ନଭେମ୍ବର ୧୬ ତାରିଖରୁ ଖୋଲିବ ସମସ୍ତ ସ୍କୁଲ କଲେଜ, ରାଜ୍ୟ ସରକାର ଦେଲେ ନିର୍ଦ୍ଦେଶ

Published: Oct 29, 2021, 11:43 am IST

କୋଲକାତା: ଆସନ୍ତା ନଭେମ୍ବର ୧୬ ତାରିଖରୁ ସମସ୍ତ କଲେଜ ଏବଂ ନବମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଖୋଲିବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପଶ୍ଚିମବଂଗ ସରକାର ଗତକାଲି ରାତିରେ ଏହି ନିର୍ଦ୍ଦେଶନାମା ଜାରୀ କରିଛନ୍ତି। ଏ ନେଇ ଆଜି ସମସ୍ତ ସ୍କୁଲ କଲେଜ ଏବଂ ବିଶ୍ବବିଦ୍ୟାଳୟ କର୍ତ୍ତୁପକ୍ଷଙ୍କୁ ନିର୍ଦ୍ଦେଶନାମା ପଠାଯାଇଛି।

ଏହି ନିର୍ଦ୍ଦେଶନାମାରେ କୁହାଯାଇଛି ଯେ, ନଭେମ୍ବର ୧୬ ତାରିଖରୁ ପୂର୍ବପରି ଯେପରି କ୍ଲାସରେ ପାଠ ପଢାଯାଉଥିଲା ସେହିପରି ପାଠ ପଢାଯିବ। ତେବେ କୋଭିଡ କଟକଣାକୁ ମାନି ଏହି କ୍ଲାସ କରାଯିବ। ସେଥିପାଇଁ କଲେଜ କିମ୍ବା ସ୍କୁଲ କର୍ତ୍ତପକ୍ଷ ନଭେମ୍ବର 1 ତାରିଖରୁ କାର୍ଯ୍ୟରେ ଯୋଗ ଦେବେ।

ଯେହେତୁ ୨୦ ମାସ ଧରି ରାଜ୍ୟର ସମସ୍ତ ସ୍କୁଲ କଲେଜ ବନ୍ଦ ଥିଲା, ସେଥିପାଇଁ ପୂର୍ବରୁ ପ୍ରସ୍ତୁତି ନିମନ୍ତେ ଶିକ୍ଷାନୁଷ୍ଠାନ କର୍ତ୍ତୁପକ୍ଷ ନଭେମ୍ବର 1 ତାରିଖରୁ କାର୍ଯ୍ୟରେ ଯୋଗଦେବେ। ଏଥିସହିତ ଜିଲ୍ଲପାଳମାନଙ୍କୁ ମଧ୍ୟ ଏହାର ତଦାରଖ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେମାନେ ନଭେମ୍ବର ୧୬ ତାରିଖରେ ଶିକ୍ଷାନୁଷ୍ଠାନ ଖୋଲିବା ଉପଯୁକ୍ତ ବୋଲି ନିଶ୍ଚିତ କରିବେ।

ସେହିପରି ରେଳ ଏବଂ ବସ ସେବାରେ ଛାତ୍ରଛାତ୍ରୀଙ୍କୁ ସୁବିଧା ଦେବା ପାଇଁ ମଧ୍ୟ ସଂପୃକ୍ତ ଅଧିକାରୀଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ସୂଚନା ଦିଆଯାଇଛି। ଛାତ୍ରଛାତ୍ରୀମାନଙ୍କର ଯାତାୟତ ପାଶ ବ୍ୟବସ୍ଥା କରିବାକୁ ମଧ୍ୟ ସଂପୃକ୍ତ କର୍ତ୍ତୁପକ୍ଷଙ୍କୁ କୁହାଯାଇଛି। ଏହି ନିର୍ଦ୍ଦେଶନାମା ଉଭୟ ସ୍କୁଲ ଶିକ୍ଷା ଏବଂ ଉଚ୍ଚଶିକ୍ଷା ବିଭାଗ ତରଫରୁ ପ୍ରଦାନ କରାଯାଇଛି।

ଗତ ସୋମବାର ଦିନ ସିଲିଗୁଡିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ରାଜ୍ୟର ଶିକ୍ଷାନୁଷ୍ଠାନଗୁଡିକ ନଭେମ୍ବର ୧୬ ତାରିଖରେ ଖୋଲିବ ବୋଲି ଘୋଷଣା କରିଥିଲେ। ସେହି ଅନୁସାରେ ଉଭୟ ସ୍କୁଲ ଶିକ୍ଷା ଏବଂ ଉଚ୍ଚ ଶିକ୍ଷା ବିଭାଗ ପଦକ୍ଷେପ ଗ୍ରହଣ କରି ଗତକାଲି ନିର୍ଦ୍ଦେଶନାମା ଜାରୀ କରିଛନ୍ତି।

Related posts