ଲୋକ ସଙ୍ଗୀତ ରେ ଭାରତୀୟ ଆତ୍ମା ସ୍ପନ୍ଦିତ ହେଉଥାଏ; ପଣ୍ଡିତ୍ ହରିପ୍ରସାଦ ଚୌରାଶିଆଙ୍କ ସହ ଏକ ଅନ୍ତରଙ୍ଗ ସାକ୍ଷାତକାର

Published: Dec 8, 2018, 7:30 pm IST

ଅନ୍ଧାର ଭିତରେ କେଉଁଠି ନିଖୋଜ ବୃନ୍ଦାବନର ଠିକଣା  । ବୃନ୍ଦାବନ ଯେଉଁଠି ଅହରହ ବାଜୁଥାଏ ବଂଶୀ  । ଯେଉଁଠି ଆତ୍ମା ନାଚୁଥାଏ ଉନ୍ମାଦିନୀ ଗୋପିକା ପରି  । ସେଠି  ଜୀବନର ଏକମାତ୍ର ପରିଚୟ ମୂର୍ଚ୍ଛନା  । ସେଠି ସବୁ ତପସ୍ୟାର ମୋକ୍ଷ ବିନ୍ଦୁ ସମାହିତ ଥାଏ ରାଗରେ  । ଅନନ୍ୟ ବଂଶୀର ଗୁରୁକୂଳ ବୃନ୍ଦାବନ  । ସେହି ବୃନ୍ଦାବନର ଅଧିଷ୍ଠାତା ଗୁରୁ ପଣ୍ଡିତ ହରିପ୍ରସାଦ ଚୌରାଶିଆ  । ଆମେ ଘାଟିକିଆ ଜଙ୍ଗଲର ଅଧା ଅନ୍ଧାର ଓ ଅଧା ଆଲୋକ ଭିତରେ ଖୋଜି ବୁଲୁଛୁ ବୃନ୍ଦାବନର ଠିକଣା  । ଭୁବନେଶ୍ୱରର ଉପକଣ୍ଠରେ  କେଇ ବର୍ଷ ତଳେ ପଣ୍ଡିତ ହରିପ୍ରସାଦ ଚୌରାଶିଆ ପ୍ରତିଷ୍ଠା କରିଛନ୍ତି ଏହି ଗୁରୁକୂଳ  । ଭାରତୀୟ ବଂଶୀ ବାଦନ ପରମ୍ପରାର ଶିଖର ପୁରୁଷ ତଥା ଭାରତୀୟ ସଙ୍ଗୀତ ଜଗତର ଅନନ୍ୟ ଜ୍ୟୋତିଷ୍କ ପଣ୍ଡିତ ହରିପ୍ରସାଦ ଚୌରାଶିଆଙ୍କ ସହ ସାକ୍ଷାତକାରକୁ ନେଇ ମନ ଭିତରେ ଯେତିକି ଉତ୍ତେଜନା, ସେତିକି ଆଗ୍ରହ  । ହେଲେ ଆମେ ବାଟବଣା  । ରାସ୍ତା ଧରି ଯେଉଁଠି ପହଞ୍ଚୁଛୁ, ସେଇଠି ଆଗକୁ କେବଳ ଅନ୍ଧାର  । କୌଣସି ଘର ଦିଶୁନାହିଁ  । ୮ଟା୩୦ରେ ଗୁରୁଜୀଙ୍କ ସହ ଆମର ଦେଖା ହେବାର ଥିଲା  । ସମୟ ଗଡ଼ି ଯାଉଛି  । ବୃନ୍ଦାବନର ଠିକଣା ମିଳୁନାହିଁ  । ଅନେକ ଭୁଲଭୁଲୈୟାରେ ଘୂରିଲା ପରେ ବୃନ୍ଦାବନର ଠିକଣା ମିଳିଲା  । ପଣ୍ଡିତଜୀ  ଆମକୁ ଅପେକ୍ଷା କରିଛନ୍ତି  । ବଡ଼ କଷ୍ଟ ଲାଗିଲା ଯାହାଙ୍କୁ ଶୁଣିବା ଲାଗି ଓ ଯାହାଙ୍କର ପାଦ ଛୁଇଁବା ଲାଗି  ହଜାର ହଜାର ହୃଦୟ ଉଦ୍ବେଳିତ, ତାଙ୍କୁ ଆମ ଲାଗି ଅପେକ୍ଷା କରିବାକୁ ପଡ଼ିଲା  । ହେଲେ ପଣ୍ଡିତଜୀ ତାଙ୍କର ଗଭୀର ଆତ୍ମୀୟତାରେ ଆମକୁ ପାଛୋଟି ନେଲେ  । ସେଇଠୁ ଆରମ୍ଭ ହେଲା ପ୍ରଶ୍ନୋତ୍ତର ର ପର୍ବ  ।

ଉପସ୍ଥାପନା : କେଦାର ମିଶ୍ର

 

ପ୍ରଶ୍ନ : ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତରେ  ଆପଣଙ୍କର କୌଣସି ପାରିବାରିକ ପରମ୍ପରା ନଥିଲା  । ଆପଣଙ୍କ ବାପା ଚାହୁଁଥିଲେ ଆପଣ କୁସ୍ତିରେ ସଫଳତା ପାଆନ୍ତୁ  । ହେଲେ, ଆପଣ ସଙ୍ଗୀତକୁ ନିଜ ଜୀବନ ଓ ଜୀବିକା ଭାବରେ ବାଛିଲେ  । ଏ ସମ୍ପର୍କରେ ଟିକେ ବିସ୍ତୃତ ଭାବରେ ସୂଚନା ଦେବେ କି ?

ପଣ୍ଡିତଜୀ- ଆପଣ ଠିକ୍ କହିଛନ୍ତି  । ବାପା ଥିଲେ କଡା ମିଜାଜର ଲୋକ  । ଆମ ପରିବାରରେ ସଙ୍ଗୀତର ସେମିତି କିଛି ପରମ୍ପରା ନଥିଲା  । ତେବେ ଆମର ଘରପାଖରେ ରହୁଥିବା ପଣ୍ଡିତ ଭୋଳାନାଥଙ୍କଠାରୁ  ମୁଁ ପ୍ରାରମ୍ଭିକ ଭାବରେ ବଂଶୀବାଦନ ଶିଖିଲି  । ଗାଇବା ଓ ବଂଶୀ ବଜାଇବା ଦୁଇଟା ଯାକ ଏକାସାଙ୍ଗରେ ଶିଖୁଥିଲି  । ସେଇଟା ପୁଣି ବାପାଙ୍କୁ ଲୁଚାଇ ଲୁଚାଇ  । ଟିକେ ବଡ଼ ହେଲା ପରେ ସଙ୍ଗୀତକୁ ନେଇ  ଆଗ୍ରହ ବଢିଲା, ସେତେବେଳେ ଅଲ୍ଇଣ୍ଡିଆ ରେଡ଼ିଓ କଟକରେ ଚାକିରି  ପାଇଁ ଦରଖାସ୍ତ ଦେଲି ଓ ପାଇଗଲି  । କଟକ ମୋ ସଙ୍ଗୀତ ଜୀବନରେ ଗୋଟେ ନୂଆ ମୋଡ଼ ଆଣିଦେଲା  । ସେତେବେଳେ କଟକରେ ଏକ ବିରାଟ ସାଂସ୍କୃତିକ ବିପ୍ଲବ ଚାଲିଥାଏ  । ନିମାଇଁ ହରିଚନ୍ଦନ, ସିଂହାରୀ ଶ୍ୟାମସୁନ୍ଦର କର, ବାଳକୃଷ୍ଣ ଦାସ, ପଣ୍ଡିତ ଭୁବନେଶ୍ୱର ମିଶ୍ର ପ୍ରମୁଖ ସଙ୍ଗୀତ କ୍ଷେତ୍ରରେ ଏକ ଚମତ୍କାର ପରିମଣ୍ଡଳ ସୃଷ୍ଟି କରିଥା’ନ୍ତି  । ସେତେବେଳେ ଷ୍ଟେସନ ଡାଇରେକ୍ଟର ଥାନ୍ତି ପି.ଭି. କୃଷ୍ଣମୂର୍ତ୍ତି  । ସେ ମହାଶୟ ମୋତେ ବହୁତ ଉତ୍ସାହିତ କରିଛନ୍ତି  । କଟକରେ ଆମେ ସେତେବେଳେ ବହୁତ ସଙ୍ଗୀତ ସମାରୋହରେ ଗୀତ ବାଦ୍ୟ କରିଛୁ  । ମୁଁ ଓଡ଼ିଶୀ ନୃତ୍ୟରେ ବହୁ ଶିଳ୍ପୀଙ୍କ ସାଙ୍ଗରେ ବଜାଇଛି  । ଗୋଟେ ସମୟ ଥିଲା, ଯେତେବେଳେ କେଉଁ ନୃତ୍ୟାଙ୍ଗନା ସାଙ୍ଗରେ ବଜାଇବି, ତାକୁ ନେଇ ଗୋଟେ ପ୍ରକାର ପ୍ରତିଯୋଗିତା ଚାଲିଲା  । ସଂଯୁକ୍ତା ପାଣିଗ୍ରାହୀ, କୁମ୍କୁମ୍ ମହାନ୍ତିଙ୍କ ପରି  ବହୁତ ବଡ଼ ନୃତ୍ୟାଙ୍ଗନାଙ୍କ ସାଙ୍ଗରେ ମୁଁ ସେତେବେଳେ ବଜାଇଛି  । ଭୁବନେଶ୍ୱର ବାବୁଙ୍କ ସଙ୍ଗେ ମିଶି କିଛି ସିନେମାରେ ମଧ୍ୟ ମ୍ୟୁଜିକ ମଧ୍ୟ କରିଛୁ  । କଟକ ଗୋଟେ ପ୍ରକାର ମୋ’ ଲାଗି ସଙ୍ଗୀତର ନୂଆ ଅଧ୍ୟାୟ ଖୋଲିଥିଲା  । ତା’ପରେ ମୋର ବଦଳି ହେଲା ବମ୍ବେକୁ  ।

ପ୍ରଶ୍ନ- କୁହାଯାଏ ବମ୍ବେରେ ଆପଣ ଅନ୍ନପୂର୍ଣ୍ଣା ଦେବୀଙ୍କଠାରୁ ସଙ୍ଗୀତ ଶିଖିବା ପରେ ଆପଣଙ୍କର ବାସ୍ତବ ଶାସ୍ତ୍ରୀୟ ପ୍ରତିଭା ଉନ୍ମୋଚିତ ହୋଇଥିଲା  । ଅନ୍ନପୂର୍ଣ୍ଣା ଦେବୀ କାହାକୁ ଶିଖାଇବାକୁ ଆଗ୍ରହୀ ନଥିଲେ  । କେବଳ ଆପଣଙ୍କ କ୍ଷେତ୍ରରେ ତା’ର ବ୍ୟତିକ୍ରମ ହୋଇଥିଲା ବୋଲି ଶୁଣାଯାଏ  । ଏ ସମ୍ପର୍କରେ ଆମକୁ କିଛି କୁହନ୍ତୁ ?

ପଣ୍ଡିତଜୀ- ବମ୍ବେ ଯିବା ପର୍ଯ୍ୟନ୍ତ ମୁଁ ବିଧିବଦ୍ଧ ଭାବରେ ସଙ୍ଗୀତର କଳାକୌଶଳ ଜାଣି ନଥିଲି  । ବଜଉଥିଲି, ସମସ୍ତେ କହୁଥିଲେ ବଢିଆ ବଜାଉଛି  । ବହୁତ ସଙ୍ଗୀତ ନିର୍ଦ୍ଦେଶକଂକ ସହିତ ବମ୍ବେରେ କାମ କରିଛି  । ତେବେ ବଂଶୀକୁ ନେଇ ଜଣେ ଏକକ ଶିଳ୍ପୀ ଭାବରେ ପରିଚୟ ତିଆରି କରିବାର ଆଗ୍ରହ ସେପର୍ଯ୍ୟନ୍ତ ମୋର ନଥିଲା  । ସେତେବେଳେ ମୋତେ ମୋର ଜଣେ ବନ୍ଧୁ କହିଥିଲେ ସଙ୍ଗୀତ ଶିଖିବା ଲାଗି  । କାହାପାଖରୁ ଶିଖିବି ? କେମିତି ଶିଖିବି ? ମୁଁ କିଛି ଜାଣୁନଥାଏ  । କେହି ଜଣେ କହିଲା, ଅନ୍ନପୂର୍ଣ୍ଣା ଦେବୀଙ୍କ ପାଖକୁ ଯିବା ପାଇଁ  । ଅନ୍ନପୂର୍ଣ୍ଣା ଦେବୀ କଡ଼ା ମିଜାଜର ଗୁରୁ  । ତାଙ୍କ ପାଖକୁ କେହି ଯିବାକୁ ସାହସ କରନ୍ତି ନାହିଁ  । ଅନେକ ଥର ଯାଇ ତାଙ୍କ ପାଖରୁ ଫେରିଛି  । ଶେଷରେ ମୋତେ ସେ ତାଙ୍କର ଶିଷ୍ୟ ଭାବରେ ଗ୍ରହଣ କଲେ  । ଆଜି ପର୍ଯ୍ୟନ୍ତ ସେ ମୋର ଗୁରୁ ଓ ମା’  । ତାଙ୍କର ପାଦ ତଳେ ବସି ଯାହା ଶିଖିଛି, ସେଇଟା ଆଜି ପର୍ଯ୍ୟନ୍ତ ମୋର ସମ୍ବଳ  । ତାଙ୍କ ପରି ସୁରବାହାର୍ ବଜାଇବା ଲୋକ ପୃଥିବୀରେ ବିରଳ  । ତାଙ୍କ ପାଖରୁ ମୁଁ ଶିଖିଲି ଗୁରୁ ଶିଷ୍ୟର ପରମ୍ପରା କ’ଣ ?  ଗୁରୁ ଶିଷ୍ୟଠାରୁ କିଛି ଆଶା କରେ ନାହିଁ  । ମୋର ଗୁରୁଙ୍କୁ ମୋ’ ଜୀବନରେ କିଛି ଦେଇନାହିଁ  । ତାଙ୍କଠୁ ଅନେକ କିଛି ପାଇଛି  । ଆଜି  ମୁଁ  ଯାହା ହେଇଛି, ତାହା ହେଉଛି ଗୁରୁଙ୍କର ଅବଦାନ  ।

ପ୍ରଶ୍ନ : ଯଦିଓ ଆପଣ ଶାସ୍ତ୍ରୀୟ ସଙ୍ଗୀତର ଜଣେ ଧୂରୀଣ ଶିଳ୍ପୀ ତଥାପି ଆପଣଙ୍କ ସଙ୍ଗୀତରେ ପଲ୍ଲୀ ପ୍ରତି ଗଭୀର ଆକର୍ଷଣ ଦୃଶ୍ୟମାନ ହୋଇଥାଏ ? ଅନେକ ସମୟରେ ଆପଣ ଲୋକସଙ୍ଗୀତକୁ ଯଥେଷ୍ଟ ମହତ୍ତ୍ୱ ଦେଇଥା’ନ୍ତି, ଏହାର କାରଣ କ’ଣ ?

ପଣ୍ଡିତଜୀ- ସେଇଟା ହିଁ ତ ଆମର ମୁଖ୍ୟ ସଙ୍ଗୀତ । ଆଗେ ମ୍ୟୁଜିକ କ’ଣ ଥିଲା  ! ଗାଁ ଗହଳିରେ ଲୋକେ ଚାଷବାସ କରି ଘରକୁ ଆସୁଥିଲେ  ।  ପରିବାର ଭିତରେ ଗୀତ ଗାଉଥିଲେ, ନାଚ କରୁଥିଲେ  । ଏହା ତ ହେଉଥିଲା  । ସେମାନେ କ’ଣ କ୍ଲାସିକାଲ୍ ବା ଗଜଲ୍ ଗାଉଥିଲେ କି ? କ’ଣ ଗାଉଥିଲେ ? ଗାଁ ଗହଳରେ ଲୋକସ୍ୱର ହିଁ ଥିଲା  ।  ସେଇଟା ହିଁ ଓରିଜିନ୍ ଅଫ ମ୍ୟୁଜିକ  । ସେଇଟା ଆଜି  ବଜାଇଲେ ଆଜିର ଆଧୁନିକ ଲୋକମାନେ ବି ଖୁସି ହେଉଛନ୍ତି  । ଲୋକସଙ୍ଗୀତ ହେଉଛି ମାନବିକତାର ସଙ୍ଗୀତ  । ସେଇଟା ଆମେ କାହିଁକି ଭୁଲିଯିବା  । ମୁଁ ଯେଉଁଠିକୁ ଯାଏ କ୍ଲାସିକାଲ୍ ବଜାଏ  । କ୍ଲାସିକାଲ୍ ଜାଣିଛି, କ୍ଲାସିକାଲ୍ ଶିଖିଛି , ତେଣୁ ବଜାଉଛି  । କିନ୍ତୁ ପଲ୍ଲୀଗୀତ ସମସ୍ତଙ୍କ ପାଖରେ ପହଂଚିଥାଏ । ଏପରିକି ଯେଉଁମାନେ ସଙ୍ଗୀତର ବ୍ୟାକରଣ ବୁଝୁନାହାନ୍ତି ସେମାନଙ୍କ ପାଖରେ ବହୁତ ଆଗ୍ରହ ଅଛି, ସେଇ ତରୁଣ ପିଲାମାନେ ମଧ୍ୟ ବସିକରି  ତାକୁ ଶୁଣୁଛନ୍ତି ଓ ଭଲପାଉଛନ୍ତି  ।

ପ୍ରଶ୍ନ- ବଲିଉଡ୍ ଫିଲ୍ମ ଗୁଡ଼ିକରେ ଆପଣ ପାଶ୍ଚାତ୍ୟ ଓ ପ୍ରାଚ୍ୟ ସଙ୍ଗୀତର ଫ୍ୟୁଜନ ପ୍ରସ୍ତୁତ କରିଥା’ନ୍ତି  । ଚାନ୍ଦିନୀ, ଲମହେ, ସିଲସିଲା ଇତ୍ୟାଦି ଚଳଚ୍ଚିତ୍ରରେ ଆପଣ ଏବଂ ଶିବକୁମାର ଶର୍ମାଙ୍କ ସଙ୍ଗୀତ ବଲିଉଡ୍ ସଙ୍ଗୀତକୁ ଗୋଟେ ନୂଆ ଧାରା ଦେଇଛି  । ଏ ସମ୍ପର୍କରେ ଟିକେ ବିସ୍ତୃତ ଭାବରେ କହିବେ କି ?

ସିନେମାରେ ଚରିତ୍ରର ଦାବି ଅନୁଯାୟୀ ଗୀତ କରାଯାଏ  । ‘ଚାନ୍ଦନୀ’ ସିନେମାରେ ‘ଓ ମାଇଁ ଚାନ୍ଦିନୀ…’ ଭଳିଆ ଗୀତ ଦରକାର ଥିଲା  । ଯେଉଁ ସ୍କ୍ରିପ୍ଟ ରେ ଯାହା ଦରକାର, ସେଇଟା କରିବା ସଙ୍ଗୀତ ନିର୍ଦ୍ଦେଶକ ଭାବରେ ଆମର ଦାୟିତ୍ୱ  । ସେଇଠି ଶ୍ରୀଦେବୀ ଥିଲେ, ତେଣୁ ନାଚ ଗୀତର ଆବଶ୍ୟକତା ଥିଲା, ସେହି ଚରିତ୍ରରେ ଯଦି ନିରୂପା ରାୟ ଥା’ନ୍ତେ, ତା’ହେଲେ ସଙ୍ଗୀତ ଅଲଗା ହୋଇଥା’ନ୍ତା  । ଯେମିତିକା ସ୍କ୍ରିପ୍ଟ୍ ଓ ଷ୍ଟୋରୀ ଡିମାଣ୍ଡ୍ କରିଛି  । ସେମିତି ସଙ୍ଗୀତ ମୁଁ କରିଛି  । ଧରନ୍ତୁ ଯେମିତି ମୋ ଶରୀର ଅଛି ସେମିତି ପୋଷାକ ମୁଁ ପିନ୍ଧିବି  । ମୁଁ ମୋଟା ଲୋକ, ପତଳା ଲୋକଙ୍କର ଲୁଗା କେମିତି ପିନ୍ଧିବି  । ପିନ୍ଧିଲେ ଅଜବ ଲାଗିବି ନାହିଁ କି ? ସେମିତି ପତଳା ଲୋକ ମୋଟା ଲୋକଙ୍କ ଲୁଗା ପିନ୍ଧିଲେ ଅଦ୍ଭୁତ ଦିଶିବ  । ସେହିଭଳି ସିନେମାରେ ଷ୍ଟୋରୀର କେଉଁ ମ୍ୟୁଜିକ ସୁଟ୍ କରିବା ସେଇଟା ଗୁରୁତ୍ୱପୂର୍ଣ୍ଣ ।  ଅମିତାଭ୍ ବଚ୍ଚନଙ୍କ ହୋରୀ ଗୀତ ଅଲଗା ପ୍ରକାର ହେଲା  ।  ରଙ୍ଗ  ବରସେ୍…. ସେଇ ଗୀତକୁ ଯଦି ପାଶ୍ଚାତ୍ୟ ଢଙ୍ଗରେ କରିଥା’ନ୍ତି, ସେଇଟା ଆଦୌ ଭଲ ଲାଗିନଥା’ନ୍ତା  ।  ହୋଲି ହେଉଛି ଭାରତର ଗୋଟେ ଗୁରୁତ୍ୱପୂର୍ଣ୍ଣ ଉତ୍ସବ  । ତା’କୁ ନେଇ ଅନେକ ସଙ୍ଗୀତ ଓ ନୃତ୍ୟର ପରମ୍ପରା ଆମର ରହିଛି  । ସେହି ଦେଶୀ ପରମ୍ପରାରୁ ଆଣି ଗୀତକୁ ତିଆରି କରାଗଲା  ।  ଆଜି ସେଇ ଗୀତଟା ଫେମଶ୍ ହୋଇଗଲା  । ସେହି ଗୀତ ନ ବାଜିଲେ ଆଜି  କେହି ଆଉ ହୋଲି ପାଳୁ ନାହାନ୍ତି  ।

ପ୍ରଶ୍ନ : ଆପଣ ଅମିତାଭ ବଚ୍ଚନଙ୍କୁ ଗୀତ ଗାଇବାକୁ କେମିତି ବାଛିଲେ ?

ପଣ୍ଡିତଜୀ- ସେ ନିଜେ କହିଲେ ମୁଁ ଗାଇବି,  ମୁଁ କହିଲି ହଉ  । ସେ ରାତି ୨ଟାରେ ଆସି ମେହେନତ୍ କରି ରିଆଜ୍ କଲେ  । ତାଙ୍କ ଗଳାକୁ ଗୀତଟି ସାଜିଲା  । ଗୀତଟି ଟପ୍ ହୋଇଗଲା  । ତା’ପରେ ତାଙ୍କ ପଛରେ ଲୋକ ପଡ଼ିଗଲେ ଗୀତ ଗାଇବା ପାଇଁ   । ତା’ପରେ  ଜିସ୍କି ବିୱି ଲମ୍ବି ଜିସ୍କି ବିୱି ମୋଟୀ …ଇତ୍ୟାଦି ବହୁ ଗୀତ ଗାଇଲେ  । କିନ୍ତୁ ଏହି ଗୀତଟି କ୍ଲାସିକ୍ ହୋଇ ରହିଗଲା  । ଆମ ପିଲାମାନେ ଓ ପିଲାମାନଙ୍କର ପିଲାମାନେ ମଧ୍ୟ ତାକୁ ଶୁଣିବେ  ।  “ରଙ୍ଗ୍ ବରଷେ୍” ସବୁ ହୋଲିରେ ରଙ୍ଗ ବରଷଉ ଥିବ  ।

ପ୍ରଶ୍ନ : ଅନ୍ୟ ସିନେମା ଗୀତ ଯଥା ଲମହେ, ସିଲସିଲା, ଚାନ୍ଦିନୀ, ଇତ୍ୟାଦି ବିଷୟରେ କିଛି କୁହନ୍ତୁ ?

କେତେଗୁଡ଼େ ସିନେମା ଆମେ କରିଛୁ  । ଯେମିତିକି  ସିଲସିଲା, ଫାସଲେ, ବିଜୟ, ଚାନ୍ଦିନୀ, ଲମହେ, ପରମ୍ପରା ….ଗୁଡାଏ ପିକଚର୍ ମୁଁ କରିଛି  । ତା’ପରେ ମୁଁ  ବଲିଉଡ୍ ମ୍ୟୁଜିକ୍ ଛାଡିଦେଲି  । ଦୁନିଆରେ ଅନେକ ଜିନିଷ ଅଛି କରିବାକୁ  । ଗୁରୁକୁଳ ଆମ ପରମ୍ପରାର ଗୋଟେ ଗୁରୁତ୍ୱପୂର୍ଣ୍ଣ ଅଂଶ  । ଆମେ ସେଇ ବିଷୟରେ ଶୁଣିଛୁ କିନ୍ତୁ କିଛି ଦେଖିନୁ  । ନିଜ ଘରେ ଗୁରୁ ଶିଷ୍ୟମାନଙ୍କ ସାଙ୍ଗରେ ରହୁଥିଲେ, ଶିଷ୍ୟମାନେ ଗୁରୁଙ୍କ ସେବା କରିବେ, ସଙ୍ଗୀତ ଶିଖିବେ, ସଂସ୍କୃତ ଶିଖିବେ  । ମୁଁ ଭାବିଲି ମୁଁ ସେମିତି ଗୋଟେ ଗୁରୁକୂଳ ତିଆରି କରିବି  । ଫିଲ୍ମ ଇଣ୍ଡ୍ରଷ୍ଟି ଛାଡ଼ି ଗୁରୁକୂଳ ଗଢିବାରେ ସମୟ ଦେଲି  । ଏବେ ମୁମ୍ବାଇରେ ଗୋଟେ ଗୁରୁକୂଳ ଅଛି, ଭୁବନେଶ୍ୱରେ ବି ଅଛି  ।

ପ୍ରଶ୍ନ : ଆପଣ ବେଳବେଳେ ମଜାରେ କୁହନ୍ତି ଯେ  କୃଷ୍ଣ ଭଗବାନଙ୍କର ଭଳିଆ ଆପଣ ବଂଶୀ ବଜାଇ ପାରିଲେ ନାହିଁ ?

ତାଙ୍କ ଭଳିଆ ମୁଁ କାହିଁକି କୌଣସି ମଣିଷ ବଜାଇ ପାରିବ ନାହିଁ  ।  ହରିପ୍ରସାଦ କେବେ ଶ୍ରୀକୃଷ୍ଣ ହୋଇପାରିବେନି  । ସେମିତି ଶ୍ରୀକୃଷ୍ଣ  ମଧ୍ୟ କେବେ ହରିପ୍ରସାଦ ହୋଇପାରିବେନି  । (ଏତକ କହି ଗୁରୁଜୀ ବେଶ୍ ମନଖୋଲା ହସ ହସିଥିଲେ  ।) ମୁଁ ଆପଣ ହୋଇପାରିବିନି କି ଆପଣ ବି ମୋ’ ଭଳିଆ ହୋଇପାରିବେ ନାହିଁ   ।  ଭଗବାନ ସମସ୍ତଙ୍କୁ ସୁନ୍ଦର କରିଛନ୍ତି  । ସାରା ପୃଥିବୀ ହେଉଛି ସୁନ୍ଦର  । କୃଷ୍ଣଙ୍କର ନାଁ ଶୁଣି  ହଜାର ହଜାର ଗୋପୀ ପାଗଳୀ ହେଉଥିଲେ, ମୀରା ବି ଥିଲେ, ରାଣୀମାନେ ବି ଥିଲେ  । ମୁଁ ଆଜ୍ଞା ଯଦି ସେଇଆ କରିବି, ତା’ହେଲେ ମୋତେ ଜେଲ୍ ଯିବାକୁ ପଡ଼ିବ  । ଯାହାହେଉ ଭଗବାନ କୃଷ୍ଣଙ୍କ ସମୟରେ କୋର୍ଟ କଚେରୀ ନଥିଲା  । (ନିଜ ରସିକତାରେ  ଆହୁରି ହସିଲେ ଗୁରୁଜୀ  । ) ଆପଣଙ୍କୁ ଆଉ ଗୋଟିଏ କଥା କହୁଛି  । ସଙ୍ଗୀତ ଖାଲି ମଣିଷମାନେ ଶୁଣନ୍ତି ନାହିଁ, ପଶୁପକ୍ଷୀ, କୀଟପତଙ୍ଗ ଓ ବୃକ୍ଷଲତାମାନେ ମଧ୍ୟ ସଙ୍ଗୀତ ଶୁଣନ୍ତି  ।  କାଲିଫୋର୍ଣ୍ଣିଆରେ ଏକ କ୍ୟାମ୍ପସରେ ୧୦୦ଟି ଗାଈ ଥିଲେ, ତା’ର ଯେ ତତ୍ତ୍ୱାବଧାରକ ସେ ସଙ୍ଗୀତକୁ ନେଇ ଗାଈମାନଙ୍କ ସହ ଏକ୍ସପରିମେଣ୍ଟ୍ କଲେ  । ସଙ୍ଗୀତ ବାଜୁଥିବା ପର୍ଯ୍ୟନ୍ତ ଗାଈ ମନଯୋଗ ସହକାରେ କ୍ଷୀର ଦେଉଥାଏ, ସଙ୍ଗୀତ ବନ୍ଦ ହୋଇଗଲେ ଗାଈର କ୍ଷୀର ଦେବା ବନ୍ଦ ହୋଇଯାଏ  ।  ସେହିସକାଶେ ଗାଈକୁ ମ୍ୟୁଜିକ୍ ଶୁଣାଇଲେ  । ଯେଉଁ ଗାଈ ୨ ଲିଟର କ୍ଷୀର ଦେଉଥିଲା, ସେ ୧୦ ଲିଟର କ୍ଷୀର ଦେଲା ଏବଂ ସେ କ୍ଷୀରର ସ୍ୱାଦ ମଧ୍ୟ ଅଲଗା  ।  ମୁଁ ମୋର ନିଜ ଗୁରୁକୂଳରେ ଗଛଲତାଙ୍କ ସହ ସଙ୍ଗୀତର ସମ୍ପର୍କକୁ ଅନୁଭବ କରିଛି  । ବମ୍ବେରେ ବଗିଚା କରିବାକୁ ଜାଗା ନାହିଁ  । ଅଳ୍ପ ଟିକେ ମାଟିରେ ଏତେ ବଡ଼ ବଡ଼ ଗଛ କେମିତି ହେଲା  । ଆମ ଗୁରୁକୂଳରେ ବେଶ୍ ମୋଟା ମୋଟା ଗଛ  । ଆପଣ ନିଜେ ଦେଖିଲେ କହିବେ ଏସବୁ  ହେଲା କେମିତି  । ଗଛଲତା ବି ବେଶ୍ ଭଲ ସଙ୍ଗୀତ ଶୁଣିପାରନ୍ତି  ।

ପ୍ରଶ୍ନ : ଆପଣ ଏତେ ଜାଗା ବୁଲିଛନ୍ତି, ଏତେ ଜାଗାରେ ସଂଗୀତ ସହ ଆପଣଙ୍କର ସମ୍ପର୍କ ରହିଛି  । ସବୁ ରାଜ୍ୟର ସବୁ ଜାଗାର  ସଂଗୀତ ସହିତ ଆପଣଙ୍କର ସମ୍ପର୍କ ରହିଛି  । ଆପଣଙ୍କର ସବୁଠୁ କେଉଁ ଜାଗାରେ ସଂଗୀତ ଅଧିକ ପସନ୍ଦ ?

ଭାରତର ଯେତେ ପ୍ରକାର ସଙ୍ଗୀତ ଅଛି ସେତେ ବିବିଧତା ଆଉ କେଉଁଠି ନାହିଁ  । ବଂଶୀ ହେଉଛି ଭାରତର  । ବଂଶୀ କେଉଁଠି ମିଳିବ ନାହିଁ  । ବାଉଁଶ ଗଛ ନାହିଁ  । ସେମାନେ କ’ଣ କରିଥା’ନ୍ତି ଷ୍ଟିଲ୍, ସିଲିଭର୍, ଗୋଲ୍ଡ ନେଇ କରନ୍ତି କିନ୍ତୁ ବାମ୍ବୋ ନେଇ ନୁହେଁ  । ମୁଁ ଦେଖିଲି ଆମ ସଂଗୀତର  ଯେଉଁ ମୂଲ୍ୟ  ବାହାରେ ଅଛି, ତାହା ଅନ୍ୟ କାହାର ନାହିଁ  । ସେଇ ସଂଗୀତ ସେମାନଙ୍କୁ ଏତେ ଆକର୍ଷିତ  କଲା, ସେମାନେ ଆସି କରି ଆମ ଠୁ ଶିଖିଲେ।   ଦେଖନ୍ତୁ ମୋ ଗୁରୁକୂଳରେ ଦୁନିଆର ଏତେ ଲୋକ, ଏଇଠି ସେ ଆସି ରହିବାକୁ ଚାହୁଁଛନ୍ତି, ତଳେ ବସି କଣ୍ଟା ଚାମୁଚ ଫୋପାଡ଼ି ହାତରେ ଖାଉଛନ୍ତି  ।  ସଂଗୀତସକାଶେ ସେମାନେ ସବୁ ଛାଡ଼ିଦେଇଛନ୍ତି  ।

ପ୍ରଶ୍ନ : ଶେଷ ପ୍ର୍ରଶ୍ନ ପଚାରିବି  । ଆପଣ ଓଡ଼ିଶାରେ ବାହା ହେଲେ, ଆପଣ ଓଡ଼ିଶାରୁ ବୋହୂ ନେଇଛନ୍ତି  ଏବଂ ଏବେ ଓଡ଼ିଶାରେ ରହୁଛନ୍ତି   । ସେହି ଦୃଷ୍ଟିରୁ ଓଡ଼ିଶୀ ସଙ୍ଗୀତକୁ ପରବର୍ତ୍ତୀ ସମୟରେ ନୂଆକରି ଗଢିବାରେ ଆପଣଙ୍କର ବହୁତ ବଡ ଅବଦାନ ସମସ୍ତେ ଆଶା କରୁଛନ୍ତି  । ଏ ସମ୍ପର୍କରେ ଆପଣ କ’ଣ କହିବେ ?

ଆଶା ତ ବହୁତ କରୁଛନ୍ତି, ହେଲେ ସୁବିଧା କ’ଣ କରୁଛନ୍ତି ? ସୁବିଧା ନ ଦେଲେ କେମିତି କରିବି  ।  କେମିତି ଆସିବି, ସରକାର କିଛି ସାହାଯ୍ୟ କରୁନାହାନ୍ତି  । ମୋ ଗୁରୁକୂଳରେ ସବୁ ଛାତ୍ର ମାଗଣାରେ ରୁହନ୍ତି, ଗୁରୁକୂଳର ପରମ୍ପରା ସେଇଆ  । ପଇସା ନେଇ ଶିକ୍ଷାଦାନ କରିବାର କୌଣସି ଅର୍ଥ ନାହିଁ  । ମୋ ପାଇଁ  ପିଲାଙ୍କୁ ତାଲିମ୍ ଦେବା ହେଉଛି ଗୋଟେ ପ୍ରକାର ସାଧନା  । ତେବେ ଗୁରୁକୂଳକୁ ଚଳାଇବା ଲାଗି ଅନେକ କିଛି ଆବଶ୍ୟକତା ରହିଛି  । ଶିକ୍ଷକମାନଙ୍କୁ ଦରମା ଦେବାକୁ ପଡ଼ିବ, ଜିନିଷପତ୍ର କିଣିବାକୁ ପଡ଼ିବ  । ସଙ୍ଗୀତର ଆସବାବପତ୍ର ରହିବ  । ସେସବୁ ଆସିବ କେଉଁଠୁ ? ବମ୍ବେରୁ ମୁଁ ନିୟମିତ ଆସିବି କେମିତି ? ମୁଁ ଏକଥା ମଧ୍ୟ କହୁନାହିଁ ଯେ ସରକାର ସବୁ କରିବେ  ।  ସରକାର ଜାଗା ଦେଇଛନ୍ତି  । କିନ୍ତୁ ମୁଁ ଘର କରିଛି  । ତେବେ ସମାଜରେ ଯେଉଁମାନେ ଧନୀ ଓ ବଡ଼ କମ୍ପାନୀ ସବୁ ଅଛନ୍ତି, ସେମାନଙ୍କର ଆମ ସଂସ୍କୃତି ପ୍ରତି କିଛି ଦାୟିତ୍ୱବୋଧ ରହିବା ମଧ୍ୟ ଦରକାର  ।

Related posts