Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଏକ ଟଙ୍କାରେ ଡାଲି, ଚାଉଳ ଓ ଲୁଣର କଥା, ପ୍ରାୟ ଦଶନ୍ଧି ଧରି ଜାରି ରହିଥିବା ଏକ ରାଜନୈତିକ ଚର୍ଚ୍ଚା
ବିଶେଷ ଖବର

ଏକ ଟଙ୍କାରେ ଡାଲି, ଚାଉଳ ଓ ଲୁଣର କଥା, ପ୍ରାୟ ଦଶନ୍ଧି ଧରି ଜାରି ରହିଥିବା ଏକ ରାଜନୈତିକ ଚର୍ଚ୍ଚା

April 16, 2019No Comments5 Mins Read
Share Facebook Twitter LinkedIn Email WhatsApp Copy Link
Rice Dal and salt in election agenda
Rice Dal and salt in election agenda

ଜିତେନ୍ଦ୍ର ରଥ

ଏପ୍ରିଲ ତେର ତାରିଖରେ କଟକର ଚୌଦ୍ବାର ଠାରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ଓଡିଶାରେ କ୍ଷମତାକୁ ଆସିଲେ ରାଜ୍ୟ ବାସୀଙ୍କୁ ଏକ ଟଙ୍କାରେ ପାଞ୍ଚ କିଲୋ ଚାଉଳ ସହ ଅଧ କିଲୋ ଡାଲି ଓ ପ୍ରାୟ ସମାନ ପରିମାଣର ଲୁଣ ଯୋଗାଇଦେବ ବୋଲି ଘୋଷଣା କରିଛନ୍ତି। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ – ୨୦୧୩ ଅନ୍ତର୍ଗତ ପ୍ରାୟ ୩.୨୬ କୋଟି ଲୋକ ଏହି ସୁବିଧା ପାଇବେ ବୋଲି ଏହି ସଭାରେ ଘୋଷଣା କରାଯାଇଛି। ପରବର୍ତୀ ସମୟରେ, ଏହି ବିଷୟଟି କିପରି ଭାବେ, ଓଡିଶା ଭଳି ଏକ ରାଜ୍ୟରେ ଅପପୁଷ୍ଟି ଦୂର କରିବାରେ ସହାୟକ ହେବ ତାହା ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଶ୍ରୀଯୁକ୍ତ ପ୍ରଧାନ ଓ ଭାରତୀୟ ଜନତା ପାର୍ଟିର ଅନେକ କାର୍ଯ୍ୟକର୍ତା ପ୍ରକାଶ କରିଛନ୍ତି।

ପ୍ରାଥମିକ ଭାବେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ନୂଆ ସାମଗ୍ରୀ ଯୋଗ କରିବା ଓ ଏହାକୁ ଅପପୁଷ୍ଟି ଦୂର କରିବାରେ ସହାୟକ ହେବ ବୋଲି  ଚିନ୍ତା ଓ ଘୋଷଣା କରିଥିବାରୁ ଶ୍ରୀଯୁକ୍ତ ପ୍ରଧାନ ଓ ଭାରତୀୟ ଜନତା ପାର୍ଟି ନିଶ୍ଚିତ ଭାବେ ଧନ୍ୟବାଦର ପାତ୍ର। କିନ୍ତୁ ପ୍ରଶ୍ନ ହେଉଛି, ହଠାତ ଏଭଳି ଘୋଷଣା କରିବା ପଛରେ ରହସ୍ୟ କଣ? ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ପରେ ଏବଂ ଦ୍ଵିତୀୟ ପର୍ଯ୍ୟାୟରେ ବରଗଡ, ବଲାଙ୍ଗିର, ସୁନ୍ଦରଗଡ, କନ୍ଧମାଳ ଓ ଆସ୍କା ଲୋକସଭା ଓ ୩୫ ବିଧାନସଭା ନିର୍ବାଚନର ଠିକ ପୂର୍ବରୁ ଏହି ଘୋଷଣାର କିଛି ଆବଶ୍ୟକତା ପରିଲିକ୍ଷିତ ହେଉଛିକି? ଯଦି ଭାରତୀୟ ଜନତା ପାର୍ଟି, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଗତ ପିଡିଏସ ଯୋଜନାର ବିବିଧିକରଣରେ ବିଶ୍ଵାସ କରୁଥାନ୍ତି, ତେବେ ଗତ ପାଞ୍ଚ ବର୍ଷରେ, କେନ୍ଦ୍ର ସରକାରଙ୍କ ତରଫରୁ ଏଥିପ୍ରତି କୌଣସି ନିଷ୍ପତ୍ତି ବା କାର୍ଯ୍ୟକର୍ମ ଗ୍ରହଣ କରାଗଲା ନାହିଁ କାହିଁକି? ଆଉ ସବୁଠାରୁ ବଡ ପ୍ରଶ୍ନ ହେଉଛି, ଦଳ ଏହାର ସମସ୍ତ ନେତୃବୃନ୍ଦ ଏହି ବିଷୟ ଓ ଘୋଷଣାଟିକୁ ନେଇ ଏକମତ କି?

ଟଙ୍କିକିଆ ଚାଉଳକୁ ନେଇ ପ୍ରାୟ ଏକ ଦଶନ୍ଧି ଧରି ଚାଲି ଆସୁଥିବା ରାଜନୈତିକ ଚର୍ଚା ଉପରେ ଟିକେ ନଜର ପକାଇବାର ଅବଶ୍ୟକତା ଅଛି।  ଓଡିଶାରେ ୨୦୦୮ମସିହାରରେ ନବୀନ ପଟ୍ଟନାୟକଙ୍କ ନେତୃତ୍ଵରେ ରାଜ୍ୟ ସରକାର ଦୁଇଟଙ୍କିଆ ଚାଉଳ ଯୋଜନା ଆରମ୍ଭ କଲେ। ଅବଶ୍ୟ ଏହା କିଛି ନୂତନ ଯୋଜନା ନଥିଲା, ଅନେକ ଦିନରୁ ଚାଲୁ ରହିଥିବା ସାଧାରଣ ବଣ୍ଟନ ବ୍ୟବସ୍ଥାରେ ସୁଲଭ ମୁଲ୍ୟରେ ଦିଆଯାଉଥିବା ଚାଉଳର ଦରକୁ ସେ ସମୟରେ କିଲୋ ପିଛା ଦୁଇଟଙ୍କା କରିଦିଆଗଲା। ରାଜ୍ୟ ସରକାରଙ୍କ ପ୍ରଚାର ଓ ପ୍ରସାର ଫଳରେ, ୨୦୦୯ ନିର୍ବାଚନରେ ଏହାର ରାଜନୈତିକ ଲାଭ ମଧ୍ୟ ବିଜୁ ଜନତା ଦଳକୁ ମିଳିଲା। ଅଭିଜ୍ଞତାକୁ ଆଧାର କରି ୧ ଫେବୃୟାରୀ ୨୦୧୩ରେ ରାଜ୍ୟ ସରକାର ଚାଉଳର ଦାମ କିଲୋ ପ୍ରତି ୧ ଟଙ୍କା ହେବ ବୋଲି ଘୋଷଣା କଲେ। ସେବେଠାରୁ ଏହି ଯୋଜନା ଟଙ୍କିକିଆ ଚାଉଳର ପରିଚୟ ପାଇଲା, ଯାହାର ରାଜନୈତିକ ଲାଭ ମଧ୍ୟ ବିଜୁ ଜନତା ଦଳ ୨୦୧୪ ନିର୍ବାଚନରେ ଉଠାଇଲା। ୨୦୧୩ରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଆସିବା ଏବଂ ଏହି ନିୟମ ଅନୁଯାଇ ଅଗ୍ରାଧିକାର ପରିବାର (priority household) ବଛା ଯିବା ଫଳରେ ଅନେକ ପରିବାର ଓ ଯୋଗ୍ୟ ବ୍ୟକ୍ତିଙ୍କର ଚାଉଳ କାର୍ଡ କଟିଗଲା ଓ ସେମାନେ ଟଙ୍କିକିଆ ଚାଉଳ ପାଇବାରୁ ବଞ୍ଚିତ ହେଲେ। ଅନେକ ସ୍ଥାନରେ, ମୁଖ୍ୟତଃ ଗ୍ରାମାଞ୍ଚଳ, ଦଳିତ ଓ ଆଦିବାସୀଙ୍କ ସଂଖ୍ୟା ଅଧିକ ଥିବା ଜିଲ୍ଲା ମାନଙ୍କରେ ଏହାକୁ ନେଇ ଏକ ଚାପା ଅଶୋନ୍ତସ ଥିଲା। ୨୦୧୬ ମସିହାରେ ହୋଇଥିବା ପଞ୍ଚାୟତ ନିର୍ବାଚନ ଗୁଡିକରେ ଏହାର ପ୍ରତିଫଳନ ଦେଖିବାକୁ ମିଳିଲା ଯାହାଫଳରେ ଏହି ସବୁ ଜିଲ୍ଲା ମାନଙ୍କରେ ବିଜୁ ଜନତା ଦଳ ଆଶାତୀତ ସଫଳତା ପାଇ ପାରିଲା ନାହିଁ। ଅବଶ୍ୟ ଏହା ହୃଦୟଙ୍ଗମ କରି ୨୦୧୯ର ଠିକ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ନିଜସ୍ଵ ଖାଦ୍ୟ ସୁରକ୍ଷା ଯୋଜନା ଆରମ୍ଭ କଲେ। ଅର୍ଥାତ ଯଦି ମୋଟାମୋଟି ଘଟଣାକ୍ରମ ଗୁଡିକୁ ଦେଖାଯାଏ, ତେବେ ଟଙ୍କିକିଆ ଚାଉଳର ଓଡିଶା ରାଜନୀତିରେ ଥିବା ପ୍ରଭାବକୁ ହୃଦୟଙ୍ଗମ କରି, ବୋଧହୁଏ ଭାରତୀୟ ଜନତା ପାର୍ଟିର କେନ୍ଦ୍ରୀୟ ଏହି ବିଷୟଟିକୁ ଉଠାଇବାକୁ ପ୍ରୟାସ କରୁଛନ୍ତି।

ନିର୍ବାଚନର କିଛି ଦିନ ପୂର୍ବରୁ ମଧ୍ୟ ଭାରତୀୟ ଜନତା ପାର୍ଟି ଏହାର କିଛି ସଂକେତ ଦେଇଥିଲା। ରାଜ୍ୟର ବିଭିନ୍ନ ସ୍ଥାନରେ ବଡ ବଡ ହୋଡିଙ୍ଗ ଲଗାଯାଇ ଚାଉଳର ଶ୍ରେୟ କେନ୍ଦ୍ର ସରକାରଙ୍କର ବୋଲି ଦର୍ଶଯାଇଥିଲା। ଏହି ହୋଡିଙ୍ଗ ଗୁଡିକରେ ରାଜ୍ୟରେ ପ୍ରଚଳିତ ଟଙ୍କିକିଆ ଚାଉଳର ପ୍ରକୃତ ମୂଲ୍ୟ ତଥା କେନ୍ଦ୍ର ଓ ରାଜ୍ୟ ସରକାର ଦେଉଥିବା ରିହାତିକୁ ପରିବେଷଣ କରାଯାଇଥିଲା।  ଚାଉଳର ପ୍ରକୃତ ମୂଲ୍ୟ କିଲୋ ପ୍ରତି ୩୨ ଟଙ୍କା ହୋଇଥିବା ବେଳେ ଏଥିରେ କେନ୍ଦ୍ରସରକାର ପ୍ରତିକିଲୋ ପିଛା ୨୯ ଟଙ୍କା ଓ ରାଜ୍ୟ ସରକାର ମାତ୍ର ୨ ଟଙ୍କା ବହନ କରୁଥିବା କଥା କୁହାଯାଇଛି। ଉଦେଶ୍ୟ ଲେଖାନଥିଲେବି, ରାଜ୍ୟରେ ଲୋକପ୍ରିୟ ଟଙ୍କିକିଆ ଚାଉଳରେ ଯେ କେନ୍ଦ୍ର ଏକ ବଡ ଭାଗୀଦାର ତାହା କୁହାଯିବାପାଇଁ ଏଥିରେ ଯଥେଷ୍ଟ ପ୍ରୟାସ କରାଯାଇଥିଲା। ଠିକ ଏହି ସମୟରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ରାଜ୍ୟର ଆଉ ୩୪.୪୪ ଲକ୍ଷ ଲୋକଙ୍କୁ ସାମିଲ କରିବାପାଇଁ ଏକ ପତ୍ର କେନ୍ଦ୍ରକୁ ଲେଖିଥିଲେ ଓ ପରବର୍ତୀ ସମୟରେ କେନ୍ଦ୍ରକୁ ଦୋଷ ଦେଇ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଚାଲୁ କଲେ।

ଟଙ୍କିକିଆ ଚାଉଳର ଏକ ରାଜନୈତିକ ଦିଗ ରହୁଥିବାରୁ, ଭିନ୍ନ ଭିନ୍ନ ଦଳର ସରକାରଙ୍କ ମଧ୍ୟରେ ଏହାର ଶ୍ରେୟ ନେବା ପାଇଁ ଟଣା ଓଟରା ଏକ ସ୍ଵାଭାବିକ କଥା। ସେହି ମର୍ମରେ କେନ୍ଦ୍ର ଓ ଓଡିଶା ସରକାରଙ୍କ ମଧ୍ୟରେ ଟଙ୍କିକିଆ ଚାଉଳକୁ ନେଇ ଏଇ ଲଢେଇ ନୂଆ ନୁହେଁ। ପୂର୍ବରୁ ଇଉପିଏ ସରକାର ସମୟରେ ମଧ୍ୟ କଂଗ୍ରେସ ଦଳ ତରଫରୁ ଠିକ ଏହିଭଳି କିଛି ପ୍ରଶ୍ନ ଉଠାଯାଇଥିଲା। ଏହି ଟଣା ଓଟରା ମଧ୍ୟରେ କିଏ ବେସୀ ରାଜନୈତିକ ଫାଇଦା ଉଠାଇବା, ତାହା ନିର୍ବାଚନ ପରେ ସ୍ପଷ୍ଟ ହେବ କିନ୍ତୁ ଟଙ୍କିକିଆ ଚାଉଳକୁ ନେଇ ଥିବା କେତେ ଗୁଡିଏ ଭ୍ରାନ୍ତ ଧାରଣାର ଚର୍ଚା କରିବାର ଅବଶ୍ୟକତା ମଧ୍ୟ ଅଛି।

ସବୁଠାରୁ ବେଶୀ ଆଲୋଚନା ହେଉଥିବା ଧାରଣାଟି ହେଉଛି, ଏହି ଯୋଜନା କୁଆଡେ ଲୋକଙ୍କୁ ଅଳସୁଆ କରିଦେଇଛି। ଲୋକେ ଟଙ୍କାଟାରେ ଚାଉଳ ପାଇଲେ, ସେମାନଙ୍କର ଆଉ ପରିଶ୍ରମ କରିବାକୁ ଇଛା ନାହିଁ, ଗାଁ ଗଣ୍ଡାରେ ମଜୁରି କରିବାକୁ ଲୋକ ମିଳୁନାହାଁନ୍ତି। ଟଙ୍କିକିଆ ଚାଉଳ କଥା ପଡିଲେ, ଏଭଳି କିଛି କଥା ନିଶ୍ଚୟ ଉଠେ। ପାଠଷାଠ ପଢିଥିବା ତଥା ସାମାଜ ଓ ଅର୍ଥନୀତିରେ ଦଖଲ ରଖୁଥିବା ଅନେକ ବ୍ୟକ୍ତିବିଶେଷ ମଧ୍ୟ ଏହିଯୁକ୍ତି ରଖିଥାନ୍ତି। କିନ୍ତୁ ସତରେ କଣ ଟଙ୍କିକିଆ ଚାଉଳ ଲୋକଙ୍କୁ ଅଳସୁଆ କରିଦେଇଛି? ଯଦି ସତ ତାହାଲେ ଭାରତ ବର୍ଷର ଅର୍ଦ୍ଧାଧିକ ଲୋକ ଅଳସୁଆ ହେବାକଥା। କାରଣ ଦେଶରେ ଏମିତି ଅନେକ ରାଜ୍ୟ ଅଛି ଯେଉଁଠି ଏକ ଟଙ୍କା ବା ଖୁବ ଶସ୍ତାରେ ଚାଉଳ ଯୋଗାଇଦିଆଯାଉଛି। ପଡୋଶୀ ଆନ୍ଧ୍ର ପ୍ରଦେଶ, ଛତିଶଗଡ ଆଦି ରାଜ୍ୟତ ଓଡିଶାର ଅନେକ ଆଗରୁ ଏହି ଯୋଜନା ଆରମ୍ଭ କରିଛନ୍ତି। କାହିଁ କେଉଁଠିତ ଏମିତି ହେଉନାହିଁ, ତେବେ ଓଡିଶାରେ ଏମିତିଏକ ଧାରଣା କାହିଁକି ସୃଷ୍ଟି କରାଯାଉଛି ଆଉ ଏହିଭଳି ଏକ ଧାରଣାକୁ ଆଗକୁ ବଢାଇବା ପଛରେ କେଉଁମାନେ ଅଛନ୍ତି, ତାହା ଦେଖିବାର ଆବଶ୍ୟକତା ଅଛି।

ଏହି ଅର୍ଥରେ କିଛି ନିର୍ଦିଷ୍ଟ ବିଷୟକୁ ସାମ୍ନାରେ ରଖିବାର ଅବଶ୍ୟକତା ଅଛି। ଭାରତୀୟ ଜନତା ପାର୍ଟିର କେନ୍ଦ୍ରୀୟ ନେତୃତ୍ଵ ଟଙ୍କିକିଆ ଚାଉଳର ଗୁଣ ଗାଈ ଏହାକୁ ଆହୁରି ବ୍ୟାପକ କରିବାକୁ ପ୍ରତିଶ୍ରୁତି ଦେଉଥିବା ବେଳେ ଏହି ଦଳର କନ୍ଧମାଳ ସାଂସଦ ପାର୍ଥୀ ଖାରବେଳ ସ୍ଵାଇଁ ଠିକ ଓଲଟା କଥା କହୁଛନ୍ତି, ତାଙ୍କ ଦ୍ଵାରା ଲେଖାଯାଇଥିବା ଅନେକ ଗୁଡିଏ ପ୍ରବନ୍ଧରେ ସେ ଏହି ଯୋଜନାର ବିରୋଧ କରିଛନ୍ତି ଓ ସେହି ମର୍ମରେ ଯୋଜନା ବନ୍ଦ କରାଯିବା ବୋଲି ଯୁକ୍ତି ଦର୍ଶାଇଛନ୍ତି। ସାଂସଦ ପାର୍ଥୀଙ୍କ ଫେସବୁକ ପୃଷ୍ଟାରେ ସେ ଦେଇଥିବା ଏକ ଟେଲିଭିଜନ ସାକ୍ଷାତକାରରେ ସେ ଟଙ୍କିକିଆ ଚାଉଳ କିପରି ଭାବେ ଓଡିଆ ଜାତିକୁ ଛତରଖିଆ ଜାତିରେ ପରିଣତ କରିଛି ତାହା ଦର୍ଶାଇଛନ୍ତି। ଏଭଳି ସ୍ଥିତିରେ, ଦଳ ଭାରତୀୟ ଜନତା ପାର୍ଟି ମଧ୍ୟରେ ରାସନ ଯୋଜନାକୁ ନେଇ ଥିବା ଅସହମତି ହିଁ ପ୍ରକାଶ ପାଉଛି। କିଛି ଦିନ ତଳେ ଓଡିଶା ପାଇଁ ପ୍ରକାଶ ପାଇଥିବା ଭାରତୀୟ ଜନତା ପାର୍ଟିର ଇସ୍ତାହାରରେ ଏହି ବ୍ୟବସ୍ଥାର ବିବିଧିକରଣ ପାଇଁ କୌଣସି ପ୍ରତିଶ୍ରୁତି ନରହିବା ଓ ପରବର୍ତୀ ସମୟରେ ଏହାର ଘୋଷଣା କରିବା ମଧ୍ୟ ଏହି ଦିଗ ପ୍ରତି ଅଙ୍ଗୁଳି ନିର୍ଦେଶ କରୁଛି।

ବିଜେପି ଠାରୁ ଆରମ୍ଭ କରି ବିଜେଡି ଓ କଂଗ୍ରେସ ଯାଏ ଟଙ୍କିକିଆ ଚାଉଳ ଓ ରାସନ ବ୍ୟବସ୍ଥାରେ ବିବିଧିକରଣ ଆଣିବା ଏକ ରାଜନୈତିକ ବିଷୟ ହୋଇପାରେ। କିନ୍ତୁ ସାଧାରଣ ଲୋକଙ୍କ ପାଇଁ ଏହା ପେଟ ଓ ପୁଷ୍ଟି ର ପ୍ରଶ୍ନ, ଯାହାର ଉତ୍ତର ରାଜନୈତିକ ଦଳ ମାନଙ୍କୁ ଦେବାକୁ ହେବ।

ଓଡିଶାନିର୍ବାଚନ ଚାଉଳଡାଲି ଧର୍ମେନ୍ଦ୍ରପ୍ରଧାନ ବିଜେଡି ବିଜେପି
Share. Facebook Twitter LinkedIn Email WhatsApp Copy Link

Related Posts

ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ, ହେମନ୍ତ ଶର୍ମାଙ୍କୁ ସୂଚନା ଓ ଲୋକ ସଂପର୍କ ବିଭାଗର ଅତିରିକ୍ତ ଦାୟିତ୍ବ

July 22, 2025

୬୨ ବର୍ଷ ପରେ ଅବସର ନେବ ମିଗ୍-୨୧ ଲଢ଼ୁଆ ବିମାନ: ଅପରେସନ୍ ସିନ୍ଦୂରରେ ପାକିସ୍ତାନର କରିଥିଲା ବିପର୍ଯ୍ୟୟ

July 22, 2025

ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କୁ ନେଇ ବଢିଲା ଚର୍ଚ୍ଚା, ଆଜି ଦିଲ୍ଲୀପ ରାୟ, ଗତକାଲି ରାଜ୍ୟପାଳ କାହିଁକି କଲେ ସାକ୍ଷାତ

July 22, 2025

ଦ୍ବିତୀୟ ଦିନରେ ମଧ୍ୟ ସଂସଦର ଉଭୟ ଗୃହରେ ହାଙ୍ଗାମା, ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଦିନକ ପାଇଁ ଗୃହ ମୁଲତବି

July 22, 2025
Latest News

ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ, ହେମନ୍ତ ଶର୍ମାଙ୍କୁ ସୂଚନା ଓ ଲୋକ ସଂପର୍କ ବିଭାଗର ଅତିରିକ୍ତ ଦାୟିତ୍ବ

July 22, 2025

ଜୁଲାଇ ୨୪ ରେ ‘ଜାତୀୟ ସମବାୟ ନୀତି ୨୦୨୫’ କୁ ଉନ୍ମୋଚନ କରିବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ 

July 22, 2025

ପୂର୍ବାଞ୍ଚଳ ଲେଖକ ସମ୍ମିଳନୀ ଉଦଘାଟିତ

July 22, 2025

ପ୍ରଧାନମନ୍ତ୍ରୀ ଜନଜାତି ଉନ୍ନତ ଗ୍ରାମ ଅଭିଯାନ: ଭାରତର ସର୍ବବୃହତ ଜନଜାତି ଗ୍ରାମ ବିକାଶ ଯୋଜନା

July 22, 2025

ଭୁବନେଶ୍ୱରରେ ଜାତୀୟ ମାନବାଧିକାର ଆୟୋଗଙ୍କ ଦୁଇ ଦିନିଆ ଜନଶୁଣାଣି ଶିବିର ଉଦଯାପିତ

July 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.