ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବଦଳିଲା ସ୍କୁଲ ସମୟ, ଏଣିକି ସକାଳ 7ଟାରୁ ହେବ ସ୍କୁଲ

Published: Feb 26, 2021, 7:02 pm IST

ଭୁବନେଶ୍ବର, ବର୍ତ୍ତମାନ ରାଜ୍ୟରେ ଯେପରି ଗ୍ରୀଷ୍ମ ପ୍ରବାହ ହେବାରେ ଲାଗିଛି ସେଥିପାଇଁ ରାଜ୍ୟ ସରକାର ସ୍କୁଲ ସମୟ ପରିବର୍ତ୍ତନ କରିଛନ୍ତି। ଏ ନେଇ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ତରଫରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି କରିଛନ୍ତି। ସେହି ଅନୁସାରେ ରାଜ୍ୟର ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ ଏବଂ ଘରୋଇ ସ୍କୁଲ ସମୟ ପରିବର୍ତ୍ତନ କରିବେ।

ଚିଠି ଅନୁସାରେ ଦଶମ ଏବଂ ଦ୍ବାଦଶ ଶ୍ରେଣୀର ପିଲାମାନଙ୍କ ପାଇଁ ଏଣିକି ସକାଳ 7ଟାରୁ ସ୍କୁଲ ଆରମ୍ଭ ହେବ। ଏହା ଦିନ 1ଟା ପର୍ଯ୍ୟନ୍ତ ଚାଲିବ। ତେବେ ଯେଉଁଠାରେ ସକାଳ 8ଟା 30ରୁ ଦିନ 10ଟା ପର୍ଯ୍ୟନ୍ତ ସ୍କୁଲ କରୁଥିଲେ ସେମାନଙ୍କ ପାଇଁ ଏହା ଲାଗୁ କରାଯିବ।

ସେହିପରି ଯେଉଁ ସ୍କୁଲ ଗୁଡିକ ଦିନ 11 ଟାରୁ ଅପରାହ୍ନ 4 ଟା ପର୍ଯ୍ୟନ୍ତ ସ୍କୁଲ କରୁଥିଲେ ସେମାନେ ମଧ୍ୟ ଏଥିରେ ପରିବର୍ତ୍ତନ କରିବେ। ସେମାନେ ସକାଳ 9ଟାରୁ ଦିନ 1 ଟା ପର୍ଯ୍ୟନ୍ତ ସ୍କୁଲ କରିବେ ବୋଲି ଏହି ଚିଠିରେ କୁହାଯାଇଛି। ଏହି ନୂଆ ସମୟ ମାର୍ଚ୍ଚ 1 ତାରିଖରୁ ଲାଗୁ କରିବା ପାଇଁ କୁହାଯାଇଛି।

ସେହିପରି ସ୍କୁଲରେ ପର୍ଯ୍ୟାପ୍ତ ପରିମାଣର ପିଇବା ପାଣି, ଓଆରଏସ ପ୍ୟାକେଟ ମଧ୍ୟ ମହଜୁଦ ରଖିବା ପାଇଁ କୁହାଯାଇଛି। ଯଦି କୌଣସି ସ୍କୁଲରେ ନଳକୂପ ଖରାପ ରହିଛି ତେବେ ତାହାକୁ ତୁରନ୍ତ ମରାମତି କରିବା ପାଇଁ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ସେହିପରି ସ୍କୁଲ ବସ ବା ଗାଡି ଛାତ୍ରଛାତ୍ରୀ କିମ୍ବା କର୍ମଚାରୀଙ୍କୁ ନବାଆଣିବା କରିବା ପାଇଁ ସୁବନ୍ଦୋବସ୍ତ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ କରାଯାଇଛି। ବାଟରେ ଯେପରି ଖରାରେ ପାଲିମାନେ ହଇରାଣ ନ ହୁଅନ୍ତୁ ସେ ନେଇ ନିଶ୍ଚିତ ହେବାକୁ କୁହାଯାଇଛି।

Related posts