ଶିକ୍ଷକମାନଙ୍କୁ ରାଷ୍ଟ୍ରୀୟ ପୁରସ୍କାରରେ ସମ୍ମାନିତ କରିବା ଅବସରରେ ଏହା କହିଲେ ରାଷ୍ଟ୍ରପତି କୋବିନ୍ଦ

Published: Sep 5, 2021, 10:53 pm IST

ନୂଆଦିଲ୍ଲୀ, ଛାତ୍ରମାନଙ୍କ ଭିତରେ ଥିବା ଅନ୍ତର୍ନିହିତ ପ୍ରତିଭାର ଉପଯୁକ୍ତ ବିକାଶର ସମନ୍ୱୟ ଘଟାଇବା ଦାୟିତ୍ୱ ଶିକ୍ଷକ ସମାଜର; ଜଣେ ଉତ୍ତମ ଶିକ୍ଷକ ହେଉଛନ୍ତି ବ୍ୟକ୍ତିତ୍ୱ ଗଠନର ପ୍ରକୃତ ନିର୍ମାତା, ଜଣେ ସମାଜ ନିର୍ମାତା ଏବଂ ଜଣେ ରାଷ୍ଟ୍ର ନିର୍ମାତା ବୋଲି ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ମତ ପୋଷଣ କରିଛନ୍ତି । ଆଜି ଗୁରୁ ଦିବସ ଅବସରରେ ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବ ଉତ୍ସବରେ ଭର୍ଚୁଆଲ ମୋଡ଼ରେ ଦେଶର ୪୪ ଜଣ ଶିକ୍ଷକଙ୍କୁ ଜାତୀୟ ପୁରସ୍କାରରେ ସମ୍ମାନିତ କରିବା ବେଳେ ସେ ଏହି ମତ ବ୍ୟକ୍ତ କରିଛନ୍ତି ।

ରାଷ୍ଟ୍ରୀୟ ପୁରସ୍କାରରେ ସମ୍ମାନିତ ହେଉଥିବା ସମସ୍ତ ଶିକ୍ଷକମାନଙ୍କୁ ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ଏହି ଅବସରରେ ଅଭିନନ୍ଦନ ଜଣାଇଥିଲେ ଓ ସେମାନଙ୍କ ବିଶେଷ ଅବଦାନକୁ ପ୍ରଶଂସା କରିଥିଲେ । ସେ କହିଲେ ଯେ କେବଳ ଉତ୍ତମ ଭାବେ ପ୍ରଶିକ୍ଷିତ ତଥା ଉତ୍ସର୍ଗୀକୃତ ଶିକ୍ଷକମାନଙ୍କ ହାତରେ ହିଁ ଆମମାନଙ୍କ ଭବିଷ୍ୟତ ପିଢ଼ି ସୁରକ୍ଷିତ ରହିପାରିବେ ଏବଂ ସେମାନଙ୍କୁ ସୁଦୃଢ଼ କରାଯାଇପାରିବ । ଲୋକମାନେ ସେମାନଙ୍କର ଶିକ୍ଷକମାନଙ୍କୁ ହିଁ ସାରା ଜୀବନ ସ୍ମରଣ ରଖିଥାନ୍ତି । ଶିକ୍ଷକମାନେ ସେମାନଙ୍କ ଛାତ୍ରଛାତ୍ରୀଙ୍କ ପ୍ରତି ସେହିଭଳି ଶ୍ରଦ୍ଧା ରଖିଥାନ୍ତି, ତେଣୁ ଛାତ୍ରଛାତ୍ରୀମାନେ ସେମାନଙ୍କୁ ସାରା ଜୀବନ ଶ୍ରଦ୍ଧା କରିଥାନ୍ତି ।

ରାଷ୍ଟ୍ରପତି ଦେଶର ଶିକ୍ଷକମାନଙ୍କୁ ଆହ୍ୱାନ ଜଣାଇ କହିଥିଲେ ଯେ ସେମାନେ ନିଜର ଛାତ୍ରଛାତ୍ରୀମାନଙ୍କୁ ଏଭଳି ସଦାବେଳେ ପ୍ରଭାବିତ କରନ୍ତୁ ଯଦ୍ୱାରା ସେମାନେ ଶିଷ୍ୟମାନେ ଏକ ସ୍ୱର୍ଣ୍ଣିମ ଭବିଷ୍ୟତର ପରିକଳ୍ପନା କରିପାରିବେ ଏବଂ ସେମାନଙ୍କର ଆଶା ଆକାଂକ୍ଷାକୁ ସାକାର କରିପାରିବେ । ରାଷ୍ଟ୍ରପତି କହିଲେ ଯେ ପ୍ରତ୍ୟେକ ଶିକ୍ଷକଙ୍କର ଏହା ଦାୟିତ୍ୱ ଯେ ସେମାନେ ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଧ୍ୟୟନ ନିମନ୍ତେ ଅନୁପ୍ରାଣୀତ କରନ୍ତୁ ।

ସଂବେଦନୀ ଶିକ୍ଷକମାନଙ୍କ ଏଭଳି ଆଚରଣ ଦ୍ୱାରା ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ଗଢ଼ି ହୋଇପାରିବ । ସେ କହିଲେ ଯେ ସେମାନେ ଏକଥା ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ ଯେ ପ୍ରତ୍ୟେକ ଛାତ୍ରଙ୍କ ଭିତରେ ନିହିତ ଥିବା ଭିନ୍ନ ଭିନ୍ନ ସାମର୍ଥ୍ୟ, ପ୍ରଜ୍ଞା, ମାନସିକତାକୁ ସାମାଜିକ ପୃଷ୍ଠଭୂମି ତଥା ପରିବେଶ ଦୃଷ୍ଟିରୁ କିଭଳି ଭାବେ ଉପଯୋଗୀ କରାଯାଇପାରିବ । ତଦ୍ୱାରା ପ୍ରତ୍ୟେକ ଶିଶୁର ସାମଗ୍ରିକ ବିକାଶ ଘଟିପାରିବ ଏବଂ ସେମାନଙ୍କର ବିଶେଷ ଆବଶ୍ୟକତା, ସ୍ୱାର୍ଥ ଓ ସାମର୍ଥ୍ୟ ପ୍ରତି ଦୃଷ୍ଟି ପ୍ରଦାନ କରାଯାଇପାରିବ ।

ରାଷ୍ଟ୍ରପତି ଶ୍ରୀ କୋବିନ୍ଦ କହିଲେ ଯେ ଗତ ପ୍ରାୟ ଦେଢ଼ ବର୍ଷ ଧରି ସମଗ୍ର ବିଶ୍ୱ ମହାମାରୀ କରୋନା ଦ୍ୱାରା ଆକ୍ରାନ୍ତ ହୋଇରହିଛି ଏବଂ ତାହା ଏକ ସମସ୍ୟା ରୂପେ ଦେଖାଦେଇଛି । ଏହି ପରିସ୍ଥିତିରେ ଯେତେବେଳେ କି ସମସ୍ତ ସ୍କୁଲ ଓ କଲେଜ ବନ୍ଦ୍ ରହିଛି, ଶିକ୍ଷକମାନଙ୍କୁ ନିଜର ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଦାନର ସୁଯୋଗ କିଭଳି ଯୋଗାଇ ଦିଆଯାଇପାରିବ ତାହା ସେମାନେ ଚିନ୍ତା କରିବା ଉଚିତ । ଏଥିପାଇଁ ଶିକ୍ଷକମାନଙ୍କୁ ଡିଜିଟାଲ ପ୍ଲାଟଫର୍ମକୁ ଖୁବ୍ କମ୍ ସମୟରେ ଓହ୍ଲେଇବାକୁ ପଡ଼ିଥିଲା ଓ ସେମାନେ ଏହି ମାଧ୍ୟମରେ ଶିକ୍ଷାଦାନ ପଦ୍ଧତି ଶିକ୍ଷା କରିଥିଲେ ଯାହାକି ବେଶ୍ ଉଲ୍ଲେଖନୀୟ ।

ବିଦ୍ୟାଳୟମାନଙ୍କରେ ଏବେ ସେହିଭଳି ବିଶେଷ ସଂସାଧନର ବିକାଶ ଘଟାଯାଇଛି ଏବଂ ଏହା ପଛରେ ଶିକ୍ଷକମାନଙ୍କର କଠିନ ଶ୍ରମ ଓ ନିଷ୍ଠ ନିହିତ ରହିଛି ବୋଲି ରାଷ୍ଟ୍ରପତି କହିଥିଲେ। ସେଥିପାଇଁ ସେ ଶିକ୍ଷକମାନଙ୍କ କର୍ମନିଷ୍ଠାକୁ ଭୂୟସୀ ପ୍ରଶଂସା କରିଥିଲେ ଏବଂ ଆଶା ପୋଷଣ କରି କହିଥିଲେ ଯେ ପରିବର୍ତ୍ତିତ ପରିସ୍ଥିତି ଓ ପରିବେଶ ସହିତ ଖାପ ଖୁଆଇ ସେମାନଙ୍କୁ ଶିକ୍ଷାଦାନର ପଦ୍ଧତିରେ ପରିବର୍ତ୍ତନ ଘଟାଇବା ଆବଶ୍ୟକ ।

ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ନିଜ ଭାଷଣ ପ୍ରସଙ୍ଗରେ ଉଲ୍ଲେଖ କରିଥିଲେ ଯେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଶିକ୍ଷକମାନଙ୍କୁ ଅଧିକ ସକ୍ରିୟ ଓ ସକ୍ଷମ କରିବା ସକାଶେ କେତେଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । ମନ୍ତ୍ରଣାଳୟ ପକ୍ଷରୁ ସମନ୍ୱିତ ଶିକ୍ଷକ ତାଲିମ କାର‌୍ୟ୍ୟକ୍ରମ ‘ନିଷ୍ଠା’ ଆରମ୍ଭ କରାଯାଇଛି ଯାହା ଅଧୀନରେ ଶିକ୍ଷକମାନଙ୍କ ‘ଅନଲାଇନ୍ ଦକ୍ଷତା ବୃଦ୍ଧି’ ପ୍ରତି ଅଧିକ ଧ୍ୟାନ ଦିଆଯାଉଛି ।

ଏହା ବ୍ୟତୀତ ‘ପ୍ରାଜ୍ଞତା’ ଅର୍ଥାତ, ଡିଜିଟାଲ ଶିକ୍ଷା ନିମନ୍ତେ ଗାଇଡ଼ଲାଇନ ମଧ୍ୟ ଗତ ବର୍ଷ ଜାରି କରାଯାଇଥିଲା । ଏହା ବେଶ୍ ପ୍ରଶଂସନୀୟ ପଦକ୍ଷେପ ଯଦ୍ୱାରା କରୋନା ମହାମାରି ଭଳି ସଂକଟର ଘଡ଼ିରେ ସୁଦ୍ଧା ଶିକ୍ଷାଦାନର ପ୍ରକ୍ରିୟାକୁ ଆଗକୁ ଆଗେଇ ନେବାରେ ସହାୟକ ହେବ । ସେ ସଂକଟ ଘଡ଼ିରେ ଏଭଳି ନୂତନ ଶିକ୍ଷାଦାନ ପଦ୍ଧତି ପ୍ରସ୍ତୁତ କରିଥିବାରୁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ସମଗ୍ର ଟିମକୁ ପ୍ରଶଂସା କରିଥିଲେ ।

ସକାଳେ ରାଷ୍ଟ୍ରପତି ଭାରତର ଭୂତପୂର୍ବ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜୟନ୍ତୀ ଅବସରରେ ତାଙ୍କର ଅମର ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ରାଷ୍ଟ୍ରପତି ଏବଂ ରାଷ୍ଟ୍ରପତି ଭବନର ସମସ୍ତ ଅଧିକାରୀମାନେ ରାଷ୍ଟ୍ରପତି ଭବନରେ ଥିବା ଡକ୍ଟର ରାଧାକୃଷ୍ଣନଙ୍କ ଫଟୋଚିତ୍ରରେ ପୁଷ୍ପମାନ୍ୟ ପ୍ରଦାନ ପୂର୍ବକ ଶ୍ରଦ୍ଧା ନିବେଦନ କରିଥିଲେ ।

Related posts