ଆରମ୍ଭ ହେଲା ବାତ୍ୟା ଗୁଲାବର ପ୍ରଭାବ, ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା, ଗୋପାଳପୁରରୁ ଅଳ୍ପ ଦୂରରେ ରହିଛି

Published: Sep 26, 2021, 11:00 am IST

ଭୁବନେଶ୍ବର, ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋବସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ ଗୁଲାବ ବର୍ତ୍ତମାନ ବାତ୍ୟା ରୂପ ନେଇଛି। ଗତ 6 ଘଣ୍ଟା ମଧ୍ୟରେ ଏହା ଘଣ୍ଟାକୁ 10 କିଲୋମିଟର ବେଗରେ ସ୍ଥଳଭାଗକୁ ମାଡିଆସୁଛି। ବର୍ତ୍ତମାନ ପାଣିପାଗ ବିଭାଗ ଅନୁସାରେ ଗୁଲାବ ଗୋପାଳପୁରର ଦକ୍ଷିଣପଶ୍ଚିମ ଦିଗର 270 କିଲୋମିଟର ଦୂରରେ ରହିଛି। ଆଜି ସଂଧ୍ୟାରେ ସ୍ଥଳ ଭାଗ ଛୁଇଁବ ବୋଲି ଆକଳନ କରାଯାଇଛି।

ଏହାର ପ୍ରଭାବରେ ବର୍ତ୍ତମାନ ରାଜଧାନୀ ସମେତ ଦକ୍ଷିଣ ଓଡିଶାର ବର୍ଷା ସହିତ ସାମାନ୍ୟ ପବନ ଆରମ୍ଭ ହୋଇଯାଇଛି। ରାଜଧାନୀରେ ସକାଳୁ ସକାଳୁ ପାଗ ସାମାନ୍ୟ ଭଲ ଥିବା ବେଳେ 9ଟା ବେଳକୁ ଏଥିରେ ପରିବର୍ତ୍ତନ ଦେଖାଦେଇଥିଲା। ହଠାତ ମେଘୁଆ ପାଗ ହେବା ସହିତ ଝିପିଝିପି ବର୍ଷା ଆରମ୍ଭ ହୋଇଯାଇଛି। ମଝିରେ ମଝିରେ ପ୍ରବଳ ବର୍ଷା ମଧ୍ୟ ଅନୁଭୂତ ହୋଇଛି। ସଂଧ୍ୟା ବେଳକୁ ଏହାର ପ୍ରକୋପ ଆହୁରି ବୃଦ୍ଧି ପାଇବ ବୋଲି ଜଣାପଡିଛି।

ଏହି ସମୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବା ପାଇ କୁହାଯାଇଛି। ଏଥିସହିତ ସମୁଦ୍ରକୁଳିଆ ଅଞ୍ଚଳଗୁଡିକରେ ସତର୍କ ରହିବା ପାଇଁ ମଧ୍ୟ କୁହାଯାଇଛି। ଦକ୍ଷିଣ ଓଡିଶାର ଜିଲ୍ଲାଗୁଡିକର ଜିଲ୍ଲାପାଳ ଏହା ଉପରେ ନଜର ରଖିବା ପାଇଁ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ନିର୍ଦ୍ଦେଶ ଦେଇଛନ୍ତି।

ଏହାକୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ପ୍ରସ୍ତୁତି ମଧ୍ୟ ଗତକାଲିଠାରୁ କରାଯାଇଛି। ଏଥିପାଇଁ 42 ଟି ଓଡ୍ରାଫ ଟିମ ଏବଂ 24ଟି ଏନଡିଆରଏଫ ଟିମକୁ ମଧ୍ୟ ସଜାଗ କରି ରଖାଯାଇଛି। ସେମାନଙ୍କୁ ବାତ୍ୟା ପ୍ରଭାବିତ ଜିଲ୍ଲାଗୁକରେ ମୁତୟନ କରାଯାଇଛି। ଏଥିସହିତ ଅଗ୍ନିଶମ ବିଭାଗ ଏବଂ ତଟ ସୁରକ୍ଷା ବାହିନୀଙ୍କୁ ମଧ୍ୟ ସଜାଗ ରଖାଯାଇଛି।

Related posts