ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗରୁ ବିଦାୟ ନେଲେ ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ

Published: Aug 4, 2020, 10:58 pm IST

ଭୁବନେଶ୍ବର, ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀଙ୍କ କାର୍ଯ୍ୟ ଅବଧି ଆଜି ଶେଷ ହେଲା। ସେଥିପାଇଁ ବିଭାଗ ତରଫରୁ ସଂସ୍କୃତି ଭବନରେ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏଥିରେ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀ ଯୋଗ ଦେଇ ବିଦାୟୀ ସଚିବଙ୍କୁ ମାନପତ୍ର ପ୍ରଦାନ କରିଥିଲେ। ମନୋରଞ୍ଜନ ଏହି ବିଭାଗ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରି ବିଭିନ୍ନ ଅଭିନବ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଏଥିସହିତ ସେସବୁକୁ ଲୋକ ପ୍ରିୟ କରିବା ଦିଗରେ ପାଣିଗ୍ରାହୀଙ୍କ ଭୂମିକାକୁ ଉପସ୍ଥିତ ସମସ୍ତେ ଭୂୟସୀ ପ୍ରଶଂସା କରିଥିଲେ ।

ସଂସ୍କୃତି ବିଭାଗ ଅଧୀନସ୍ଥ ବିଭିନ୍ନ ଅନୁଷ୍ଠାନର କାର୍ଯ୍ୟକର୍ତ୍ତାମାନଙ୍କ ସମେତ ବିଶିଷ୍ଟ ବ୍ୟକ୍ତିବୃନ୍ଦ ବିଭାଗରେ ପାଣିଗ୍ରାହୀଙ୍କ ଅବଦାନ, ଶୃଙ୍ଖଳା ଓ ନେତୃତ୍ୱ ନେଇ ତାଙ୍କୁ ପ୍ରଶଂସା କରିବା ସହିତ ତାଙ୍କ ମାର୍ଗଦର୍ଶନ ବିଭାଗ ପାଇଁ ଭବିଷ୍ୟତରେ ଅନୁକୂଳ ସାବ୍ୟସ୍ତ ହେବ ବୋଲି ପ୍ରକାଶ କରିଥିଲେ।

କାର୍ଯ୍ୟକ୍ରମରେ ସଂସ୍କୃତି ବିଭାଗର ଯୁଗ୍ମ ଶାସନ ସଚିବ ଶ୍ରୀମତୀ ସଂଘମିତ୍ରା ଶତପଥୀ, ଲିପ୍‌ସା ଦାସ, ଉପନିର୍ଦ୍ଦେଶକ ଶ୍ରୀ ଦେବାନନ୍ଦ ବରିହା, ପ୍ରତ୍ନତତ୍ତ୍ୱ ବିଭାଗ କାର୍ଯ୍ୟକର୍ତ୍ତା ଅଶ୍ୱିନୀ ଶତପଥୀ, ଓଡ଼ିଶା ସାହିତ୍ୟ ଏକାଡେମୀ ସଚିବ ସୁଚିସ୍ମିତା ମନ୍ତ୍ରୀ, ଲଳିତ କଳା ଏକାଡେମୀ ସଚିବ ଗଜେନ୍ଦ୍ର ସାହୁ, ସଂଗୀତ ନାଟକ ଏକାଡେମୀର ଅଧ୍ୟକ୍ଷ ବିଜୟ କୁମାର ଜେନା, ହରେକୃଷ୍ଣ ମହତାବ ରାଜ୍ୟ ସଂଗ୍ରହାଳୟର ଅଧୀକ୍ଷକ ସନ୍ତୋଷ ଚାଟାର୍ଜୀଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ। ପାଣିଗ୍ରାହୀଙ୍କୁ ପୁଷ୍ପଗୁଚ୍ଛ, ଅଙ୍ଗବସ୍ତ୍ର ଓ ପ୍ରଶସ୍ତି ପତ୍ର ପ୍ରଦାନ କରାଯାଇଥିଲା ।

Related posts