Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କରୋନା ଲେଉଟାଣି ପାଇଁ ସଜାଗ ହେଲେ ରାଜ୍ୟ ସରକାର, ପ୍ରତିଦିନ ସମୀକ୍ଷା କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ଜାତୀୟ ଖବର

କରୋନା ଲେଉଟାଣି ପାଇଁ ସଜାଗ ହେଲେ ରାଜ୍ୟ ସରକାର, ପ୍ରତିଦିନ ସମୀକ୍ଷା କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

March 24, 2021No Comments4 Mins Read
Share Facebook Twitter LinkedIn Email WhatsApp Copy Link
କରୋନା ଲେଉଟାଣି ପାଇଁ ସଜାଗ ହେଲେ ରାଜ୍ୟ ସରକାର, ପ୍ରତିଦିନ ସମୀକ୍ଷା କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ କୋଭିଡ ମହାମାରୀର ସମ୍ଭାବ୍ୟ ଦ୍ବିତୀୟ ସଂକ୍ରମଣର ମୁକାବିଲା ସଂପର୍କରେ ସମୀକ୍ଷା କରି ବ୍ୟାପକ ସତର୍କତା ମୂଳକ ପଦକ୍ଷେପ ଓ ଜନସଚେତନତା ଉପରେ ଗୁରୁତ୍ବ ଆରୋପ କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କେତେକ ରାଜ୍ୟରେ ପରିସ୍ଥିତି ଦ୍ରୁତ ଗତିରେ ବିଗିଡିବାରେ ଲାଗିଛି। ଏବେଠାରୁ ତୁରନ୍ତ ପ୍ରତିରୋଧମୂଳକ ପଦକ୍ଷେପ ନ ନେଲେ, ଆମ ରାଜ୍ୟ ମଧ୍ୟ ଘୋର ବିପଦର ସମ୍ମୁଖୀନ ହେବ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରାଇ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହା ମଧ୍ୟରେ କୋଭିଡ ଯୁଦ୍ଧର ଏକ ବର୍ଷ ପୂରଣ ହୋଇଯାଇଛି । ତେବେ ଆମର ଡାକ୍ତର, ପାରାମେଡିକ୍, ଆଗଧାଡିର ଯୋଦ୍ଧା, ପ୍ରଶାସନ, ପଞ୍ଚାୟତ ପ୍ରତିନିଧି ଓ ପୋଲିସ– ଏ ସମସ୍ତଙ୍କର ନିସ୍ବାର୍ଥପର ସେବା ଓ ତ୍ୟାଗ ଯୋଗୁ ଆମେ ଏପର‌୍ୟ୍ୟନ୍ତ ଭୂତାଣୁର ମୁକାବିଲାରେ ସଫଳ ହୋଇଛୁ ।

ରାଜ୍ୟ ମଧ୍ୟ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ସଫଳ କୋଭିଡ ମୁକାବିଲା ପାଇଁ ସ୍ବୀକୃତି ହାସଲ କରିଛି ବୋଲି ସେ କହିଥିଲେ। ଏବେ ଯେତେବେଳ ରୋଗ ନିୟନ୍ତ୍ରଣ, ଜୀବିକା ସୃଷ୍ଟି ଓ ଅର୍ଥନୀତି କ୍ଷେତ୍ରରେ ରାଜ୍ୟ ସ୍ବାଭାବିକ ପରିସ୍ଥିତିକୁ ଫେରିଆସୁଛି, ସେତେବେଳେ ଆମ ଦେଶ ସହିତ ବିଶ୍ବର ଅନେକ ଦେଶରେ କୋଭିଡର ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟ କରାଯାଉଛି । ଆମ ଦେଶରେ ଦ୍ବିତୀୟ ସଂକ୍ରମଣ ଆରମ୍ଭ ହେବା ପରି ପରିସ୍ଥିତି ଲକ୍ଷ୍ୟ କରାଯାଉଛି।

ତେଣୁ ଏଭଳି ପରିସ୍ଥିତିରେ ଦ୍ବିତୀୟ ସଂକ୍ରମଣକୁ ରୋକିବା ପାଇଁ ମାସ୍କ ବ୍ୟବହାର ଓ ହାତଧୁଆ ଉପରେ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ପଦକ୍ଷେପ ନେବା ଜରୁରୀ । ବିଶେଷକରି ସର୍ବସାଧାରଣ ସ୍ଥାନରେ ମାସ୍କ ବ୍ୟବହାରର ଦୃଢ ଅନୁପାଳନକୁ ସୁନିଶ୍ଚିତ କରିବାର ଆବଶ୍ୟକତା ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ସମସ୍ତ ଜିଲ୍ଲାଗୁଡିକ ନିଜ ନିଜ ଅଞ୍ଚଳର ସ୍ଥାନୀୟ ନେତୃବୃନ୍ଦ, ପଞ୍ଚାୟତ ପ୍ରତିନିଧି ଓ ଧାର୍ମିକ ସଂସ୍ଥା ଆଦି ବିଭିନ୍ନ ଆବଶ୍ୟକ ବ୍ୟକ୍ତି ଓ ସଂସ୍ଥା ମାନଙ୍କ ସହିତ ସଚେତନତା ଓ ସମନ୍ବୟ ବୈଠକ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଅନେକ ଦେଶରେ କୋଭିଡର ଦ୍ବିତୀୟ ଲହର ପ୍ରଥମ ଲହର ଠାରୁ ଅଧିକ ଭୟଙ୍କର ହେଉଛି। ଏସବୁ ଦେଶ ପୁଣି ଲକ୍‌ଡାଉନ ପରିସ୍ଥିତିକୁ ଫେରୁଛନ୍ତି। ଆମ ପକ୍ଷରେ ପୁଣି ଥରେ ଲକ୍‌ଡାଉନକୁ ଫେରିବା ବହୁତ କ୍ଷତିକାରକ ହେବ। ତେଣୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ନିବେଦନ କରିଥିଲେ ଯେ ଆମ ସମସ୍ତେ ଆତ୍ମ ସଂଯମତା ପାଳନ କରିବା ସହିତ ରାଜ୍ୟର ସବୁସ୍ଥାନରେ କୋଭିଡ ନିୟମାବଳୀର ଅନୁପାଳନକୁ ସୁନିଶ୍ଚିତ କରିବା ।

ଦ୍ବିତୀୟ ଲହର ନ ହେବା ପାଇଁ ରାଜ୍ୟ ପ୍ରଶାସନ ନୂତନ ଉତ୍ସାହ ସହିତ କାର‌୍ୟ୍ୟ କରିବାକୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମେ ସମସ୍ତେ ସତର୍କ ରହିବା ଏବଂ ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ପ୍ରତିରୋଧମୂଳକ ପଦକ୍ଷେପକୁ କାର‌୍ୟ୍ୟକାରୀ କରିବା । ପରିସ୍ଥିତି ଉପରେ ସତର୍କ ନଜର ରଖିବା ସହ ନିୟମିତ ସମୀକ୍ଷା କରିବା ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଜିଲ୍ଲାପାଳ ଓ ଏସ୍‌.ପି ମାନେ ନିଜ ନିଜ ଅଞ୍ଚଳରେ ବ୍ୟକ୍ତିଗତ ଭାବେ ଏହି ଅନୁପାଳନକୁ ତଦାରଖ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ସେହିପରି ସ୍ବାସ୍ଥ୍ୟ ଏବଂ ସୂଚନା ଓ ଲୋକସଂପର୍କ ବିଭାଗ ବ୍ୟାପକ ପ୍ରଚାର ଓ IEC campaign ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ପରିମର୍ଶ ଦେଇଥିଲେ। ଗାଁ, ସାପ୍ତାହିକ ହାଟ ଓ ଭିଡ ପରିଲକ୍ଷିତ ହେଉଥିବା ମାର୍କେଟରେ ଡାକବାଜି ଯନ୍ତ୍ର ଜରିଆରେ ସମସ୍ତ ନିୟମାବଳୀ ଓ ଜରୁରୀ ସୂଚନା ସଂପର୍କରେ ତୁରନ୍ତ ଘୋଷଣା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାପାଳମାନେ ନିଜ ନିଜ ଅଞ୍ଚଳରେ ସର୍ଭେଲାନସ୍ ଓ ଟେଷ୍ଟିଂ କାର‌୍ୟ୍ୟକ୍ରମକୁ କଡାକଡି ଭାବରେ ତଦାରଖ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ସମଗ୍ର ପ୍ରଶାସନିକ କଳକୁ ପରିସ୍ଥିତିର ଗମ୍ଭୀରତା ଅନୁଭବ କରିବାକୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ ସମସ୍ତେ ନିଜ ନିଜକୁ କୋଭିଡ ଯୁଦ୍ଧରେ ପୁଣିଥରେ ନିଷ୍ଠାର ସହ ସାମିଲ କରିବା ପାଇଁ ନିବେଦନ କରିଥିଲେ। ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟରେ କୋଭିଡ ନିୟମକୁ ଅଧିକ କଡାକଡି ଭାବରେ ପାଳନ କରାଯିବ । ଛତିଶଗଡ ସୀମାନ୍ତବର୍ତ୍ତୀ ଜିଲ୍ଲାଗୁଡିକ ଅଧିକ ସତର୍କ ରହିବା ପାଇଁ ସେ ପରାମର୍ଶ ଦେଇଥିଲେ।

ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ବର୍ତ୍ତମାନର ସ୍ଥିତି ସଂପର୍କରେ ବିସ୍ତୃତ ଉପସ୍ଥାପନା ଦେଇଥିଲେ। ଗତ କିଛି ଦିନ ହେଲା କୋଭିଡ ପଜିଟିଭ କେସ୍‌ରେ ସାମାନ୍ୟ ବୃଦ୍ଧି ଆସିଛି ବୋଲି ପ୍ରକାଶ କରି ସେ କହିଥିଲେ ଯେ ରାଜ୍ୟର ସୁନ୍ଦରଗଡ, ମୟୁରଭଞ୍ଜ, କଟକ ଓ ଖୋର୍ଦ୍ଧା – ଏହି ୪ ଗୋଟି ଜିଲ୍ଲାରେ ରାଜ୍ୟରେ ବାହାରୁଥିବା ପଜିଟିଭ ସଂଖ୍ୟାର ୪୦ ପ୍ରତିଶତ ଥିବାବେଳେ ନୟାଗଡ ଓ ମାଲକାନଗିରିରେ କେହି ଜଣେ ବି ପଜିଟିଭ ନାହାନ୍ତି ବୋଲି ସେ କହିଥିଲେ। ବର୍ତ୍ତମାନ ରାଜ୍ୟରେ ୮୯୮ ଜଣ ସକ୍ରିୟ ରୋଗୀ ଥିବାବେଳେ, ୧୦୬ ଜଣ ହସ୍‌ପିଟାଲରେ ଚିକିତ୍ସିତ ହେଉଛନ୍ତି ଏବଂ ରାଜ୍ୟର କୋଭିଡ ଭିତ୍ତିଭୂମି ସଂପୂର୍ଣ୍ଣ ପ୍ରସ୍ତୁତ ଅଛି ବୋଲି ସେ କହିଥିଲେ।

RT-PCR ଟେଷ୍ଟ ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି ଓ ରେଡ୍ ଫ୍ଲାଗ୍ ରାଜ୍ୟ ଗୁଡିକରୁ ଆସୁଥିବା ଲୋକମାନଙ୍କୁ କଡାକଡି ଯାଂଚ କରାଯାଉଛି। ଟୀକାକରଣ ସଂପର୍କରେ ଆଲୋକପାତ କରି ସେ କହିଲେ ଯେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୮.୮୧ ଲକ୍ଷ ଲୋକଙ୍କୁ ଟୀକା ଦିଆଯାଇସାରିଛି । ଅଧିକ ୨୫ ଲକ୍ଷ ଡୋଜ୍ ଟୀକା ପଠାଇବା ପାଇଁ କେନ୍ଦ୍ରକୁ ଅନୁରୋଧ କରାଯାଇଛି ବୋଲି ସେ କହିଥିଲେ। ରାଜ୍ୟରେ ଟୀକା ନଷ୍ଟ ପରିମାଣ ୦.୨୪ ପ୍ରତିଶତ ରହିଛି, ଯାହାକି ସମଗ୍ର ଦେଶରେ ସବୁଠାରୁ କମ୍ ବୋଲି ସେ କହିଥିଲେ।
ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ କହିଥିଲେ ଯେ କୋଭିଡ ନିୟମର କଡା ଅନୁପାଳନ ପାଇଁ ପୋଲିସ ପ୍ରଶାସନକୁ ଦୃଢ ନିର୍ଦ୍ଦେଶ ଦିଆଯାଇଛି ।

ଷ୍ଟେସନ ଓ ବିମାନ ବନ୍ଦର ଗୁଡିକରେ ବାହାରୁ ଆସୁଥିବା ଯାତ୍ରୀମାନଙ୍କ ଉପରେ କଡା ନଜର ରଖାଯିବା ସହିତ ସେମାନଙ୍କ ଟେଷ୍ଟିଂ ପାଇଁ ମଧ୍ୟ ପଦକ୍ଷେପ ନିଆଯାଉଛି ବୋଲି ବୈଠକରେ ସୂଚନା ଦିଆଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ବୈଠକ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିଶନର ଶ୍ରୀ ପି.କେ ଜେନା, କୃଷି ଉତ୍ପାଦନ କମିଶନର ଶ୍ରୀ ଆର୍‌. କେ. ଶର୍ମା, କୃଷି ବିଭାଗ ପ୍ରମୁଖ ସଚିବ ଶ୍ରୀ ସୌରଭ ଗର୍ଗ, ଜଳସଂପଦ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ଅନୁ ଗର୍ଗ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Corona Return କରୋନା ସମୀକ୍ଷା ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା
Share. Facebook Twitter LinkedIn Email WhatsApp Copy Link

Related Posts

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା, ଖୁବ୍ ଶୀଘ୍ର ଘୋଷଣା ହେବ ତାରିଖ

July 23, 2025

ଆଜି ମାଞ୍ଚେଷ୍ଟରରେ ବର୍ଷା ସମ୍ଭାବନା, ଗୁରୁତ୍ୱପୂର୍ଣ୍ଣ ହେବ ଟସ୍, ପଢ଼ନ୍ତୁ ପିଚ୍ ରିପୋର୍ଟ

July 23, 2025

ଆଜିଠାରୁ ଚତୁର୍ଥ ଟେଷ୍ଟ: ମ୍ୟାଚ ପୂର୍ବରୁ ଟିମ୍ ଇଣ୍ଡିଆକୁ ଇଂଲଣ୍ଡ ଅଧିନାୟକଙ୍କ ଚେତାବନୀ, ଦେଲେ ଏହି ବଡ଼ ବୟାନ

July 23, 2025

ସୃଷ୍ଟି ହେଲା ୨୦୮୦ ନୂତନ ପଦବୀ, ଓଆଇଏସଏଫ ପାଇଁ ଆଉ ଦୁଇ ବାଟାଲିଅନକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ

July 23, 2025
Latest News

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା, ଖୁବ୍ ଶୀଘ୍ର ଘୋଷଣା ହେବ ତାରିଖ

July 23, 2025

ଆଜି ମାଞ୍ଚେଷ୍ଟରରେ ବର୍ଷା ସମ୍ଭାବନା, ଗୁରୁତ୍ୱପୂର୍ଣ୍ଣ ହେବ ଟସ୍, ପଢ଼ନ୍ତୁ ପିଚ୍ ରିପୋର୍ଟ

July 23, 2025

ବିଫଳ ହେଲା ପାକିସ୍ତାନର ଶାହିନ-୩ କ୍ଷେପଣାସ୍ତ୍ର!: ପରୀକ୍ଷଣ ସମୟରେ ନିଜ ଦେଶରେ ହେଲା ବିସ୍ଫୋରଣ

July 23, 2025

ଆଜିଠାରୁ ଚତୁର୍ଥ ଟେଷ୍ଟ: ମ୍ୟାଚ ପୂର୍ବରୁ ଟିମ୍ ଇଣ୍ଡିଆକୁ ଇଂଲଣ୍ଡ ଅଧିନାୟକଙ୍କ ଚେତାବନୀ, ଦେଲେ ଏହି ବଡ଼ ବୟାନ

July 23, 2025

ସୃଷ୍ଟି ହେଲା ୨୦୮୦ ନୂତନ ପଦବୀ, ଓଆଇଏସଏଫ ପାଇଁ ଆଉ ଦୁଇ ବାଟାଲିଅନକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ

July 23, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.