ଚାଷୀ ସମସ୍ୟା ସମାଧାନ ନିମନ୍ତେ ବିଜେପି ବିଧାୟକଙ୍କ ପାଇଁ ଦୂଆର ଖୋଲି ଦେଲେ ମୁଖ୍ୟମନ୍ତ୍ରୀ ନବୀନ

Published: Mar 18, 2021, 2:56 pm IST

ଭୁବନେଶ୍ବର, ଆଜି ଭୁବନେଶ୍ବରର ରାଜରାସ୍ତାରେ ଦେଖାଦେଇଛି ଏକ ଭିନ୍ନ ଘଟଣା। କିଛିଦିନ ତଳେ ବିଜେଡି ବିଧାୟକମାନେ ଏକ ଶୋଭାଯାତ୍ରାରେ ବିଧାନସଭାରୁ ରାଜଭବନ ଯାଇଥିଲେ। ତାଙ୍କର ଦାବୀ ଥିଲା ଯେ ଗୃହରେ ବିଜେପି ବିଧାୟକ ଯେପରି ଆତ୍ମହତ୍ୟା ଉଦ୍ୟମ କଲେ ସେଥିପାଇଁ ସେ କ୍ଷମା ମାଗନ୍ତୁ। ବିଜେପି ଏହା ଉପରେ ସ୍ପଷ୍ଟିକରଣ ଦେଉ।

ଏହାର ଗୋଟିଏ ଦିନ ପରେ ଅର୍ଥାତ ଆଜି ବିଜେପି ବିଧାୟକମାନେ ବିଧାନସଭାରୁ ନବୀନ ନିବାସ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରାରେ ବାହାରିଥିଲେ। ତାଙ୍କର ଦାବୀ ହେଲା ଯେ, ମୁଖ୍ୟମନ୍ତ୍ରୀ କାହିଁକି ଗୃହକୁ ଆସୁ ନାହାଁନ୍ତି। ବିଭିନ୍ନ ଜିଲ୍ଲା ଗସ୍ତରେ ଯାଉଛନ୍ତି, ହେଲେ ବିଧାନସଭାକୁ ଆସୁ ନାହାଁନ୍ତି। ମୁଖ୍ୟମନ୍ତ୍ରୀ ଗୃହକୁ ଆସନ୍ତୁ, ଚାଷୀଙ୍କ ସମସ୍ୟା ବୁଝନ୍ତୁ ବୋଲି ଦାବୀ କରି ବିଜେପି ବିଧାୟକମାନେ ଏହି ରାଲି କରିଥିଲେ।

ବିଜେପି ବିଧାୟକମାନେ ବିଧାନସଭାରୁ ବିଭିନ୍ନ ପ୍ଲାକାର୍ଡ ହାତରେ ଧରି ନବୀନ ନିବାସ ଆଡକୁ ମାଡି ଚାଲିଥିଲେ। ହେଲେ ନବୀନ ନିବାସ ଗେଟ ବନ୍ଦ ରହିଥିଲା। ସୁରକ୍ଷା କର୍ମା ଗେଟ ଖୋଲିଲେ ନାହିଁ। ଫଳରେ ନବୀନ ନିବାସ ଆଗରେ ବିଜେପି ବିଧାୟକମାନେ ଧାରଣାରେ ବସି ରହିଲେ। ମୁଖ୍ୟମନ୍ତ୍ରୀ ବାହାରକୁ ଆସି ଚାଷୀଙ୍କ ସମସ୍ୟା କଥା ନ ବୁଝିବା ପର୍ଯ୍ୟନ୍ତ ସେମାନେ ଧାରଣାରୁ ଉଠିବେ ନାହିଁ ବୋଲି ଦାବୀ କରିଥିଲେ।

ଏହି ଖବର ନବୀନ ନିବାସକୁ ଯିବା ପରେ ମୁଖ୍ୟମନ୍ତ୍ରୀ ବାହାରକୁ ଆସି ବିଧାୟକଙ୍କୁ ଭିତରକୁ ଡାକି ନେଇଥିଲେ। ଧାରଣାରତ ବିଧାୟକମାନେ ନବୀନ ନିବାସ ଭିତରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି। ଏହି ଆଲୋଚନାରେ ନବୀନ ବିଧାୟକମାନଙ୍କୁ ପ୍ରତିଶୃତି ଦେଇଛନ୍ତି ଯେ ସର୍ବଦଳୀୟ ବୈଠକ ଡାକିବେ। ବାଚସ୍ପତିଙ୍କ ସହିତ ଆଲୋଚନା କରି ଏହାର ସମାଧାନ କରିବେ।

ନବୀନ ନିବାସ ବାହାରକୁ ଆସି ବିରୋଧୀ ଦଳର ନେତା ପ୍ରଦୀପ ନାୟକ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ତାଙ୍କୁ ଭିତରକୁ ଡାକିବାରୁ ସେମାନେ ଗଲେ। ସେଠାରେ ସେ ଆମ ସହିତ ଆଲୋଚନା କଲେ। ବିଧାନସଭା କିପରି ଚାଲିବ ସେ ନେଇ ନବୀନ ପ୍ରତିଶୃତି ଦେଇଛନ୍ତି। ତେବେ ବିଜେପି ବିଧାୟକଙ୍କ ଏପରି ପଦକ୍ଷେପକୁ ବିଜେଡି ତରଫରୁ ସମାଲୋଚନା କରାଯାଇଛି।

Related posts