେ, ସେମାନଙ୍କର ନାମ ଗୋପନ ରଖାଯିବାର ଆଉ କୌଣସି ଆବଶ୍ୟକତା ନାହିଁ। ବରଂ ତାହା ଘୋଷଣା ହେବାର ବ୍ୟବସ୍ଥା ରହିଲେ, ସେମାନେ ସତର୍କ ହେବେ ଯେ ସେମାନଙ୍କର ପ୍ରସ୍ତାବ ସାଧାରଣରେ ଆଲୋଚିତ ହେବ। ଲୋକେ ସେହି ଚୟନର ସ୍ୱଚ୍ଛତା-ଅସ୍ୱଚ୍ଛତାର ବିଚାର କରିବେ।
କିନ୍ତୁ ଅନ୍ୟ କେତେକ ସଦସ୍ୟ ମତ ଦେଇଥିଲେ ଯେ ତାହା ହେଲେ ସର୍ବସାଧାରଣରେ ସେମାନେ ସମାଲୋଚନାର ଶରବ୍ୟ ହେବେ। ତେଣୁ ସେମାନଙ୍କର ନାମକୁ ପୂର୍ବପରି ଗୋପନ ରଖାଯାଉ।
ଏହି ବିଭାଜିତ ମତ ପରିପ୍ରେକ୍ଷୀରେ, ଶେଷସୁଦ୍ଧା କିନ୍ତୁ ନିଷ୍ପତ୍ତି ହେଲା ଯେ ଚୂଡ଼ାନ୍ତ ଚୟନର ଦାୟିତ୍ୱରେ ଥିବା କାର୍ଯ୍ୟନିର୍ବାହୀ ପରିଷଦର ସଦସ୍ୟମାନଙ୍କର ନାମ ଗୋପନୀୟ ରହୁନଥିବାରୁ, ପୁରସ୍କାରପାଇଁ ପ୍ରସ୍ତାବ ଦେଉଥିବା ଉପଦେଷ୍ଟାମାନଙ୍କର ନାମ ଗୋପନ ରଖାଯାଉ।
ବସ୍ତୁତଃ ଏବେ ଏହାହିଁ ହେଉଛି। କାରଣ, ଚୂଡ଼ାନ୍ତ ପର୍ଯ୍ୟାୟର ଚୟନରେ ରହୁଥିବା ତିନିଜଣିଆ ଜୁରିଙ୍କର ନାମ ଘୋଷଣା କରାଯାଉଥିଲେ ମଧ୍ୟ, ମଧ୍ୟବର୍ତ୍ତୀ ରେଫରୀ ପର୍ଯ୍ୟାୟର ଦଶ ପ୍ରସ୍ତାବକାରୀଙ୍କ ନାମ ଗୋପନ ରଖାଯାଉଛି।
କିନ୍ତୁ ଉଦ୍‌ବେଗର ବିଷୟ ଯେ ପୁରସ୍କାର ଘୋଷଣା ସହିତ, ଚୂଡ଼ାନ୍ତ ଚୟନରେ ଥିବା ପୁସ୍ତକଗୁଡ଼ିକର ନାମ ତାଲିକା ପ୍ରକାଶ କରାଯିବାର ବିଧାନ ରହିଥିଲେ ବି ତାହା ପାଳନ କରାଯାଉ ନାହିଁ।
ଏହାର ସମ୍ଭାବ୍ୟ କାରଣ ଦୁଇଟି। ଏକ- ଚୂଡ଼ାନ୍ତ ଚୟନରେ ଥିବା ପୁସ୍ତକଗୁଡ଼ିକର ନାମ ଘୋଷଣା କରାଗଲେ, ସାଧାରଣରେ ସେ ନେଇ ଖୋଲା ଆଲୋଚନାର ଅବକାଶ ରହିବ। ହୁଏତ ପ୍ରଶ୍ନ ଉଠିବ- ଯେଉଁ ପୁସ୍ତକଟିକୁ ପୁରସ୍କାର ଦିଆଗଲା, ତା’ ଅପେକ୍ଷା ଅଧିକ ଯୋଗ୍ୟ ପୁସ୍ତକ ଥିଲେ ମଧ୍ୟ, ତାହାକୁ କାହିଁକି ପୁରସ୍କାର ଦିଆଗଲା ନାହିଁ? ଏବଂ ଦୁଇ- ବହୁଗୁଣରେ ଅଧିକ ଯୋଗ୍ୟ ପୁସ୍ତକ ଆମ ସାହିତ୍ୟରେ ଥିବାବେଳେ, ତାହା ଚୂଡ଼ାନ୍ତ ଚୟନକୁ ନଯାଇ ଏପରି କମ୍‍ଯୋଗ୍ୟ ବା ଅଯୋଗ୍ୟ ବହି କିପରି ଚୂଡ଼ାନ୍ତ ଚୟନକୁ ଗଲା?
ସମ୍ଭବତଃ ଏହି ଦୁଇ ଅପ୍ରୀତିକର ପ୍ରଶ୍ନର ସାମନା କରିବାକୁ ଅକାଦେମି କର୍ତ୍ତୃପକ୍ଷ ଏବଂ ଅକାଦେମି ଦ୍ୱାରା ନିଯୁକ୍ତ ରେଫରୀ ପର୍ଯ୍ୟାୟର ପ୍ରସ୍ତାବକାରୀମାନେ ପ୍ରସ୍ତୁତ ନୁହନ୍ତି। ତେଣୁ ଚୂଡ଼ାନ୍ତ ଚୟନରେ ଥିବା ପୁସ୍ତକଗୁଡ଼ିକର ନାମ ତାଲିକାକୁ ଆଜି ବି ଗୋପନୀୟ କରି ରଖାଯାଉଛି।
ଏହି ପରିପ୍ରେକ୍ଷୀରେ ପ୍ରଶ୍ନ- ଏଥର ସିନା ପ୍ରଫେସର ଦାସରଥି ଦାସ ତାଙ୍କ “ପ୍ରସଙ୍ଗ ପୁରୁଣା: ଭାବନା ନୂଆ’ପାଇଁ ପୁରସ୍କାର ପାଇଲେ- କିନ୍ତୁ ଚୂଡ଼ାନ୍ତ ଚୟନରେ ତାହାର ପ୍ରତିସ୍ପର୍ଦ୍ଧୀ ଭାବରେ ଆଉ କେଉଁସବୁ ବହି ରହିଥିଲା?
ଅକାଦେମି କର୍ତ୍ତୃପକ୍ଷ ତାଙ୍କ ଚିରାଚରିତ ଅଭ୍ୟାସ ଅବଲମ୍ୱନ କରି, ତାହା ପ୍ରକାଶ କରି ନାହାନ୍ତି। କିନ୍ତୁ ଆମ ପାଖରେ ଥିବା ତଥ୍ୟରୁ ଜଣାଯାଏ- ଏଥର ଏପରି କେତୋଟି ବହି ଚୂଡ଼ାନ୍ତ ଚୟନରେ ଥିଲା, ଯାହା ସାହିତ୍ୟପ୍ରେମୀଙ୍କୁ ନିଶ୍ଚିତ ଭାବରେ ବିସ୍ମିତ କରିବ।
ପୂର୍ବରୁ କୁହାଯାଇଛି ଯେ ସାହିତ୍ୟ ଅକାଦେମିର ପୁରସ୍କାର ଚୟନ ଚାରିଟି ପର୍ଯ୍ୟାୟରେ ହୁଏ। ପ୍ରଥମ- ଭିତ୍ତିତାଲିକା ପ୍ରସ୍ତୁତି, ଦ୍ୱିତୀୟ- ଭାଷା ଉପଦେଷ୍ଟା ମଣ୍ଡଳୀର ପ୍ରସ୍ତାବ, ତୃତୀୟ- ଦଶଜଣିଆ ରେଫରି ଏବଂ ଚତୁର୍ଥ- ତିନିଜଣିଆ ଜୁରିଙ୍କ ଦ୍ୱାରା ଚୂଡ଼ାନ୍ତ ଚୟନ। ଭିତ୍ତିତାଲିକା ପ୍ରସ୍ତୁତି ଏହାର ମୂଳ। ସାହିତ୍ୟ ଅକାଦେମି ଭାଷାରେ, ଏହା “ଗ୍ରାଉଣ୍ଡ¨ ଲିଷ୍ଟ’ ବା “ଆଧାର-ସୂଚୀ’।
ଅକାଦେମିର ପୁରସ୍କାର-ନିୟମ ଅନୁସାରେ, ଏଥିପାଇଁ ଦୁଇଟି ଭିତ୍ତିତାଲିକା ପ୍ରସ୍ତୁତ କରାଯାଏ ଏବଂ ଦୁଇଜଣ ବିଶେଷଜ୍ଞ ଏଥିପାଇଁ ନିଯୁକ୍ତ ହୁଅନ୍ତି। ପୂର୍ବରୁ ଏଥିପାଇଁ ଜଣେ ବିଶେଷଜ୍ଞ ନିଯୁକ୍ତ ହେଉଥିଲେ। କାରଣ, ୨୩ ଅଗଷ୍ଟ, ୨୦୦୫ରେ ଜାରି ହୋଇଥିବା ପୂର୍ବ ନିୟମ ଥିଲା- “ଜଣେ, କିମ୍ୱା ସଭାପତି ଅାବଶ୍ୟକ ମନେକଲେ ଦୁଇଜଣଙ୍କୁ ଏଥିପାଇଁ ନିଯୁକ୍ତ କରାଯିବ।” କିନ୍ତୁ୧୧ ମାର୍ଚ୍ଚ ୨୦୧୪ରେ ଜାରି ହୋଇଥିବା ନିୟମ ଅନୁସାରେ- “”ଦୁଇଜଣ ହିଁ ଏଥିପାଇଁ ନିଯୁକ୍ତ ହେବେ।”
ଯେହେତୁ ଏବେ ଦୁଇଜଣ ଭିତ୍ତିତାଲିକା ପ୍ରସ୍ତୁତ କରୁଛନ୍ତି, ସେହେତୁ, ପୂର୍ବ ତୁଳନାରେ ଏବେ ଭିତ୍ତିତାଲିକାରେ ପୁସ୍ତକ ସଂଖ୍ୟା ବଢ଼ୁଛି । ଉଦାହରଣ ସ୍ୱରୂପ, ଦୁଇଜଣଙ୍କ ଦ୍ୱାରା ପ୍ରସ୍ତୁତ ୨୦୧୮ ବର୍ଷର ପୁରସ୍କାରପାଇଁ ପ୍ରସ୍ତୁତ ଭିତ୍ତିତାଲିକାରେ ୩୦ଟି ବହି ରହିଥିବା ଜାଣିବାକୁ ମିଳିଛି। ସେଥିରୁ ଗଳ୍ପ ୮ଟି, କବିତା ୮ଟି, ପ୍ରବନ୍ଧ-ଆଲୋଚନା ୬ଟି, ଆତ୍ମଜୀବନୀ ୪ଟି, ଉପନ୍ୟାସ ୩ଟି ଏବଂ ନାଟକ ଗୋଟିଏ।
ସୂଚନା ଅନୁସାରେ, ସର୍ବାଧିକ ୮ଟି ଲେଖାଏଁ ପୁସ୍ତକ ଥିବାରୁ, ଏହି ଭିତ୍ତି ତାଲିକାରେ ଅର୍ଦ୍ଧାଧିକ ପୁସ୍ତକ କେବଳ ଗଳ୍ପ ଓ କବିତା ବିଭାଗର। ସେଥିମଧ୍ୟରୁ ଗଳ୍ପରେ ରହିଛି- ତରୁଣକାନ୍ତି ମିଶ୍ରଙ୍କ “ଭାସ୍ୱତୀ’, ଅଜୟ ସ୍ୱାଇଁଙ୍କ “ବାସି ହୋଇଲା ମୋ ଫୁଲଶେଯ’, ପରେଶ ପଟ୍ଟନାୟକଙ୍କ “ଅଗତାନୁଗତିକ’ ଓ “ଶ୍ରୀରାଧା ଓ ଅନ୍ୟମାନେ’, ସଦାନନ୍ଦ ତ୍ରିପାଠୀଙ୍କ “ଅନ୍ଧାରରେ ଦିନେ’ ଓ “ଝଡ଼ିପୋକର ଘର’, ଦେବବ୍ରତ ମଦନରାୟଙ୍କ “ବାଟଘର’ ଏବଂ ସହଦେବ ସାହୁଙ୍କ “ମ୍ୟାରେଜ୍‍ ଡଟ୍‍ କମ୍‍’। ଅର୍ଥାତ୍‍ ଏହି ତାଲିକାରେ ଛଅଜଣ ଗାଳ୍ପିକଙ୍କର ୮ଟି ବହି ରହିଛି । କିନ୍ତୁ ଏହା ସହିତ ଯଦି ଚୂଡ଼ାନ୍ତ ଚୟନରେ ଥିବା ପୁସ୍ତକକୁ ଆମେ ମିଳାଉ- ତେବେ ଦେଖାଯିବ ଯେ ଏଥିରୁ ମାତ୍ର ଗୋଟିଏ ବହି ହିଁ ଯାଇଛି ଚୂଡ଼ାନ୍ତ ଚୟନକୁ। ସେଇଟି ହେଉଛି ତରୁଣକାନ୍ତି ମିଶ୍ରଙ୍କ “ଭାସ୍ୱତୀ’।
ସେହିପରି କବିତାର ଭିତ୍ତିତାଲିକାର ୮ଟି ବହି ଭିତରେ ଅଛି- ହରିହର ମିଶ୍ରଙ୍କ “କୋଇଲି ତୁ ଚୁପ୍‍ ରହ’, ହୃଷୀକେଶ ମଲ୍ଲିକଙ୍କ “ଜେଜେ ଦେଖି ନଥିବା ଭାରତ’, ଅପର୍ଣ୍ଣା ମହାନ୍ତିଙ୍କ “ଯୋଗିନୀ ଗୀତ’, ଅମରେଶ ପଟ୍ଟନାୟକଙ୍କ “ଭୋଗ ମଣ୍ଡପ’, ଆଶୁତୋଷ ପରିଡ଼ାଙ୍କ “ଆକ୍ରାନ୍ତ ଅକ୍ଷର’, ଦିଲୀପ ଦାସଙ୍କ “ଉତ୍ତର ଫାଲ୍‍ଗୁନ’, ନିତ୍ୟାନନ୍ଦ ନାୟକଙ୍କ “ଯେଝା ଯେଝା ବାଟରେ’ ଓ ମମତା ଦାଶଙ୍କ “ଶୁଭ୍ରଧାରା’। କିନ୍ତୁ ଚୂଡ଼ାନ୍ତ ଚୟନରେ ଏହି ଆଠଟି କବିତା ପୁସ୍ତକ ମଧ୍ୟରୁ ରହିଛି ମାତ୍ର ଦୁଇଟି- ଅମରେଶ ପଟ୍ଟନାୟକଙ୍କ “ଭୋଗ ମଣ୍ଡପ’ ଓ ଆଶୁତୋଷ ପରିଡ଼ାଙ୍କ “ଆକ୍ରାନ୍ତ ଅକ୍ଷର’।
ଗଳ୍ପ ଓ କବିତାଠାରୁ ଆମେ ଯଦି ପ୍ରବନ୍ଧ-ଆଲୋଚନାକୁ ଆସିବା, ଦେଖିବା ଯେ ଭିତ୍ତି ତାଲିକାରେ ଥିବା ଛଅଟି ପୁସ୍ତକ ମଧ୍ୟରେ ରହିଛି- ଆଦିକନ୍ଦ ସାହୁଙ୍କ “ଆଧୁନିକତା ଓ ଆଧୁନିକ ସାହିତ୍ୟ’, ନିତ୍ୟାନନ୍ଦ ଶତପଥୀଙ୍କ “କାବ୍ୟଦୃଷ୍ଟି’, ପଞ୍ଚାନନ ମିଶ୍ରଙ୍କ “ସାହିତ୍ୟ ସମାଲୋଚନା’, କୃଷ୍ଣଚନ୍ଦ୍ର ପ୍ରଧାନଙ୍କ “ଓଡ଼ିଆ ଗଦ୍ୟ: ରୂପ ରୂପାନ୍ତର’, ସୌଦାମିନୀ ନନ୍ଦଙ୍କ “ଜଳ ଜ୍ୟୋତ୍ସ୍ନାର ମାୟା’ ଓ ଦାଶରଥି ଦାସଙ୍କ “ପ୍ରସଙ୍ଗ ପୁରୁଣା: ଭାବନା ନୂଆ’। କିନ୍ତୁ ଏଥିରୁ ଚୂଡ଼ାନ୍ତ ଚୟନକୁ ଯାଇଛି ମାତ୍ର ଦୁଇଟି। ଗୋଟିଏ- ଦାଶରଥି ଦାସଙ୍କ “ପ୍ରସଙ୍ଗ ପୁରୁଣା: ଭାବନା ନୂଆ’ ଓ ଅନ୍ୟଟି- କୃଷ୍ଣଚନ୍ଦ୍ର ପ୍ରଧାନଙ୍କ “ଓଡ଼ିଆ ଗଦ୍ୟ: ରୂପ ରୂପାନ୍ତର’।
ଗଳ୍ପ, କବିତା ଓ ପ୍ରବନ୍ଧ-ଆଲୋଚନା ପରେ ରହିଛି ଆତ୍ମଜୀବନୀ। ଏଥିରେ ଥିବା ଚାରିଟି ପୁସ୍ତକ ମଧ୍ୟରେ ଅଛି- ରତ୍ନାକର ଚଇନିଙ୍କ “ଜୀବନ କମାରଶାଳ’, ବୈଷ୍ଣବ ଚରଣ ସାମଲଙ୍କ “ଜଣେ ବଣା ବାଟୋଇର କାହାଣୀ’, ସଂଘମିତ୍ରା ମିଶ୍ରଙ୍କ “ସଦିଚ୍ଛାର ସହସ୍ରଧାରା’ ଓ କବିତା ବାରିକଙ୍କ “ନିଜ କଥା’। କିନ୍ତୁ ଏଥିରୁ ଚୂଡ଼ାନ୍ତ ଚୟନକୁ ଯାଇଛି ମାତ୍ର ଗୋଟିଏ- ବୈଷ୍ଣବ ଚରଣ ସାମଲଙ୍କ “ଜଣେ ବଣା ବାଟୋଇର କାହାଣୀ’।
ଗଳ୍ପ, କବିତା, ପ୍ରବନ୍ଧ-ଆଲୋଚନା ଓ ଆତ୍ମଜୀବନୀ ପରେ, ଅଛି ଉପନ୍ୟାସ। ଭିତ୍ତିତାଲିକାରେ ରହିଛି ଏ ବିଭାଗର ମାତ୍ର ତିନିଟି ପୁସ୍ତକ- ଯଶୋଧାରା ମିଶ୍ରଙ୍କ “ପକ୍ଷୀ ଜନ୍ମ’, ପଦ୍ମଜ ପାଳଙ୍କ “ପ୍ରତିସ୍ପର୍ଦ୍ଧା’ ଓ ମମତାମୟୀ ଚୌଧୁରୀଙ୍କ “ସରୀସୃପ’। କିନ୍ତୁ ଏଥିରୁ ଗୋଟିଏ ହେଲେ ପୁସ୍ତକ ଚୂଡ଼ାନ୍ତ ଚୟନକୁ ଯାଇନାହିଁ।
ଭିତ୍ତି ତାଲିକାରେ ସବା ଶେଷରେ ଅଛି ନାଟକଏବଂ ଉଲ୍ଲେଖନୀୟ ଯେ ଦୁଇ ଦୁଇ ଜଣ “ବିଜ୍ଞ’ ଓ “ବିଶେଷଜ୍ଞ’ ସତେ ଅବା ଦୟା ଦେଖାଇଲା ପରି, ଏଥିରେ ମାତ୍ର ଗୋଟିଏ ନାଟକକୁ ହିଁ ସ୍ଥାନ ଦେଇଛନ୍ତି। ଅର୍ଥାତ୍‍, ସେମାନଙ୍କ ମଧ୍ୟରୁ ଜଣେ ଗୋଟିଏ ନାଟକକୁ ସ୍ଥାନ ଦେବାବେଳେ, ଅନ୍ୟ ଜଣେ ଭିତ୍ତିତାଲିକା ପାଇଁ ୨୦୧୨ରୁ ୨୦୧୬ ପାଞ୍ଚବର୍ଷ ମଧ୍ୟରେ ଗୋଟିଏ ହେଲେ ଯୋଗ୍ୟ ନାଟକ ପାଇପାରି ନାହାନ୍ତି।
କିନ୍ତୁ, ଯେଉଁ ନାଟକଟି ସେହି ବିଜ୍ଞ ଓ ବିଶେଷଜ୍ଞଙ୍କ ତାଲିକାରେ ସ୍ଥାନପାଇଛି, ତାହା ବିସ୍ମୟଜନକ । ସେଇଟି ହେଉଛି- ନିବେଦିତା ଜେନାଙ୍କ “ମାମୁ’। ବିସ୍ମୟଜନକ ବିଷୟ ଏହି ଯେ ଏହା ଏକ ମୌଳିକ ନାଟକ ନୁହେଁ। ଫକୀରମୋହନ ସେନାପତିଙ୍କ “ମାମୁ’ ଉପନ୍ୟାସର ନାଟ୍ୟରୂପ। କେଉଁପରି ଭାବରେ ଭିତ୍ତିତାଲିକା ଦାୟିତ୍ୱରେ ଥିବା ବିଜ୍ଞ ଓ ବିଶେଷଜ୍ଞ ନିଜର ଦାୟିତ୍ୱ ସଂପାଦନ କରିଛନ୍ତି, ତାହା ଏଥିରୁ ସହଜ ଅନୁମେୟ।
କିନ୍ତୁ କଥା ଏତିକିରେ ସରୁନାହିଁ।
ଭିତ୍ତି ତାଲିକାରେ ଥିବା ପୁସ୍ତକ ମଧ୍ୟରୁ କେଉଁଗୁଡ଼ିକ ଚୂଡ଼ାନ୍ତ ଚୟନକୁ ଯାଇଛି, ତାହା ଉପରେ ସୂଚିତ ହୋଇଛି। ସଂକ୍ଷେପରେ ସୂଚନାଯୋଗ୍ୟ ଯେ ସେହି ଛଅଟି ପୁସ୍ତକ ହେଉଛି- “ଭାସ୍ୱତୀ’, “ଭୋଗମଣ୍ଡପ’, “ଆକ୍ରାନ୍ତ ଅକ୍ଷର’, “ପ୍ରସଙ୍ଗ ପୁରୁଣା: ଭାବନା ନୂଆ’, “ଓଡ଼ିଆଗଦ୍ୟ: ରୂପ ରୂପାନ୍ତର’ ଓ “ଜଣେ ବଣା ବାଟୋଇର କାହାଣୀ’। ଉଲ୍ଲେଖନୀୟ ଯେ ଚୂଡ଼ାନ୍ତ ଚୟନରେ ରହିଛି ମୋଟ ୧୦ଟି ବହି। ବାକି ଚାରିଟି ହେଉଛି- ଅଚ୍ୟୁତାନନ୍ଦ ପତିଙ୍କ ଗଳ୍ପ “ସିକ୍ତ ସୈକତ’, ପ୍ରଦୀପ ଦାଶଙ୍କ ଉପନ୍ୟାସ “ପେଟପାଟଣା’, ବିମଳ ଜେନାଙ୍କ କବିତା “ଆକାଶ ଭଲରେ ଥାଉ’ ଏବଂ ନୀତା ବହିଦାରଙ୍କ କବିତା “ଦ୍ୱିତୀୟ ପୃଥିବୀ’। ଭିତ୍ତି ତାଲିକାରେ ଏତେ ଏତେ ବରିଷ୍ଠ କବି ଥିବା ବେଳେ, ଏହି ମୂଳ ଓ ଚୂଳ ଚୟନର ମଝିରେ ଥିବା ଓଡ଼ିଆ ଉପଦେଷ୍ଟାମଣ୍ଡଳୀର ସଦସ୍ୟ ବା ତାଙ୍କ ଉପର ସ୍ତରର ଥିବା ଦଶଜଣିଆ ରେଫରି କେଉଁ ଆଧାରରେ ଏହି ଦୁଇ କବିଙ୍କ ପୁସ୍ତକକୁ ଚୂଡ଼ାନ୍ତ ପର୍ଯ୍ୟାୟକୁ ଚୟନ କଲେ, ତାହା ବିସ୍ମୟଜନକ। ଏଥିରୁ ପୁଣି “ଦ୍ୱିତୀୟ ପୃଥିବୀ’ ନୀତା ବହିଦାରଙ୍କର ପ୍ରଥମ ବହି ଏବଂ କବି ଭାବରେ ସେ ଆମ ସାହିତ୍ୟ ପରିସରରେ ପ୍ରାୟ ଅଜ୍ଞାତ।
ଏହା ଆଜି ଚର୍ଚ୍ଚାକୁ ଆସୁଛି- କାରଣ ଚୂଡ଼ାନ୍ତ ଚୟନରେ ଥିବା ପୁସ୍ତକର ସୂଚୀଟି କୌଣସିମତେ ଆମର ଗୋଚରକୁ ଆସିପାରିଛି। କିନ୍ତୁ ସବୁବର୍ଷର ପୁରସ୍କାରରେ ଏହା ହୁଏ ନାହିଁ। କାରଣ ପୁରସ୍କାର-ନିୟମାବଳୀରେ ନିର୍ଦ୍ଦିଷ୍ଟ ବିଧାନ ଥିଲେ ମଧ୍ୟ, ସାହିତ୍ୟ ଅକାଦେମି କର୍ତ୍ତୃପକ୍ଷ ସେହି ସୂଚୀଟିକୁ କେବେ ବି ସାର୍ବଜନୀନ କରନ୍ତି ନାହିଁ।
ଏଣୁ ଏବେ ଆମର ଦାବି- ପୁରସ୍କାରର ନିୟମ ଉଲ୍ଲଙ୍ଘନ କରାନଯାଉ। ଅତିକମରେ ଚୂଡ଼ାନ୍ତ ଚୟନରେ ରହୁଥିବା ପୁସ୍ତକର ସୂଚୀଟି ବି ପୁରସ୍କାର ଘୋଷଣା ସହ ପ୍ରକାଶ ପାଉ। “ଗୋପନୀୟତା’ର ସବୁ ଗଣ୍ଠି ଫିଟୁ! ତାହାହେଲେ ଯାଇ ଚୟନପ୍ରକ୍ରିୟାଟି ଚର୍ଚ୍ଚାକୁ ଆସିବ। ପୁରସ୍କାର-ମାର୍ଗର ଗଳିବାଟଗୁଡ଼ିକ ମୂଷା-ଦଉଡ଼କାରୀଙ୍କ ପାଇଁ ବନ୍ଦ ହେବ।
ଆଶା, ସାହିତ୍ୟ ଅକାଦେମି କର୍ତ୍ତୃପକ୍ଷ, ଆଗାମୀ ପୁରସ୍କାର ଘୋଷଣା ସହିତ ସେ ଚୂଡ଼ାନ୍ତ ସୂଚୀଟି ମଧ୍ୟ ପ୍ରକାଶ କରି ପୁରସ୍କାର-ଚୟନରେ କିଞ୍ଚିତ୍‍ ସ୍ୱଚ୍ଛତା ଆଣିବେ।

Share. Facebook Twitter LinkedIn Email WhatsApp Copy Link

Related Posts

ଭାରତକୁ ଶତ୍ରୁ ପରି ବ୍ୟବହାର କରିବା ରଣନୈତିକ ଭୁଲ’: ଟ୍ରମ୍ଫଙ୍କୁ ଭର୍ତ୍ସନା କଲେ ନିକି ହେଲି

August 21, 2025

ମହାରାଷ୍ଟ୍ର ରାଜନୀତିରେ ବଡ଼ ହଇଚଇ, ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସଙ୍କୁ ଭେଟିଲେ ରାଜ ଠାକରେ

August 21, 2025

ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପ୍ରଳମ୍ବାସୁର ବଧ ବେଶ

August 21, 2025

ଆଗତ ହେଲା ଗୁରୁତ୍ୱପୂର୍ଣ୍ଣ ବିଲ: ଅପରାଧିକ ମାମଲାରେ ପଦବୀ ଛାଡିବେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ

August 20, 2025
Latest News

ଏବେ OTTରେ ଧମାକା କରିବ କାଜୋଲଙ୍କ ଫିଲ୍ମ ‘ମା’, ଜାଣନ୍ତୁ କେବେ ଏବଂ କେଉଁଠି ଦେଖିପାରିବେ?

August 21, 2025

କ୍ୟାପିଟାଲ ରିଜନ ରିଙ୍ଗ ରୋଡ ମଞ୍ଜୁର କରାଯାଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ

August 21, 2025

ଦୁର୍ବଳ ହେଲା ସୃଷ୍ଟ ଲଘୁଚାପ: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବର୍ଷା ସମ୍ଭାବନା

August 21, 2025

ଭାରତକୁ ଶତ୍ରୁ ପରି ବ୍ୟବହାର କରିବା ରଣନୈତିକ ଭୁଲ’: ଟ୍ରମ୍ଫଙ୍କୁ ଭର୍ତ୍ସନା କଲେ ନିକି ହେଲି

August 21, 2025

ଉପରାଷ୍ଟ୍ରପତି ପଦ ପାଇଁ ନାମାଙ୍କନ ଦାଖଲ କଲେ ବି ସୁଦର୍ଶନ ରେଡ୍ଡୀ

August 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.