ରାଜ୍ୟରୁ କମିବାରେ ଲାଗିଛି କରୋନା ଆତଙ୍କ, ବନ୍ଦ ହେଲା ଘରୋଇ କୋଭିଡ ହସପିଟାଲ

Published: Jan 6, 2021, 12:37 pm IST

ଭୁବନେଶ୍ବର, ଧୀରେ ଧୀରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଫଳରେ ବହୁ ମୂଲ୍ୟର ଘରୋଇ କୋଭିଡ ହସପିଟାଲ ବର୍ତ୍ତମାନ ପାଇଁ ବନ୍ଦ କରାଯାଇଛି। ସେହି ଅନୁସାରେ ରାଜ୍ୟର 48ଟି କୋଭିଡ ହସପିଟାଲ ମଧ୍ୟରୁ 31 ଟି ଘରୋଇ ହସପିଟାଲକୁ ବନ୍ଦ କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛନ୍ତି। ତେବେ ସମ କୋଭିଡ ହସପିଟାଲ ଏବଂ ଅଶ୍ବନୀ କୋଭିଡ ହସପିଟାଲ ଖୋଲିବା ପାଇଁ କୁହାଯାଇଛି।

ଏ ନେଇ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଚିଠି ଦ୍ବାରା ହସପିଟାଲକୁ ଜଣାଇ ଦେଇଛନ୍ତି। ଏଥିରେ ଉଲ୍ଲେଖ ରହିଛି ଯେ, ବର୍ତ୍ତମାନଠାରୁ କୌଣସି ନୂତନ ରୋଗୀଙ୍କୁ ଭର୍ତ୍ତି କରିବେ ନାହିଁ। ତେବେ ଯେଉଁମାନେ ପୂର୍ବରୁ ଚିକିତ୍ସିତ ହେଉଛନ୍ତି ସେମାନଙ୍କ ଚିକିତ୍ସା ଜାରୀ ରଖିବେ। ସେମାନେ ସମସ୍ତେ ସୁସ୍ଥ ହୋଇ ଡିସଚାର୍ଯ୍ୟ ହେବା ପରେ ହସପିଟାଲକୁ ବନ୍ଦ କରିବେ। ଏହି ଆକ୍ରାନ୍ତଙ୍କ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ଯେପରି ବହନ କରୁଥିଲେ ସେହିପରି କରିବେ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି।

ତେବେ ସ୍ବାସ୍ଥ୍ୟ ବିଭାଗ ସମ କୋଭିଡ ହସପିଟାଲ ଓ ଅଶ୍ବନୀ କୋଭିଡ ହସପିଟାଲକୁ ଆଉ କିଛିଦିନ ପାଇଁ ଚାଲୁ ରଖିବାକୁ ନିଷ୍ପତି କରିଛନ୍ତି। ହେଲେ ପୂର୍ବ ଅପେକ୍ଷା ଶଯ୍ୟା ସଂଖ୍ୟା ହ୍ରାସ କରିଦିଆଯାଇଛି। ସେହି ଅନୁସାରେ ସମ କୋଭିଡ ହସପିଟାଲର 50 ଟି ସାଧାରଣ ଶଯ୍ୟା, 75ଟି ଆଇସିୟୁ ଏବଂ 25ଟି ଏଚଡିୟୁ ସଂରକ୍ଷିତ କରି ରଖାଯାଇଛି।

ସେହିପରି ଅଶ୍ବନୀ କୋଭିଡ ହସପିଟାଲ କୋଭିଡ ଯୋଦ୍ଧାମାନଙ୍କ ପାଇଁ ସମର୍ପିତ କରାଯାଇଥିବାରୁ ତାହାକୁ ଚାଲୁ ରଖାଯିବ। ଅନ୍ୟପକ୍ଷରେ କୋଭିଡ କେୟାର ସେଣ୍ଟର ଏବଂ କରୋନା କେୟାର ହୋମକୁ ସଂପୂର୍ଣ୍ଣ ବନ୍ଦ କରିବା ପାଇଁ ପୂର୍ବରୁ ନିର୍ଦ୍ଦେଶ ଦିଆଯାଇଛି।

Related posts