ବାଲୁଗାଁରେ ନିଜ ନାମରେ ନାମିତ ମୋମୋ ଷ୍ଟଲ ପରିଦର୍ଶନ କଲେ ଯାତ୍ରାଜଗତ ଅଭିନେତ୍ରୀ ରାନୀ ପଣ୍ଡା

Published: Oct 29, 2021, 8:01 pm IST

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ସନ୍ଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଆଇବି ରୋଡ଼ ସ୍ଥିତ ‘ରାନୀ ପଣ୍ଡା ହଟ ମୋମୋ’ ଷ୍ଟଲରେ ସମାଜସେବୀ ତଥା ଯାତ୍ରା ଜଗତର ଅଭିନେତ୍ରୀ ରାନୀ ପଣ୍ଡା ନିଜ ନାମରେ ଥିବା ଷ୍ଟଲକୁ ଅଚାନକ ପରିଦର୍ଶନ କରିଛନ୍ତି।

ବାଲୁଗାଁ ଅଞ୍ଚଳରେ ନିଜକୁ ରାନୀଙ୍କ ଜଣେ ବଡ଼ ଫ୍ୟାନ ତଥା ବି.ଟେକ ପଢା ସାରି ଚାକିରି ନକରି ରାନୀ ପଣ୍ଡାଙ୍କ ନାମରେ ଏକ ମୋମୋ ଷ୍ଟଲ ଖୋଲି ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିଛନ୍ତି ବାଣପୁର ବ୍ଲକ ଅନ୍ତର୍ଗତ ହଜ ଗ୍ରାମର ଯୁବକ ବିକାଶ ଦାସ। ଦିନକୁ ଦିନ ବଜାରର ଚାହିଦାକୁ ନଜରରେ ରଖି ସନ୍ଧ୍ୟା ସମୟରେ ଜଳଖିଆ, ଗୁପଚୁପ, ଚାଟ ଏପରିକି ଚାଇନିଜ ଖାଇବାକୁ ଭୁଲି ମୋମୋ ଖାଇବା ପାଇଁ ଖାଦ୍ୟପ୍ରେମୀଙ୍କ ଲମ୍ବା ଧାଡି ରାଜଧାନୀ ଭୁବନେଶ୍ୱରରେ ଲାଗୁଛି। ଏହାକୁ ନଜରରେ ରଖି ବିଟେକ ସାରିଥିବା ବିକାଶ ବାଲୁଗାଁ ଗାନ୍ଧୀ ଛକ ନିକଟରେ ପରିବାର ଗୁଜୁରାଣ ମେଣ୍ଟାଇବା ପାଇଁ ଦୁଇ ମାସ ତଳେ ରାନୀ ପଣ୍ଡାଙ୍କ ନାମରେ ଉକ୍ତ ମୋମୋ ଷ୍ଟଲ ଖୋଲିଥିଲେ।

କରୋନା କାଳରେ ରାନୀ ପଣ୍ଡା ବିଭିନ୍ନ ବ୍ୟକ୍ତିଙ୍କୁ କରିଥିବା ସାହାଯ୍ୟ ଓ ସହାନୁଭୂତିରେ ଅନୁପ୍ରାଣିତ ହୋଇ ରାନୀଙ୍କ ସୁପର ଫ୍ୟାନ ସାଜିଥିବା ବିକାଶ ବାଲୁଗାଁ ଓ ବାଣପୁରରେ ରାନୀଙ୍କ ନାମରେ ଦୁଇଟି ‘ରାନୀ ପଣ୍ଡା ହଟ ମୋମୋ ଷ୍ଟଲ’ ଖୋଲି ବେଶ୍ ଚର୍ଚ୍ଚାରେ ଅଛନ୍ତି।

ସୁଦୂର କାଠମାଣ୍ଡୁରୁ କାରିଗର ଆଣି ଭେଜ ଏବଂ ନନଭେଜ ମୋମୋ ପ୍ରସ୍ତୁତ କରି ଦି ପଇସା ରୋଜଗାର କରି ପରିବାର ଚଳାଉଛନ୍ତି ବିକାଶ। ପାଠପଢା ସାରି ଚାକିରୀ ପଛରେ ନଗୋଡ଼ାଇ ସ୍ୱାବଲମ୍ବୀ ପନ୍ଥା ଅବଲମ୍ବନ କରିଥିବା ବିକାଶଙ୍କୁ ନିଜ ବ୍ୟବସାୟରେ ଉନ୍ନତି ଆଣିବାପାଇଁ ରାନୀ ପଣ୍ଡା ଏକ ଲକ୍ଷ ଟଙ୍କାର ଚେକ ପ୍ରଦାନ କରିବା ସହ ବିକାଶଙ୍କ ପ୍ରଶଂସାରେ ଶତମୁଖ ହୋଇଉଠିଛନ୍ତି।

ସେହିପରି ଭାବେ ବିକାଶଙ୍କ ଷ୍ଟଲରେ କାର୍ଯ୍ୟ କରୁଥିବା ଦୁଇ କର୍ମଚାରୀଙ୍କୁ ମଧ୍ୟ ରାନୀ ପଣ୍ଡା ପାଞ୍ଚ ପାଞ୍ଚ ହଜାର ଟଙ୍କା ପ୍ରଦାନ କରିଛନ୍ତି। ତେବେ କିଛିଦିନ ତଳେ ବିଭିନ୍ନ ଗଣମାଧ୍ୟମରୁ ଉକ୍ତ ଖବର ଦେଖି ରାନୀ ବିକାଶଙ୍କୁ ଫୋନ କରଥିଲେ ଏବଂ ଖୁବଶୀଘ୍ର ତାଙ୍କ ମୋମୋ ଷ୍ଟଲ ପରିଦର୍ଶନକୁ ଆସିବେ ବୋଲି କହିଥିଲେ।

ଏହି ପରିପ୍ରେକ୍ଷୀରେ ଆଜି ସଂନ୍ଧ୍ୟାରେ ରାନୀ ବାଲୁଗାଁ ଆସିଥିଲେ। ତେବେ ରାନୀଙ୍କୁ ଦେଖିବା ପାଇଁ ଜନସାଧାରଣଙ୍କ ପ୍ରବଳ ଭିଡ଼ହେବାରୁ ସ୍ୱଳ୍ପ ସମୟ ବାଲୁଗାଁରେ ରହି ପୁଣି ଭୁବନେଶ୍ୱର ଫେରିଯାଇଥିଲେ ରାନୀ।

Related posts