ସ୍କୁଲ ପାଇଁ କେନ୍ଦ୍ର ସରକାର ଖର୍ଚ୍ଚ କରିବେ ୫୪,୦୬୧ କୋଟି ଟଙ୍କା, ୮୦ କୋଟି ଛାତ୍ରଛାତ୍ରୀ ହେବେ ଉପକୃତ

Published: Sep 30, 2021, 5:21 am IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି (ସିସିଇଏ) ବୈଠକରେ ବିଦ୍ୟାଳୟରେ କେନ୍ଦ୍ରୀୟ ପ୍ରାୟୋଜିତ ରାଷ୍ଟ୍ରୀୟ ଯୋଜନା ପିଏମ ପୋଷଣର ବିସ୍ତାର,ସଂଶୋଧନ,ପରିବର୍ତ୍ତନକୁ ଅନୁମୋଦନ କରିଛନ୍ତି। ଏହି ଯୋଜନା ୨୦୨୧-୨୨ ରୁ ୨୦୨୫-୨୬ ପର୍ଯ୍ୟନ୍ତ ପରବର୍ତ୍ତୀ ପାଞ୍ଚ ବର୍ଷ ପାଇଁ କାର୍ଯ୍ୟକାରୀ ହେବ।

ଯୋଜନା ପାଇଁ କେନ୍ଦ୍ର ସରକାର ୫୪୦୬୧.୭୩ କୋଟି ଟଙ୍କା ଏବଂ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶ ସରକାରମାନେ ସରକାର ୩୧,୭୩୩.୧୭ କୋଟି ଟଙ୍କା ଖର୍ଚ୍ଚ କରିବେ। ଖାଦ୍ୟ ଶସ୍ୟ ବାବଦରେ କେନ୍ଦ୍ର ସରକାରଙ୍କୁ ଅତିରିକ୍ତ ୪୫,୦୦୦ କୋଟି ଟଙ୍କାର ଅତିରିକ୍ତ ଖର୍ଚ୍ଚ ବହନ କରିବାକୁ ପଡ଼ିବ। ତେଣୁ ଏହି ଯୋଜନାରେ ମୋଟ ୧,୩୦,୭୯୪.୯୦ କୋଟି ଟଙ୍କା ଖର୍ଚ୍ଚ କରାଯିବ।

୨୦୨୧-୨୨ ଠାରୁ ୨୦୨୫-୨୬ ପର୍ଯ୍ୟନ୍ତ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟମାନଙ୍କରେ ଦିନକୁ ଗୋଟିଏ ଓଳି ଗରମ ରନ୍ଧା ଖାଦ୍ୟ ଯୋଗାଇ ଦେବା ପାଇଁ ପିଏମ ପୋଷଣ ଯୋଜନାକୁ ସିସିଇଏ ପକ୍ଷରୁ ଅନୁମୋଦନ କରାଯାଇଛି। ଏହା ଏକ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା ଯେଉଁଥିରେ ଦେଶର ସମସ୍ତ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକର ପ୍ରଥମରୁ ଆରମ୍ଭ କରି ସପ୍ତମ ଶ୍ରେଣୀ ପର‌୍ୟ୍ୟନ୍ତ ଛାତ୍ରଛାତ୍ରୀ ସାମିଲ କରାଯାଇଛି। ପୂର୍ବରୁ ଏହା ‘ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ପାଇଁ ଜାତୀୟ ଯୋଜନା’ ବା ମଧ୍ୟାହ୍ନ ଭୋଜନ ଯୋଜନା ନାମରେ ଏହା ପରିଚିତ ଥିଲା।

ଦେଶର ୧୧.୨୦ ଲକ୍ଷ ବିଦ୍ୟାଳୟରେ ପାଠପଢ଼ୁଥିବା ୧୧.୮୦ କୋଟି ଛାତ୍ରଛାତ୍ରୀ ଏହି ଯୋଜନାରେ ସାମିଲ ଅଛନ୍ତି। ୨୦୨୦-୨୧ରେ, ଭାରତ ସରକାର ଏହି ଯୋଜନାରେ ଖାଦ୍ୟଶସ୍ୟ ପାଇଁ ୧୧, ୫୦୦ କୋଟି ଟଙ୍କା ସମେତ ୨୪,୪୦୦ କୋଟି ଟଙ୍କାରୁ ଅଧିକ ନିବେଶ କରିଥିଲେ।

Related posts