ସମୀକ୍ଷା ବ୍ୟୁରୋ
ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଦ୍ୱିତୀୟ ସଂଧ୍ୟାରେ ବଂଶୀ, ମାଣ୍ଡୋଲିନ ଓ ବେହେଲାର ସମିଶ୍ରଣ ସହିତ ସୁରଭି ଓ ଓଡ଼ିଶା ଡ୍ୟାନ୍ସ ଏକାଡ଼େମୀ଼ ଦ୍ୱାରା ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା । ସନ୍ଧ୍ୟାର ପ୍ରଥମ ପ୍ରସ୍ତୁତିରେ ଶାସ୍ତ୍ରୀୟ ସଙ୍ଗୀତ ବାଦନର ମିଶ୍ରଣ ଦେଖିବାକୁ ମିଳିଥିଲା । ପାରସ ନାଥଙ୍କ ଦ୍ୱାରା ବଂଶୀ, ୟୁ.ରାଜେସଙ୍କ ଦ୍ୱାରା ମାଣ୍ଡୋଲିନ ଓ ଦୀପକ ପଣ୍ଡିତଙ୍କ ଦ୍ୱାରା ବେହେଲା ବାଦନର କାର୍ଯ୍ୟକ୍ରମ ହୋଇଥିଲା । ସେମାନେ ପ୍ରଥମେ ରାଗ ଭୀମପଲାଶି ଓ ତାଳ ତିନତାଲ ଉପରେ ଯନ୍ତ୍ରସଙ୍ଗୀତ ପରିବେଷଣ କରିଥିଲେ । ସେମାନଙ୍କର ପ୍ରସ୍ତୁତିରେ ବିଭିନ୍ନ ରାଗ, ତାଳ ଓ ଲୟର ସମିଶ୍ରଣ ରହିଥିଲା । ହିନ୍ଦୁସ୍ଥାନୀ ଓ କର୍ଣ୍ଣାଟକୀ ଶାସ୍ତ୍ରୀୟ ସଙ୍ଗୀତର ଏକ ସମନ୍ୱୟ ଦେଖିବାକୁ ମିଳିଥିଲା ସେମାନଙ୍କ ବାଦନରେ । ସେମାନଙ୍କର ବାଦନର ଶୈଳୀ ଓ ସର୍ଜନାତ୍ମକ ଅଭିବ୍ୟକ୍ତି ଉପସ୍ଥିତ ଦର୍ଶକମାନଙ୍କୁ ବିମୋହିତ କରିଥିଲା । ସେମାନଙ୍କୁ ତବଲାରେ ସହଯୋଗ କରିଥିଲେ ପ୍ରଶାନ୍ତ ସୋନାଗ୍ରା ।
ଦ୍ୱିତୀୟ କାର୍ଯ୍ୟକ୍ରମରେ ଗୁରୁ ପିତାମ୍ବର ବିଶ୍ୱାଳଙ୍କ ସୁରଭି ଅନୁଷ୍ଠାନର କଳାକାରମାନଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ ପରିବେଶଣ ହୋଇଥିଲା । ସେମାନଙ୍କ ପ୍ରସ୍ତୁତିରେ ରହିଥିଲା “ସୂର୍ଯ୍ୟାଷ୍ଟକମ‘ । ଉକ୍ତ ପରିବେଷଣଟିର ନୃତ୍ୟ ସଂରଚନା କରିଥିଲେ ଗୁରୁ ଦୂର୍ଗା ଚରଣ ରଣବୀର, ସଙ୍ଗୀତ ସଂଯୋଜନା କରିଥିଲେ ଗୁରୁ ରାମହରି ଦାସ, ତାଳ ସଂଯୋଜନା କରିଥିଲେ ନିରଞ୍ଜନ ପାତ୍ର ଏବଂ ଦଳଗତ ନୃତ୍ୟଟିକୁ ପରିବେଷଣରେ ସାହାଯ୍ୟ କରିଥିଲେ ଗୁରୁ ପିତାମ୍ବର ବିଶ୍ୱାଳ ।
ସଂଧ୍ୟାର ଅନ୍ତିମ ପ୍ରସ୍ତୁତିରେ ରହି ଥିଲା ଗୁରୁ ଅରୁଣା ମହାନ୍ତିଙ୍କ ଓଡ଼ିଶା ଡ୍ୟାନ୍ସ ଏକାଡ଼େମୀ଼ର କଳାକାରମାନଙ୍କଦ୍ୱାରା ଦଳଗତ ଓଡ଼ିଶୀ ନୃତ୍ୟ କାର୍ଯ୍ୟକ୍ରମ । ସେମାନଙ୍କର ପ୍ରସ୍ତୁତିରେ ଥିଲା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ଓଡ଼ିଶୀ ନୃତ୍ୟାଭିନୟ “ଅହିଂସା‘‘ । ଅହିଂସା ହେଉଛି ଗାନ୍ଧୀଜୀଙ୍କ ମୂଳମନ୍ତ୍ର ଯାହାକୁ ଆଧାର କରି ସେ ଭାରତକୁ ଇଂରେଜମାନଙ୍କ କବଳରୁ ସ୍ୱାଧୀନ କରିଥିଲେ । ଗାନ୍ଧୀଜୀ କୌଣସି ରାଜନୈତିକ ଦୃଷ୍ଟିକୋଣରେ ଭାରତକୁ ଦେଖି ନଥିଲେ ସେ ସଦାସର୍ବଦା ଭାରତର ଉନ୍ନତି, ଶାନ୍ତି ଓ ପ୍ରେମ ସହିତ ଓତଃପ୍ରତୋଃ ଭାବରେ ଜଡ଼ିତ ଥିଲେ । ଉକ୍ତ ଦେଶାତ୍ମବୋଧକ ପ୍ରସ୍ତୁତିଟିକୁ ଓଡ଼ିଶୀ ନୃତ୍ୟ ମାଧ୍ୟମରେ ଦର୍ଶକମାନଙ୍କ ସାମ୍ନାକୁ ଆଣିଥିଲେ ଗୁରୁ ଅରୁଣା ମହାନ୍ତି, ଯାହାର ରଚନା ପ୍ରସ୍ତୁତ କରିଥିଲେ କେଦାର ମିଶ୍ର ଓ ସଙ୍ଗୀତ ସଂଯୋଜନା କରିଥିଲେ ଗୁରୁ ରାମହରି ଦାସ । ଏକ ଦେଶାତ୍ମବୋଧକ ସଙ୍ଗୀତ ଓ ନୃତ୍ୟ ଭିତ୍ତିକ ପରିବେଷଣକୁ ଦର୍ଶକ ଶେଷ ପର୍ଯ୍ୟନ୍ତ ପ୍ରେକ୍ଷାଳୟରେ ଉପସ୍ଥିତ ରହି ଉପଭୋଗ କରିଥିଲେ ।
ଦ୍ବିତୀୟ ଦିନର ଉତ୍ସବର ଅତିଥି ଥିଲେ ଓରିସା ପୋଷ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀମତୀ ଆଦ୍ୟାଶା ଶତପଥୀ ଏବଂ ସୃଜନର ନିର୍ଦ୍ଦେଶକ ରତିକାନ୍ତ ମହାପାତ୍ର । କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଡ଼ଃ ଶ୍ରୀନିବାସ ଘଟୁଆରୀ ।