ଆନ୍ତର୍ଜାତିକ ନାଟ୍ୟ ମହୋତ୍ସବରେ ଓଡିଆ ନାଟକ “ବୋତଲ ଭୂତ”

Published: Feb 27, 2023, 6:02 pm IST

ଭୁବନେଶ୍ଵର: ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ ଏବଂ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ଆନୁକୂଲ୍ୟରେ ଆସାମର ଗୁଆହାଟୀଠାରେ କଳାକ୍ଷେତ୍ରରେ ଥିବା ଶଙ୍କର ଦେବ ଆନ୍ତର୍ଜାତିକ ପ୍ରେକ୍ଷାଳୟରେ ଆନ୍ତର୍ଜାତିକ ନାଟ୍ୟ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ମହୋତ୍ସବରେ ଓଡିଶାରୁ ପ୍ରତିନିଧିତ୍ଵ କରିଥିଲେ ଭୁବନେଶ୍ୱରର ଅଗ୍ରଣୀ ନାଟ୍ୟାନୁଷ୍ଠାନ “ଏକ୍ସପ୍ରେସନ୍ସ”।

ଲେଖକ ତଥା ନିର୍ଦ୍ଦେଶକ ଦେବାନନ୍ଦ ନାୟକ ସୋନୀଙ୍କ ନାଟକ “ବୋତଲ ଭୂତ” ମଞ୍ଚସ୍ଥ ହୋଇ ଆସାମ ତଥା ଭାରତର ଅନ୍ୟ ରାଜ୍ୟ ଏବଂ ବିଦେଶୀ ନାଟକ ଦର୍ଶକ ମାନଙ୍କର ପ୍ରଶଂସା ଭାଜନ ହୋଇପାରିଛି। ବିଶେଷ ଭାବରେ ଭାରତର ବିଶିଷ୍ଟ ନାଟ୍ୟବ୍ୟକ୍ତିତ୍ବ ଦୁଲାଲ ରାୟ, ଅରୂପ ହଜାରିକା, ସୀମା ବିଶ୍ବାସ, ଗୁଣାକାର ଗୋସ୍ବାମୀ ଇତ୍ୟାଦି ନାଟକଟିର ଶୈଳୀ ଏବଂ ପ୍ରଦର୍ଶନ ଢଙ୍ଗର ଭୂୟସୀ ପ୍ରଶଂସା କରିଥିଲେ।

ନାଟକ ଟିର ବିଷୟବସ୍ତୁ ଓଡିଶାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ସାମାଜିକ ସମସ୍ୟା ଏବଂ ତାର ମୂଳ କାରଣକୁ ନେଇ ପର୍ଯ୍ୟବେଶିତ ଥିଲା। ଅନେକ ଦିନର ବ୍ୟବଧାନ ପରେ ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟର ଏହି ଭାରତ ରଙ୍ଗ ମହୋତ୍ସବରେ ଏକ ବଳିଷ୍ଠ ଓଡିଆ ନାଟକ ଦେଖିବାକୁ ମିଳିଲା ବୋଲି ବେଶ୍ କିଛି ଅଣଓଡିଆ ନାଟ୍ୟକର୍ମୀ ମତ ବ୍ୟକ୍ତ କରି ନାଟ୍ୟ ଦଳର କଳାକାରମାନଙ୍କୁ ଉତ୍ସାହିତ କରିଥିଲେ ତଥା ଲେଖକ ନିର୍ଦ୍ଦେଶକ ଦେବାନନ୍ଦ ନାୟକଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।

Related posts