ଅନିଦ୍ୟା ବାନାର୍ଜି
ଅଯୋଧ୍ୟାରେ ରାମ ମନ୍ଦିର ଭୂମିପୂଜନ ନେଇ ବର୍ତ୍ତମାନ ଚାରିଆଡେ ଚର୍ଚ୍ଚା। ତେବେ ଏହି ରାମମନ୍ଦିର ନିର୍ମାଣ ପାଇଁ ଯେଉଁ ଡିଜାଇନିଂ ପ୍ରସ୍ତୁତ ହୋଇଛି ତାହା କିଏ କରିଛି, କିପରି କରିଛି ତାହା ଜାଣିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇଯିବ। କାରଣ ଏବେ ନୁହେଁ ବାବରୀ ମସଜିଦ ଭଙ୍ଗା ପୂର୍ବରୁ ସେଠାରେ ରାମ ମନ୍ଦିର ନିର୍ମାଣ ହେବ ବୋଲି ପ୍ରସ୍ତୁତି ଆରମ୍ଭ ହୋଇ ସାରିଥିଲା। ସେତେବେଳଠାରୁ ଏହି ନୂଆ ମନ୍ଦିରର ରୂପରେଖ କିପରି ହେବ ତାହା ପ୍ରସ୍ତୁତ ହୋଇଥିଲା।
ଏହା ପଛରେ ଯେଉଁ ସ୍ଥପତିଙ୍କ ହାତ ରହିଛି ସେ ହେଉଛନ୍ତି ଚନ୍ଦ୍ରକାନ୍ତ ସୋମପୁରା ଏବଂ ଆଶୀଷ ସୋମପୁରା। ପୂର୍ବରୁ ମନ୍ଦିରର ଡିଜାଇନିଂ ଓ ନିର୍ମାଣରେ ଏହି ସୋମପୁରା ପରିବାରର ବେଶ୍ ଖ୍ୟାତି ରହିଛି। କେବଳ ଏହି ରାମମନ୍ଦିର ନୁହେଁ ପୂର୍ବରୁ ଏହି ପରିବାରର ସଦସ୍ୟମାନେ ଗୁଜୁରାଟର ସୋମନାଥ ମନ୍ଦିର ଏବଂ ମଥୁରା ପରି ବହୁ ମନ୍ଦିର ନିର୍ମାଣ କରିଛନ୍ତି।
ବର୍ତ୍ତମାନ ରାମ ମନ୍ଦିର ଡିଜାଇନିଂ ପ୍ରସ୍ତୁତ ଓ ନିର୍ମାଣ ସଂପର୍କରେ କଣ କହୁଛନ୍ତି ଚନ୍ଦ୍ରକାନ୍ତ ସୋମପୁରା ଆସନ୍ତୁ ଜାଣିବା
ପ୍ରଶ୍ନ- ଆପଣଙ୍କର ମନେ ଅଛି କି, ବହୁ ବର୍ଷ ତଳେ ଆପଣଙ୍କୁ ଏହି ବିବାଦୀୟ ସ୍ଥଳରେ ମନ୍ଦିରର ଡିଜାଇନିଂ କରିବାକୁ କୁହାଯାଇଥିଲା। ସେତେବେଳେ ପରିସ୍ଥିତି କିପରି ଥିଲା, କିପରି ଡିଜାଇନିଂ ପ୍ରସ୍ତୁତ ହୋଇଥିଲା ?
ଉତ୍ତର- (ହସି ହସି) ପ୍ରକୃତରେ ସେତେବେଳେ ଯେପରି ପରିସ୍ଥିତି ଥିଲା ତାହା ଏବେ ଭାବିଲେ ଆଶ୍ଚର୍ଯ୍ୟ ଲାଗୁଛି। କାରଣ ଏହା ଏକ ବିବାଦୀୟ ସ୍ଥଳ ନ ଥିଲା, ଥିଲା ଏକ ସାମିରକ ଶିବିର ଥିଲା। ଯୁଆଡେ ଦେଖିଲେ ଆର୍ମି ବାହିନୀ ଭର୍ତ୍ତି ହୋଇ ରହିଥିଲେ। ମୋର ଦିନ ମନେପଡୁ ନାହିଁ, ହେଲେ ଏହି ମନ୍ଦିରର ଡିଜାଇଂନି ପ୍ରସ୍ତୁତ କରିବା ପାଇଁ ଆମେ ଏବଂ ଅଶୋକ ସିଂଘଲ ସାଥି ହୋଇ ଅଯୋଧ୍ୟା ଆସିଥିଲୁ। ଆମେ ଭିତରକୁ ଯିବାକୁ ଚେଷ୍ଠା କଲୁ। ହେଲେ ସୁରକ୍ଷା କର୍ମି ଅଶୋକ ସିଂଘଲଙ୍କୁ ଭିତରକୁ ଛାଡିଲେ ନାହିଁ।
ଆମକୁ ଛାଡିଲେ ହେଲେ ଆମ ପକେଟରେ ଥିବା ମାପ ଫିତା କୁ ସୁରକ୍ଷା କର୍ମି ଭିତରକୁ ନେବାକୁ ଛାଡିଲେ ନାହିଁ। ମାପ ଫିତା ନ ଥିବାରୁ ମନ୍ଦିର କେତେରେ କେତେ ହେବ ତାହା ମାପିବା ସମ୍ଭବ ନ ଥିଲା। ହେଲେ ଏକ ଆନୁମାନିକ ମାପ ପାଇଁ ପାଦରେ ମାପ କରାଯାଇଥିଲା। କେଉଁ ସ୍ଥାନ କେତେ ପାଦ ହେଉଛି ତାହା ଆନୁମାନିକ ମାପ କରି ଅଣାଯାଇଥିଲା। କିଛି ଦିନ ପରେ ମନ୍ଦିରର ବିଭିନ୍ନ ପ୍ରକାରର ଡିଜାଇନି କରି ଅଶୋକ ସିଂଘଲ ଏବଂ ବିଶ୍ବ ହିନ୍ଦୁ ପରିଷଦକୁ ଦିଆଯାଇଥିଲା। ସେମାନେ ଗୋଟିଏ ଡିଜାଇନିଂ ମନୋନିତ କଲେ। ପରେ ତାହାର ଏକ ବଡ ଡିଜାଇନିଂ କାଠରେ ପ୍ରସ୍ତୁତ କରାଗଲା। ଏହି ଡିଜାଇନିଂକୁ କୁମ୍ଭ ମେଳାରେ ପ୍ରଦର୍ଶିତ କରାଯାଇ ବିଭିନ୍ନ ସାଧୁସନ୍ଥ ଅନୁମତି ମଧ୍ୟ ନିଆଯାଇଥିଲା।
ପ୍ରଶ୍ନ-ଆପଣଙ୍କୁ ଅଶୋକ ସିଂଘଲ କେତେବେଳେ ମନ୍ଦିର ଡିଜାଇନିଂ ପ୍ରସ୍ତୁତ କରିବା ପାଇଁ କହିଥିଲେ, ସେତେବେଳେ ପରିସ୍ଥିତି ଅନୁଯାୟୀ ମନ୍ଦିର ନିର୍ମାଣର ସମ୍ଭବ ଥିଲା କି ?
ଉତ୍ତର- ପ୍ରକୃତରେ କହିବାକୁ ଗଲେ 1992 ମସିହାରେ ରାମମନ୍ଦିର ନିର୍ମାଣ ଏକ ସ୍ବପ୍ନ ଥିଲା। କାରଣ ସେତେବେଳେ ଯେପରି ପରିସ୍ଥିତି ଥିଲା ସେଥିରେ କେହିବି ଭାବି ପାରିବ ନାହିଁ ଯେ, ଏଠାରେ ଏକ ମନ୍ଦିର ନିର୍ମାଣ ହୋଇପାରିବ। ଅନ୍ୟପଟେ ସେହି ସ୍ଥାନରେ ଏକ ମସଜିଦ ରହିଛି। ତାହାକୁ ଭାଙ୍ଗି ମନ୍ଦିର ନିର୍ମାଣ କେବେ ସମ୍ଭବ ନ ଥିଲା। ହେଲେ ଯେତେବେଳେ ଡିସେମ୍ବର ମାସରେ ମସଜିଦ୍ ଭଙ୍ଗାଗଲା ସେତେବେଳେ ସାମାନ୍ୟ ଆଶା ଦେଖାଗଲା ଯେ ରାମମନ୍ଦିର ନିର୍ମାଣ ହୋଇପାରିବ। ତାପରେ ଯୋରଜାର କାମ ଆରମ୍ଭ ହେଲା। ହେଲେ 1996 ମସିହାରେ ଏହା ଶିଥିଳ ପଡିଗଲା। ମାତ୍ର 8ରୁ 10 ଜଣ ଶ୍ରମିକଙ୍କୁ ନେଇ କରଶାଳାରେ କିଛି ଖୋଦେଇ କାମ ଚାଲି ପରବର୍ତ୍ତି ସମୟରେ ବନ୍ଦ ହୋଇଗଲା। ତାପରେ ଭାବି ନେଲୁ ଯେ, ମନ୍ଦିର ଆଉ ନିର୍ମାଣ ହୋଇପାରିବ ନାହିଁ। ହେଲେ ନରେନ୍ଦ୍ର ମୋଦୀ ଯେତେବେଳେ ଶାସନକୁ ଆସିଲେ ସେତେବେଳେ ଆମେ ଭାବିଲୁ ଯେ ହୁଏତ ମନ୍ଦିର ନିର୍ମାଣ ହୋଇପାରିବ। ଏହାପରେ ଏହି ବିବାଦୀୟ ଘଟଣାଟି ସୁପ୍ରିମ କୋର୍ଟରେ ବହୁ ବର୍ଷ ପର୍ଯ୍ୟନ୍ତ ତର୍କ ବିତର୍କ ହେବା ପରେ ଯେଉଁ ଦିନ ରାୟ ଆସିଲେ ସେଦିନ ଆମେ ଖୁସିରେ ନାଚି ଉଠିଲୁ।
ପ୍ରଶ୍ନ-ବର୍ତ୍ତମାନ ଏହି ମନ୍ଦିର ସଂପର୍କରେ କିଛି କୁହନ୍ତୁ, ଏହା ଭିତରେ ପ୍ରଭୁ ରାମଚନ୍ଦ୍ରଙ୍କ ଯେଉଁ ବିରାଟ ପ୍ରତିମୂର୍ତ୍ତିର ପରିକଳ୍ପନା କରାଯାଇଛି ତାହା ସ୍ଥାପନ କରାଯିବ କି ନାହିଁ ?
ଉତ୍ତର- ପ୍ରସ୍ତାବିତ ପ୍ରଭୁ ଶ୍ରୀରାମଙ୍କ ବିରାଟକାୟ ପ୍ରତିମୂର୍ତ୍ତି ଏହି ମନ୍ଦିର ଭିତରେ ସ୍ଥାପନ କରାଯିବାର କୌଣସି ନିଷ୍ପତି ହୋଇ ନାହିଁ। ଏପରିକି 67 ଏକର ପରିମିତ ଏହି ସ୍ଥାନର କୌଣସିଠାରେ ମଧ୍ୟ ପ୍ରଭୁ ଶ୍ରୀରାମଙ୍କ ଏହି ବାରଟକାୟ ପ୍ରତିମୂର୍ତ୍ତି ସ୍ଥାପନ କରାଯିବାର ଯୋଜନା ନାହିଁ। ହେଲେ ଉତ୍ତର ପ୍ରଦେଶ ସରକାର ଯେଉଁ ଅଯୋଧ୍ୟା ଉନ୍ନୟନ ଯୋଜନା ପ୍ରସ୍ତୁତ କରିଛନ୍ତି, ସେହି ଯୋଜନା ମାଧ୍ୟମରେ ପ୍ରଭୁଙ୍କର ଏହି ବିରାଟକାୟ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ।
ପ୍ରଶ୍ନ-ଆପଣଙ୍କର ମନେ ଅଛି କି ଅଶୋକ ସିଂଘଲଙ୍କ ଯେତେବେଳେ ଆପଣଙ୍କ ସହିତ ମନ୍ଦିର ଡିଜାଇନିଂ ସଂପର୍କରେ ଆଲୋଚନା କରିଥିଲେ ସେତେବେଳେ ସେ କଣ ପ୍ରସ୍ତାବ ଦେଇଥିଲେ। ମନ୍ଦିର ରୂପରେଖ କିପରି ହେବ ବୋଲି ସେ କଣ କହିଥିଲେ ?
ଉତ୍ତର-ଅଶୋକ ସିଂଘଲଙ୍କ ସହିତ ଯେତେବେଳେ ଏହି ମନ୍ଦିର ସଂପର୍କରେ ଆଲୋଚନା ହେଲା ସେତେବେଳେ ସେ କହିଥିଲେ ଯେ ଏହି ମନ୍ଦିର ବିଶ୍ବର ଏକ ଆକଷଣୀୟ ମନ୍ଦିର ହେବ। ଭାରତରେ ସବୁଠାରୁ ବଡ ମନ୍ଦିର ହେବ। ତାଙ୍କର ଏକ ସ୍ବତନ୍ତ୍ର ପ୍ରସ୍ତାବ ଥିଲା ଯେ, ମନ୍ଦିରର ଗର୍ଭଗୃହଟି ସବୁଠାରୁ ଉଚ୍ଚା ହେବ। ସେହି ଅନୁସାରେ ଡିଜାଇନିଂ ପ୍ରସ୍ତୁତ କରାଯାଇଛି।
ପ୍ରଶ୍ନ- ବର୍ତ୍ତମାନ ମନ୍ଦିର ନିର୍ମାଣ ତ ନିଶ୍ଚିତ ହୋଇଗଲା। ତେବେ ଏବେ କାମ ଆରମ୍ଭ ହେଲେ ଶେଷ ହେବାକୁ କେତେଦିନ ଲାଗିବ। ଭକ୍ତମାନେ କେବେ ମନ୍ଦିର ଭିତରେ ବୁଲି ଦର୍ଶନ କରିପାରିବେ ?
ଉତ୍ତର-ମନ୍ଦିର ନିର୍ମାଣ ଶେଷ ହେବାକୁ ପ୍ରାୟ ତିନିରୁ ସାଢେ ତିନି ବର୍ଷ ସମୟ ଲାଗିବ। କହିବାକୁ ଗଲେ 2023 ମସିହା ଶେଷ ଆଡକୁ ଏହା ଶେଷ ହେବ। ତେବେ ଆମେ ଯେତେ ଶିଘ୍ର ପାରିବୁ ସେତେ ଶିଘ୍ର ଶେଷ କରିବା ପାଇଁ ଚେଷ୍ଠା କରିବୁ।
ପ୍ରଶ୍ନ-ମନ୍ଦିର ଡିଜାଇନିଂ ଓ ନିର୍ମାଣ ଆପଣଙ୍କ ପରିବାରର ସଦସ୍ୟମାନେ ବେଶ୍ ଆକର୍ଷଣୀୟ ଭାବେ କରିପାରୁଛନ୍ତି। ଆପଣଙ୍କ ପରିବାର ପାଖରେ କଣ ଏପରି ଅଛି, ଯାହା ଅନ୍ୟ କାହା ପାଖରେ ନାହିଁ ?
ଉତ୍ତର- ଆମ ପରିବାରର ଲୋକେ ସୋମନାଥ ମନ୍ଦିର ନିର୍ମାଣ କରିଛନ୍ତି। ଏଥିସହିତ ମଥୁରା ମନ୍ଦିର ମଧ୍ୟ ନିର୍ମାଣ କରିଛନ୍ତି। ଏହିପରି ଅନେକ ମନ୍ଦିର ଦେଶବିଦେଶରେ କରାଯାଇଛି। ଏହା ଆମପାଇଁ ଗର୍ବ ଓ ଗୌରବର କଥା। ତାହାଠାରୁ ଆହୁରି ଗର୍ବର କଥା ଯେ, ବର୍ତ୍ତମାନ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ କରିବାର ସୁଯୋଗ ମିଳିଛି। ପ୍ରକୃତରେ ମନ୍ଦିର ଡିଜାଇନିଂ ପ୍ରାଚୀନ ଯୁଗରୁ ରହିଛି। ଆମେ ସେହି ଡିଜାଇନିଂକୁ ହିଁ ଆପଣେଇ ନେଇଛୁ। ଆମେ ଯେଉଁ ଶୈଳୀର ମନ୍ଦିର କରୁଛୁ ତାହା ହେଉଛି “ନାଗରା” ଶୈଳୀ। ଏହି ଶୈଳୀର ମନ୍ଦିର ଗୁଜୁରାଟ, ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଉତ୍ତର ପ୍ରଦେଶ ପ୍ରଭୃତି ରାଜ୍ୟରେ ପ୍ରଚଳିତ ଅଛି।