ଧର୍ମେନ୍ଦ୍ର ପ୍ରାଧାନ୍ୟ ଅଙ୍କ ସବୁ ହୋଇଗଲା ଭୁଲ, ଏବେ ଗଣମାଧ୍ୟମ ଗୁରୁତ୍ବପୂର୍ଣ୍ଣ ନା ଗୁରୁତ୍ବହୀନ କହିବ

Published: Jul 14, 2021, 10:27 pm IST

ଭୁବନେଶ୍ବର, ଧର୍ମେନ୍ଦ୍ର ପ୍ରଧାନଙ୍କ ବଡ ଆଶାଥିଲା ପେଟ୍ରୋଲିୟମ ଆଉ ଇସ୍ପାତ ବିଭାଗ ଯାଉ ପଛେ ରାଜ୍ୟସଭାରେ ବିଜେପି ସଂସଦୀୟ ନେତା ପଦ ମିଳୁ। ହେଲେ ସେଥିରେ ମଧ୍ୟ ତାଙ୍କୁ ହତାସ ହେବାକୁ ପଡିଛି।  ଆଜି ପୀୟୁଶ ଗୋଏଲଙ୍କୁ ବିଜେପି ଏହି ପଦ ପାଇଁ ମନୋନିତ କରିଛି। ତେବେ ଧର୍ମେନ୍ଦ୍ର କଣ ପାଇବେ ଆଉ ନ ପାଇବେ ତାହା ବଡ କଥା ନୁହେଁ। ବଡକଥା ହେଲା ଯେଉଁ ଗଣମାଧ୍ୟମ ତାଙ୍କୁ ମୋଦି ବେଶ ଗୁରୁ ଦାୟିତ୍ବ ଦେଇଛନ୍ତି ଏବଂ ଆଉ ଦେବେ ବୋଲି ପ୍ରଚାର କରୁଥିଲେ ସେମାନେ ଏବେ କହିବେ କଣ ?

ଧର୍ମେନ୍ଦ୍ରଙ୍କୁ ଯେତେବେଳେ ପେଟ୍ରୋଲିୟମ ଓ ଇସ୍ପାତ ବିଭାଗରୁ ବାହାର କରି ଶିକ୍ଷା ମନ୍ତ୍ରୀ କରାଗଲା ସେତେେବଳେ ଏହି ଗଣମାଧ୍ୟମଗୁଡିକର ପ୍ରଚାର ଥିଲା ଭିନ୍ନ। ଏମାନେ ଧର୍ମେନ୍ଦ୍ରଙ୍କୁ ମୋଦି ବେଶ ଗୁରୁତ୍ବ ଦେଇଛନ୍ତି ବୋଲି ପ୍ରଚାର କରିଥିଲେ। ଶିକ୍ଷା ବିଭାଗର ଗୁରୁତ୍ବ କେତେ ସେହିମାନେ ହିଁ ଜାଣିଥିବେ, ହେଲେ ସାଧାରଣ ଲୋକେ ଏହା ଠିକ୍ ବୁଝିଥିଲେ।

ଏହାପରେ ପୁଣି ଜାତୀୟ ଏବଂ ରାଜ୍ୟ ଗଣମାଧ୍ୟମରେ ପ୍ରଚାର କରାଗଲା ଯେ, ମୋଦି ଧର୍ମେନ୍ଦ୍ରଙ୍କୁ ପୁଣି ଏକ ଗୁରୁ ଦାୟିତ୍ବ ଦେବେ। ତାହା ଥିଲା ସେ କୁଆଡେ ରାଜ୍ୟସଭାରେ ବିଜେପି ସଂସଦୀୟ ଦଳର ନେତା ହେବେ। ଏହା ଦ୍ବାରା ତାଙ୍କର କ୍ଷମତା ବଢିବ। ଏହାକୁ ବେଶ କିଛିଦିନ ଧରି ପ୍ରମୁଖ ଖବର ଭାବେ ପ୍ରଚାର ପ୍ରସାର କରାଗଲା। ହେଲେ ତାହା ମଧ୍ୟ ନ ମିଳିବା ପରେ ସେମାନେ ଏବେ ଚୁପ ହୋଇଯାଇଛନ୍ତି।

ନିକଟରେ ଧର୍ମେନ୍ଦ୍ରଙ୍କୁ ଯେତେବେଳେ କେତେକ ସଂସଦୀୟ କମିଟର ସଦସ୍ୟ କରାଗଲା ତାହାକୁ ମଧ୍ୟ ଏହି ଗଣମାଧ୍ୟମ ବେଶ ଗୁରୁତ୍ବପୂର୍ଣ ବୋଲି କହି ବୁଲିଲେ। ପ୍ରକୃତରେ ସଂସଦୀୟ କମଟିର ସଦସ୍ୟ ହେବା ଦ୍ବାରା କଣ ହୁଏ ତାହା ସାଧାରଣ ଜନତା ଜାଣନ୍ତି ନାହିଁ। ହେଲେ ଏହି କମିଟରେ ରହିବା ଦ୍ବାରା ଧର୍ମେନ୍ଦ୍ରଙ୍କ କୁଆଡେ କ୍ଷମତା ବୃଦ୍ଧି ହେଲା ବୋଲି କୁହାଗଲା।

ଏସବୁ ରିପୋର୍ଟ ଦେଖିବା ପରେ ଜଣଙ୍କର ମନରେ ପ୍ରଶ୍ନ ଆସିବ ଯେ, ଧର୍ମେନ୍ଦ୍ର କଣ କ୍ଷମତା ଲୋଭୀ କି ? ଧର୍ମେନ୍ଦ୍ର କଣ ବିନା କ୍ଷମତାରେ ରାଜନୀତି କରିପାରିବେ ନାହିଁ କି ? ଏସବୁ ଭିତରେ ଆମେ ଏକ ଗୁରୁତ୍ବ ପୂର୍ଣ୍ଣ ତଥ୍ୟ ପାଇଛୁ। ତାହା ହେଲା, ଧର୍ମେନ୍ଦ୍ରଙ୍କୁ ସଂସଦୀୟ ନେତା କରିବା ପରେ କିପରି ଖବର ପ୍ରସାରଣ ହେବ ସେଥିପାଇଁ କରାଯାଇଥିଲା ଏକ ବଡ ଯୋଜନା।

ନୂଆଦିଲ୍ଲୀର କେତେକ ଗଣମାଧ୍ୟମ ପ୍ରତିନିଧିଙ୍କ ଅନୁସାରେ ଧର୍ମେନ୍ଦ୍ରଙ୍କର କୋଟେରୀ ଏଥିପାଇଁ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ସେମାନେ ଜାତୀୟ ସ୍ତରର କେତେକ ଗଣମାଧ୍ୟମ ସହିତ ଯୋଗାଯୋଗ କରି ଏଥିପାଇଁ ପ୍ରସ୍ତୁତ ହୋଇ ରହିବାକୁ କହିଥିଲେ। ଓଡିଶାରେ ମଧ୍ୟ ଧର୍ମେନ୍ଦ୍ରଙ୍କ ସମର୍ଥିତ ଚ୍ୟାନେଲ ବ୍ୟତିତ ଆଉ ତିନୋଟି ଚ୍ୟାନେଲ ସହିତ ଯୋଗାଯୋଗ କରାଯାଇଥିଲା। କେଉଁ ଲାଇନରେ ଖବର ଏବଂ ଆଲୋଚନା ହେବ ସେ ନେଇ ସେମାନଙ୍କୁ ଇଂରାଜୀ ଓ ଓଡିଆ ଭାଷାରେ ତଥ୍ୟ ମଧ୍ୟ ଯୋଗାଇ ଦିଆଯାଇଥିଲା।

ଯଦି ଧର୍ମେନ୍ଦ୍ରଙ୍କ ନାମ ସଂସଦୀୟ ନେତା ଭାବେ ଘୋଷଣା ହୋଇଥାଆନ୍ତା ତେବେ ଏମାନେ ସିଂହ ଲମ୍ପ ପ୍ରଦାନ କରିବା ପରି ଷ୍ଟୁଡିଓକୁ ଓହ୍ଲାଇ ଥାଆନ୍ତେ। ଧର୍ମେନ୍ଦ୍ରଙ୍କ କ୍ଷମତା ବଢିଲା ବୋଲି ଘନଘନ ପ୍ରଚାର କରିଥାଆନ୍ତେ। ହେଲେ ଶେଷ ମୂହୁର୍ତ୍ତରେ ଧର୍ମେନ୍ଦ୍ର ପ୍ରାଧାନ୍ୟ ଅଙ୍କ ସବୁ ଭୁଲ ହୋଇଗଲା।

Related posts