ଏଥର ଆଗୁଆ ପ୍ରାର୍ଥୀ ଘୋଷଣା କରିବ ଓଡିଶା କଂଗ୍ରେସ, ନିର୍ବାଚନ କମିଟ ବୈଠକରେ ନିଷ୍ପତି

Published: Feb 20, 2024, 11:38 am IST

ଭୁବନେଶ୍ବର: ବର୍ତ୍ତମାନ ରାଜ୍ୟର ପ୍ରମୁଖ ଦୁଇ ଦଳ ବିଜେଡି ଓ ବିଜେପି ଶିବିରରେ ଟିକେଟ ଚୟନ ପକ୍ରିୟା ଆରମ୍ଭ ହୋଇ ନାହିଁ। ହେଲେ ତୃତୀୟ ଦଳ କଂଗ୍ରେସ ବର୍ତ୍ତମାନ ଟିକେଟ ବଣ୍ଟା ପ୍ରସ୍ତୁତି ଆରମ୍ଭ କରିସାରିଲାଣି। ଗତକାଲି ପ୍ରଦେଶ କଂଗ୍ରେସ ନିର୍ବାଚନ କମିଟ ବସି ଏହା ଉପରେ ଏକ ବିସ୍ତୁତ ଆଲୋଚନା କରିଛି। ଯାହା ଜଣାପଡୁଛି କଂଗ୍ରେସ ବର୍ତ୍ତମାନ ଜିତିବା ପରି ଥିବା 70ଟି ଆସନରେ ଆଗୁଆ ଟିକେଟ ଘୋଷଣା କରିବ।

ଦଳ ଆଗରୁ ପ୍ରଗମନ ମାଧ୍ୟମରେ ଅନ ଲାଇନ ଟିକେଟ ଆବେଦନ ପାଇଁ ଆହ୍ବାନ କରିଥିଲା। ଯେଉଁଥିରେ ବିଧାନସଭା ପାଇଁ ତିନି ହଜାର ଏବଂ ଲୋକସଭା ପାଇଁ ସାତ ଶହ ପ୍ରାର୍ଥୀ ଆବେଦନ କରିଛନ୍ତି। ତେବେ ଏହା ସହିତ ରାଜ୍ୟର ବରିଷ୍ଠ କଂଗ୍ରେସ ନେତା କେତେକଙ୍କ ନାମ ସୁପାରିଶ କରିଛନ୍ତି। ହେଲେ ସେମାନଙ୍କ ନାମ ବିଚାରକୁ ନିଆଯିବ ନାହିଁ ବୋଲି ବୈଠକେ ନିଷ୍ପତି ହୋଇଛି।

ତେବେ କମିଟ ବୈଠକ ଅନୁସାରେ ଯେଉଁମାନେ ଟିକେଟ ପାଇଁ ଆବେଦନ କରିଛନ୍ତି ସେମାନଙ୍କ ମଧ୍ୟରୁ ତିନି ଜଣଙ୍କ ନାମ ଏଆଇସିସିକୁ ସୁପାରିଶ କରାଯିବ। ତେବେ ଯେଉଁମାନେ ଲଗାତର ହାରିବାରେ ଲାଗିଛନ୍ତି ସେମାନଙ୍କ ନାମ ବିଚାରକୁ ନିଆଯିବ ନାହିଁ ବୋଲି ନିଷ୍ପତି ହୋଇଛି। ସେହିପରି ଯେଉଁମାନେ କମ ଭୋଟରେ ହାରିଛନ୍ତି ସେମାନଙ୍କ ନାମ ବିଚାରକୁ ନିଆଯିବ।

ତେବେ କେତେକ କ୍ଷେତ୍ରରେ କମ ଭୋଟର ହାରି ମଧ୍ୟ ସେମାନଙ୍କର ଆଉ ସଂଗଠନ ନାହିଁ। ସେପରି କ୍ଷେତ୍ରରେ ତାଙ୍କ ନାମ ସୁପାରିଶ କରାଯିବ ନାହିଁ ବୋଲି କଂଗ୍ରେସର ଜଣେ ନେତା କହିଛନ୍ତି। ତାଙ୍କର କହିବା ଅନୁସାରେ ଏଥର ଦଳ ମହିଳା ଓ ଯୁବ ଗୋଷ୍ଠୀଙ୍କୁ ଗୁରୁତ୍ବ ଦେବ ବୋଲି ନିଷ୍ପତି କରାଯାଇଛି। ତେବେ ଏ ପର୍ଯ୍ୟନ୍ତ କୌଣସି ଚୁଡାନ୍ତ ନିଷ୍ପତି ହୋଇପାରି ନାହିଁ ବୋଲି ସେ କହିଛନ୍ତି।

ତେବେ ବିଶେଷ ସୁତ୍ର ଅନୁସାରେ କଂଗ୍ରେସ ପ୍ରାରମ୍ଭିକ ପର୍ଯ୍ୟାୟରେ ସତୁରୀ ଟି ବିଧାନ ସଭା ଏବଂ ଦଶଟି ଲୋକସଭା ଟିକେଟ ଘୋଷଣା କରିବାକୁ ନିଷ୍ପତି କରିଛି। ସେଥିପାଇଁ ସେହି ଅନୁସାରେ ପିଇସି ବା ପ୍ରଦେଶ ନିର୍ବାଚନ କମିଟ କାମ ଆରମ୍ଭ କରିଛି।

ଏହି କମିଟର ଗୋଟିଏ ପର୍ଯ୍ୟାୟ ବୈଠକ ଶେଷ ହୋଇଛି। ଏହାପରେ ଆଉ ଏକ ପର୍ଯ୍ୟାୟ ବୈଠକରେ ଚୁଡାନ୍ତ ନିଷ୍ପତି କରାଯାଇ ପ୍ରାର୍ଥୀ ତାଲିକା ଦିଲ୍ଲୀ ପଠାଯିବ। ଯାହା ଜଣା ପଡିଛି ମାର୍ଚ୍ଚ ପ୍ରଥମ ସପ୍ତାହରେ ଦଳ ପ୍ରାର୍ଥୀ ଘୋଷଣା କରିଦେଇପାରେ।

Related posts