Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଜୀବନ ପାତ୍ର ଭରି ଯାଇଛି ମା, ଏବେ ବିଦାୟ ଦେବାର ବେଳା, ବିଦାୟ ସୁରର ମହାନନ୍ଦା ସୁନନ୍ଦା
ବିଶେଷ ଖବର

ଜୀବନ ପାତ୍ର ଭରି ଯାଇଛି ମା, ଏବେ ବିଦାୟ ଦେବାର ବେଳା, ବିଦାୟ ସୁରର ମହାନନ୍ଦା ସୁନନ୍ଦା

January 19, 2020No Comments5 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

“ସୁର ହେଉଛି ଜୀବନରେ ଟୋକା! ତାକୁ ଗାଇଦେଲେ ହୁଏନି, ତାକୁ ବଞ୍ଚିବାକୁ ପଡେ’’- ପ୍ରାୟ ଦଶବର୍ଷ ତଳେ ତାଙ୍କର ଏକ ସାକ୍ଷାତ୍କାର ନେଲାବେଳେ ଏଇ ଧାଡିକ ମୋ ମନରେ ଛପା ହୋଇ ରହିଯାଇଛି। ତାଙ୍କ ଗୀତ, ସ୍ଵୟଂ ସରସ୍ଵତୀର ଶୁଦ୍ଧ ପ୍ରବାହ। ତେଣୁ ତାଙ୍କୁ ସଙ୍ଗୀତ ବିଷୟରେ କଣ ବା ପଚାରିଥାନ୍ତି। ହେଲେ, ତାଙ୍କୁ କିଛି ପଚାରିବାକୁ ପଡେନି। ଆପେ ଆପେ ସେ କହି ଯାଆନ୍ତି। ଯେତେ ତାଙ୍କର ଭାବ-ଅଭାବ, ରାଗ,ରୁଶା,ଅଭିମାନକୁ ଅଜାଡି ଦିଅନ୍ତି। ହଁ, ତାଙ୍କର ସଦାବେଳେ ଗୋଟେ ଅଭିମାନ ଥିଲା ଓଡିଶା ଉପରେ, ଓଡିଆଙ୍କ ଉପରେ। ଘରର ସବୁଠୁ ପ୍ରତିଭାଶାଳୀ ଝିଅଟିକୁ ଅଣଦେଖା କଲେ, ଯେଉଁ ଅଭିମାନ ସେ ଅଭିମାନ ତାଙ୍କର ଥିଲା। ବେଳେ ବେଳେ ରାଗିକି କହିବେ- ଯାଃ ମ, ତମେ ସବୁ କେଉଁ ସଙ୍ଗୀତ ଶୁଣ ବା ବୁଝ। ସେ ଅଭିମାନ ପ୍ରବଳ ଭଲ ପାଇବାରୁ ଆସୁଥିଲା। ନା କି କ୍ରୋଧ ବା ପ୍ରତ୍ୟାଖ୍ୟାନରୁ। ସାରା ଜୀବନ ତାଙ୍କର ବିତିଲା କଲିକତାରେ। ଅଥଚ ସବୁବେଳେ ଅଭିମାନିନୀ ଓଡିଆ ଝିଅ ସେ। ଅଦ୍ଭୁତ ଭଲପାଇବା ଥିଲା ନିଜ ମାଟି ଓ ମଣିଷ ପାଇଁ। ଓଡିଆ ଭାଷାରେ ତାଙ୍କର ଯେଉଁ ଶୁଦ୍ଧ ସାଙ୍ଗୀତିକ ଉଚ୍ଚାରଣ, ତାହା ତ ଏକ ଇତିହାସ।

ସେ ସୁନନ୍ଦା। ସୁରର ମହାନନ୍ଦା ସୁନନ୍ଦା ପଟ୍ଟନାୟକ। (୭,ନଭେମ୍ବର,୧୯୩୪-୧୯,ଜାନୁଆରୀ,୨୦୨୦, ଜନ୍ମସ୍ଥାନ-ପୁରୀ) କବି ବୈକୁଣ୍ଠନାଥ ପଟ୍ଟନାୟକଙ୍କର ସେ ଝିଅ। ବାପା ଓ ଝିଅ, କିଏ କାହା ଲାଗି ପ୍ରସିଦ୍ଧ କହିବା ମୁସ୍କିଲ। ସୁନନ୍ଦାଙ୍କ କଣ୍ଠରେ କବି ବୈକୁଣ୍ଠନାଥଙ୍କର “ଜୀବନ ପାତ୍ର ମୋ ଭରିଛ କେତେ ମତେ” କବିତା ଅମୃତ ପାଲଟି ଯାଇଛି। ସେ କବିତା ଜୀବନର ମହାରାଗିଣୀ ପାଲଟି ଯାଇଛି ପ୍ରତିଟି ସଂବେଦନଶୀଳ ଓଡିଆ ପାଇଁ। ଥରେ ତାଙ୍କୁ କହିଥିଲି- ଜୀବନପାତ୍ର ର ବିକଳ୍ପ ନାହିଁ ମାଉସୀ। ଚିଡି ଉଠି କହିଲେ- “ହଇରେ ଟୋକା, ମୁଁ କଣ ଖାଲି ସେ ଜୀବନ ପାତ୍ର ଗାଇଛି। ତମେ ସବୁ ସେଇ ଗୋଟେ ଗୀତରେ ସୁନନ୍ଦା ପଟ୍ଟନାୟକକୁ ଦେଖୁଛ” । ନିରାଟ ସତକଥା। ତାଙ୍କର ବିଶାଳ ସଙ୍ଗୀତ ଭଣ୍ଡାରରେ “ଜୀବନ ପାତ୍ର” ସୁଗମ ସଙ୍ଗୀତ ଟିଏ ମାତ୍ର। ତାଙ୍କ କଣ୍ଠରେ “ଯୌନପୁରୀ ତରାନା’’ ବା “ରାଗ ରାମକଲି” , ତାଙ୍କ ନିଜସ୍ଵ ସୃଷ୍ଟ “ରାଗ ନୀଳମାଧବ’ ଅବା “ସୁବର୍ଣ୍ଣମୁଖୀ”, ତାକୁ ଆମେ ବା ଶୁଣିଲୁ କେବେ?

ସଙ୍ଗୀତ ସିନ୍ଧୁରେ ପ୍ରବାହମାନ ଏକ ଧାରା 

ସୁନନ୍ଦା ପଟ୍ଟନାୟକ ସଙ୍ଗୀତ ବ୍ୟତୀତ ଜୀବନରେ ଆଉ କିଛି ଜାଣି ନଥିଲେ। ଜେଜେବାପା ଓ ବାପା ଚାହୁଁଥିଲେ, ସେ ଭଲ ପାଠ ପଢନ୍ତୁ। ସୁନନ୍ଦା କିନ୍ତୁ ଗୀତ ବାୟାଣୀ। ପ୍ରଥମ ସଙ୍ଗୀତ ଶିକ୍ଷା କୁଣ୍ଡଳ ଆଦି ନାରାୟଣଙ୍କ ପାଖରୁ। ବଡ ଅଦ୍ଭୁତ କଳାକାର କୁଣ୍ଡଳ ଆଦି ନାରାୟଣ। ଓଡିଶାର ସବୁ ମହାନ ସଙ୍ଗୀତଜ୍ଞଙ୍କର ଆଦି ଗୁରୁ ସେ। ଅଥଚ ତାଙ୍କୁ ଆଜି କେହି ବି ଜାଣନ୍ତି ନାହିଁ। ୧୯୫୨ରେ ଭାରତର ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ ସୁନନ୍ଦାଙ୍କ ଗୀତ ଶୁଣି ମୁଗ୍ଧ ହୁଅନ୍ତି ଆଉ ସଙ୍ଗୀତରେ ଉଚ୍ଚ ଶିକ୍ଷା ଲାଗି ବୃତ୍ତି ପାଇ ସେ ଯାଆନ୍ତି ପୁନା। ୧୯୫୨ରେ ସଙ୍ଗୀତ ପାଇଁ ସୁନନ୍ଦା ପଟ୍ଟନାୟକ ଓ ନୃତ୍ୟ ପାଇଁ ମିନତି ମିଶ୍ରଙ୍କୁ ରାଜ୍ୟପାଳ ବୃତ୍ତି ମିଳିଥିଲା। ସୁନନ୍ଦା ଗଲେ ବିନାୟକ ପଟ୍ଟବର୍ଦ୍ଧନଙ୍କ ଠାରୁ ସଙ୍ଗୀତ ଶିଖିବାକୁ ପୁନା ଓ ମିନତି ଗଲେ କଳାକ୍ଷେତ୍ର, ମାଡ୍ରାସ। ସଂଯୋଗ ଦେଖନ୍ତୁ, ଦୁଇ ସଖୀ ହାତ ଧରାଧରି ହୋଇ ଏକା ସାଙ୍ଗରେ ଚାଲିଗଲେ ଏଇ ପନ୍ଦର ଦିନର ବ୍ୟବଧାନରେ।

ଗୁରୁ ବିନାୟକ ପଟ୍ଟବର୍ଦ୍ଧନ ଥିଲେ ଗ୍ଵାଲିଆର ଘରାନାର ତୁଙ୍ଗ ଶିଳ୍ପୀ। ଭାରତୀୟ ସଙ୍ଗୀତ ପରମ୍ପରାର ସବୁଠୁ ସମୃଦ୍ଧ ଘରାନାର ଶିଷ୍ୟା ଭାବରେ ସୁନନ୍ଦାଙ୍କର ତାଲିମ ଓ ରିୟାଜ ଆରମ୍ଭ ହୋଇଥିଲା। ବିଶୁଦ୍ଧ ଧ୍ରୁପଦୀୟ ଅଙ୍ଗ ସହିତ ନୂଆ ରାଗର ଆବିଷ୍କାର ଏହି ଘରାନାର ସବୁଠୁ ବଡ ଅବଦାନ। ଓମକାର ନାଥ ଠାକୁର, କୁମାର ଗନ୍ଧର୍ବଙ୍କ ପରି ଶିଳ୍ପୀ ଯେଉଁ ଘରାନାର ଦାୟାଦ, ସେଠି ଏଇ ଓଡିଆ ଝିଅ ସୁନନ୍ଦା ନିଜର ପାଦ ଦୃଢ କରିଛନ୍ତି। ତାଙ୍କ ସ୍ଵରରେ ମାଧୁର୍ୟ, ଗାମ୍ଭୀର୍ୟ ଓ ବିଶୁଦ୍ଧ ଭାବ ସଞ୍ଚାରର ତୀବ୍ରତା ରହିଥିଲା। ଉଦାତ୍ତ ସ୍ଵର(High notes)ରେ ତାଙ୍କର ତୀବ୍ରତା ଓ ନିୟନ୍ତ୍ରଣ ସଙ୍ଗୀତ ରସିକଙ୍କୁ ଚକିତ କରି ପକାଏ। ତୀବ୍ର ଓ ଶୁଦ୍ଧ ସ୍ଵରରେ ଅପୂର୍ବ ତାଙ୍କର କାରୁକାର୍ୟ। ଆପଣ ସଙ୍ଗୀତ ବୁଝନ୍ତୁ ବା ନ ବୁଝନ୍ତୁ, କେବେ ଥରେ ସୁନନ୍ଦାଙ୍କର ତରାନା ଶୁଣିବେ। ତରାନାର ତୀବ୍ର ଲୟକାରୀ ଆପଣଙ୍କୁ ତନ୍ମୟ ହେବାକୁ ବାଧ୍ୟ କରିବ।

ନୀଳମାଧବର ଆର୍ତ୍ତି ଓ କାରୁଣ୍ୟ

ସୁନନ୍ଦା ପଟ୍ଟନାୟକ ନିଜେ ପ୍ରାୟ ଛଅଟି ରାଗ ବୁଣିଥିଲେ। ସେଥିରୁ ଦୁଇଟି ରାଗ ହିନ୍ଦୁସ୍ତାନୀ ପରମ୍ପରାରେ ବେଶ ଚର୍ଚ୍ଚିତ- ରାଗ ନୀଳମାଧବ ଓ ସୁବର୍ଣ୍ଣମୁଖୀ। ନୀଳମାଧବର ବୋଲ ଥିଲା- “ରାମ ଗୟେ ବନବାସ, ଅବଧ ପୁରୀ କେ ସବ ନରନାରୀ ଭୟେ ବିକଲ ଉଦାସ।“ ସୁର, ଭାବ ଓ ତାନ ଭିତରେ ଅପୂର୍ବ ରଚନା ନୀଳମାଧବ। ଗୋଟେ ବିକଳ ମାନବାତ୍ମାର ଆକୁଳ ଉଦାସପଣ ଏହି ରାଗରେ ବଡ କରୁଣ ଶୁଭେ। ଅନେକ ସମୟରେ ସୁର ଯେମିତି ବନ୍ଧନୀରେ ରହୁନି। ମୋର ପ୍ରଶ୍ନ ଥିଲା- ନୀଳମାଧବରେ ଆପଣ ପରମ୍ପରା ଭାଙ୍ଗିଛନ୍ତି ବୋଲି କେହି କେହି କହନ୍ତି। ତାଙ୍କର ଚିରାଚରିତ ଠାଣିରେ ଉତ୍ତରେ- କି ପରମ୍ପରାରେ ଟୋକା। ଗୋଟେ ଭକ୍ତର ଆକୁଳ ଆବେଦନ ଓ ଶୂନ୍ୟ ଅନୁଭବ ଆଗରେ ପରମ୍ପରା ମୋ ସୁରକୁ ବାନ୍ଧିବ, ବାନ୍ଧି ପାରିବ? ସୁର ସାମ୍ରାଜ୍ୟରେ ସେ ଏକ ବିପ୍ଲବ।  ବ୍ୟାକରଣ ଆଗରେ “ନୀଳମାଧବର” ତାନକାରୀ ଏକ ପ୍ରଚଣ୍ଡ ବିଦ୍ରୋହ। ନୀଳମାଧବରେ ଆର୍ତ୍ତି, ଆକୁଳତା ଓ ଶୂନ୍ୟତାର ଅପୂର୍ବ ଗୁମ୍ଫନ ହିନ୍ଦୁସ୍ତାନୀ ପରମ୍ପରାରେ ବିରଳ।

“ସୁବର୍ଣ୍ଣମୁଖି”କୁ ନେଇ ତାଙ୍କର ଏକ ସୁତୀବ୍ର ଅନୁଭବର କାହାଣୀ ରହିଛି। ଥରେ କେଉଁ ଏକ ଅନ୍ଧାରୀ-ପୁରୁଣା ମନ୍ଦିରରେ ତାଙ୍କୁ ଦୃଶ୍ୟ ହୁଅନ୍ତି ଏକ ଉଜ୍ଜଳ ସୁବର୍ଣ୍ଣର ପୁରୁଷ। ଅନ୍ଧାରରେ ସୁବର୍ଣ୍ଣ ପରି ଦାଉ ଦାଉ ସେ ମୁହଁ ଟି ଅନେକ ଦିନ ଧରି ତାଙ୍କୁ ଆକ୍ରାନ୍ତ କରିଥିଲା। ସେଇ ଆଚ୍ଛନ୍ନତାରୁ ସୁବର୍ଣ୍ଣମୁଖୀ ରାଗର ଜନ୍ମ। ତେଣୁ ସେଥିରେ କଳ୍ପନାର ଉଡାଣ ପ୍ରବଳ।

ପିତା ଓ ପୁତ୍ରୀ

ସୁନନ୍ଦା ଆକାଶବାଣୀ ଓ ଓଡିଆ ସିନେମାରେ ଅନେକ ଗୀତ ଗାଇଛନ୍ତି। ଅନେକ ଗୀତ ଶ୍ରୋତାଙ୍କ ଆଦର ପାଇଛି। ହେଲେ ତାଙ୍କ ଗୀତ ସହିତ ପିତା ବୈକୁଣ୍ଠନାଥ ପଟ୍ଟନାୟକଙ୍କର କବିତା ଏକାକାର ହୋଇ ରହିଛି। “ଜୀବନ ପାତ୍ର ମୋ  ଭରିଛ କେତେ ମତେ”, ନିଶବଦ ଶରତ ପ୍ରାତେ”, “ଜୀବନ ବନ୍ଧୁ ଜୟ ଜୟ ହେ”, “ମୋତେ ଦେବ ବୋଲି ଏହି ଦୀକ୍ଷା’ , ଏମିତି କିଛି ଗୀତ କବିତାକୁ ଅମରତ୍ଵ ଦେଇଛି। ପିତାଙ୍କର ଶବ୍ଦ ପୁତ୍ରୀଙ୍କର କଣ୍ଠରେ ଅମୃତମୟ ହୋଇ ଯାଇଛି।

ତାଙ୍କ କଣ୍ଠରେ କବିର, ମୀରା ବାଇ, ନାନକ, ସାଲବେଗ, ସୁରଦାସ ପ୍ରମୁଖ ମହାନ ଭାରତୀୟ ଭକ୍ତି କବିତାର ସୁର ଆମେ ଦେଖିଛୁ। ହେଲେ ଶଙ୍କାରାଚାର୍ୟଙ୍କ ଶ୍ରୀ ଜଗନ୍ନାଥାଷ୍ଟକମ ଏବଂ ଭଜ ଗୋବିନ୍ଦମ ତାଙ୍କର ଦୁଇଟି ଆମର ଗାୟନ। ଗାୟନରେ ଶବ୍ଦ, ଅର୍ଥ, ଭାବ ଓ ସଙ୍ଗୀତର କାରୁକାର୍ୟକୁ ସମନ୍ଵିତ କରି ପାରିବାର ଯେଉଁ ଦକ୍ଷତା ତାଙ୍କର ଥିଲା, ତାହା ହିଁ ସୁନନ୍ଦାଙ୍କର ବିଶେଷତ୍ଵ।

ମା ଓ ମାଟି ପ୍ରତି ଅଭିମାନ

ଓଡିଶା ମୋ ମା, ହେଲେ ମୁଁ ବଙ୍ଗଳାରେ କାଇଁ ପଡି ରହିଲିରେ ଟୋକା- ଏ କଥା କହିଲା ବେଳେ ତାଙ୍କ କଣ୍ଠ ଥରି ଉଠୁଥିବାର ମୁଁ ଦେଖିଛି। ବିଜୁ ବାବୁ ତାଙ୍କୁ ପୁରୀରେ ଜାଗା ଖଣ୍ଡେ ଦେଇଥିଲେ ଗୁରୁକୁଳ କରିବା ପାଇଁ। ସେ ଘର ଯେତେଥର ଗଢା ହୋଇଛି ସେତେଥର ଭାଙ୍ଗିଛି। ଲୋକେ ସେ ଘରର କବାଟ ଝରକା ତାଡି ନେଇ ଯାଇଛନ୍ତି। ତେବେ ବର୍ଷର ଅନେକ ସମୟ ସେ ତାଙ୍କର ଛାତ୍ରଛାତ୍ରୀଙ୍କୁ ନେଇ ସେ ଘରେ ରିୟାଜ କରୁଥିଲେ। ଓଡିଶା ଆଉ କେତେ ଶହ ବର୍ଷରେ ସୁନନ୍ଦାଙ୍କ ଉଚ୍ଚତାର ଆଉ ଏକ ଶିଳ୍ପୀ ଦେଇ ପାରିବ କେଜାଣି! ତାଙ୍କୁ ପଦ୍ମଶ୍ରୀ ଟିଏ ଆମେ ଦେଇ ପାରିଲୁ ନାହିଁ, ସେ ଆମର ଦୁର୍ଭାଗ୍ୟ। ହେଲେ ସେ ଶୁଦ୍ଧ ସରସ୍ଵତୀର ଗୋପନ ପ୍ରବାହ। ସେ ଅଛନ୍ତି ଓ ରହିବେ। ଆମ ରକ୍ତରେ ସଙ୍ଗୀତ ହୋଇ, ଭକ୍ତିର ମନ୍ତ୍ର ହୋଇ ଓ ଭାବର ନୀରବତା ହୋଇ।

Share. Facebook Twitter LinkedIn Email WhatsApp Copy Link

Related Posts

ପିଏମ୍-କିସାନ୍‍ର ୨୧ତମ କିସ୍ତି ଜାରି, କେନ୍ଦ୍ର କୃଷିମନ୍ତ୍ରୀଙ୍କ ପକ୍ଷରୁ ଚାଷୀଙ୍କୁ ୫୪୦ କୋଟିର ସହାୟତା

September 26, 2025

କୋଲକାତାରେ ଦୁର୍ଗା ପୂଜା ମଣ୍ଡପକୁ ଉଦଘାଟନ କଲେ କେନ୍ଦ୍ର ଗୃହମନ୍ତ୍ରୀ

September 26, 2025

ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ତତ୍ପରତା: ଜିଲ୍ଲାପାଳମାନଙ୍କୁ ଦେଲେ ଏହି ନିର୍ଦ୍ଦେଶ

September 26, 2025

ବାଣପୁରରେ ଭିଜିଲାନ୍ସ ଚଢାଉ: ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଗ୍ରାମପଞ୍ଚାୟତ ଏଡିଇଓ

September 26, 2025
Latest News

ପିଏମ୍-କିସାନ୍‍ର ୨୧ତମ କିସ୍ତି ଜାରି, କେନ୍ଦ୍ର କୃଷିମନ୍ତ୍ରୀଙ୍କ ପକ୍ଷରୁ ଚାଷୀଙ୍କୁ ୫୪୦ କୋଟିର ସହାୟତା

September 26, 2025

ଦୋଷୀ ସାବ୍ୟସ୍ତ ହେଲେ ସୂର୍ଯ୍ୟକୁମାର ଯାଦବ, କାର୍ଯ୍ୟାନୁଷ୍ଠାନ ନେଲା ICC

September 26, 2025

ସୋଆ ସ୍କୁଲ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍ କ୍ୟାମ୍ପସ – ୨ ରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ପାଳିତ

September 26, 2025

କୋଲକାତାରେ ଦୁର୍ଗା ପୂଜା ମଣ୍ଡପକୁ ଉଦଘାଟନ କଲେ କେନ୍ଦ୍ର ଗୃହମନ୍ତ୍ରୀ

September 26, 2025

ଖୋର୍ଦ୍ଧା: ଷଷ୍ଠ ଜିଲ୍ଲା ପରିଷଦର ପଞ୍ଚମ ସାଧାରଣ ବୈଠକ, ନବ ନିର୍ମିତ ସଭାଗୃହ ଉଦ୍ଘାଟିତ

September 26, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.