ଆସନ୍ତାକାଲି ମମତା ବାନାର୍ଜୀଙ୍କ ନୂଆଦିଲ୍ଲୀ ଗସ୍ତ, ବରୁଣ ଗାନ୍ଧୀଙ୍କୁ ଭେଟିବାକୁ ନେଇ ଜୋରଦାର ଚର୍ଚ୍ଚା

Published: Nov 21, 2021, 10:03 am IST

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ନଭେମ୍ବର 29 ରୁ ଆରମ୍ଭ ହେବାକୁ ଯାଉଛି। ଏହାପୂର୍ବରୁ ବିରୋଧୀ ଦଳର ନେତାଙ୍କ ବୈଠକ ଆରମ୍ଭ ହେବ। ସେଥିପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୀତ ଅଧିବେଶନ ପୂର୍ବରୁ ତିନି ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯାଉଛନ୍ତି। ନଭେମ୍ବର 22 ରୁ ନଭେମ୍ବର 25 ପର୍ଯ୍ୟନ୍ତ ସେ  ଦିଲ୍ଲୀରେ ରହିବେ।

ତେବେ ଏହି ଗସ୍ତରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମେତ କେତେକ ବିରୋଧୀ ଦଳର ବରିଷ୍ଠ ନେତାଙ୍କୁ ଭେଟିବାର ସମ୍ଭାବନା ରହିଛି। ମମତା ବିଜେପି ସାଂସଦ ବରୁଣ ଗାନ୍ଧୀଙ୍କୁ ମଧ୍ୟ ଭେଟି ବୋଲି ଜଣାପଡିଛି। ଯାହାକୁ ନେଇ ଜାତୀୟ ରାଜନୀତିରେ ବେଶ ଚର୍ଚ୍ଚା ସୃଷ୍ଟି ହୋଇଛି।

ନିକଟରେ ବରୁଣ ଏବଂ ମାନେକା ଗାନ୍ଧୀଙ୍କୁ ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ କମିଟରୁ ବାଦ କରିଦେଇଛି। ବରୁଣ ଗାନ୍ଧୀ ବିଭିନ୍ନ ସମୟରେ ସରକାର ବିରୋଧୀ ମନ୍ତବ୍ୟ ଦେଉଛନ୍ତି। ସେଥିପାଇଁ ବିଜେପି ତାଙ୍କ ପ୍ରତି ଏପରି ଆଭିମୁଖ୍ୟ ଗ୍ରହଣ କରିଛି ବୋଲି ଜଣାପଡିଛି। ନିକଟରେ କୃଷି ବିଲକୁ ନେଇ ମଧ୍ୟ ବରୁଣ ସରକାରୀ ବିରୋଧୀ ମନ୍ତବ୍ୟ ମଧ୍ୟ ଦେଇଛନ୍ତି। ଏପରି ପରିସ୍ଥିତିରେ ମମତାଙ୍କ ସହିତ ତାଙ୍କର ଭେଟଘାଟକୁ ନେଇ ଜାତୀୟ ରାଜନୀତିରେ ବେଶ୍ ଚର୍ଚ୍ଚା ଆରମ୍ଭ ହୋଇଛି।

ରାଜନୈତିକ ସମୀକ୍ଷକଙ୍କ ମତରେ ଉଭୟ ବରୁଣ ଏବଂ ମାନେକା ବିଜେପି ଛାଡି ଟିଏମସିରେ ଯୋଗ ଦେଇପାରନ୍ତି ବୋଲି ଆଶଙ୍କା ପ୍ରକାଶ ପାଇଛି। କାରଣ ଉଭୟଙ୍କ ପାଇଁ ବର୍ତ୍ତମାନ ବିଜେପି ସୁରକ୍ଷିତ ହୋଇପାରି ନାହିଁ। ଗୋଟିଏ ପଟେ ବିଜେପି ଉଭୟଙ୍କ ଆଭିମୁଖ୍ୟ ନେଇ ଅସନ୍ତୁଷ୍ଠ। ଅନ୍ୟପଟେ ଉଭୟ ବରୁଣ ଓ ମାନେକା ବିଜେପିର ଆଭିମୁଖ୍ୟ ନେଇ ଅସନ୍ତୁଷ୍ଠ। ସେଥିପାଇଁ ଉଭୟ ଟିଏମସିରେ ଯୋଗ ଦେବାର ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ।

ମମତା ପଶ୍ଚିମ ବଂଗରେ ବିପୁଳ ବିଜୟ ପରେ ଜୁନ୍ ମାସରେ ଦିଲ୍ଲୀ ଆସିଥିଲେ। ସେତେବେଳେ ସେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ, କମଲ ନାଥ ଏବଂ ଆନନ୍ଦ ଶର୍ମାଙ୍କ ପରି ବରିଷ୍ଠ ନେତାମାନଙ୍କୁ ଭେଟିଥିଲେ। ସେ ସମୟରେ ସେ କହିଥିଲେ ଯେ ଆସନ୍ତା ଲୋକସଭା ନିର୍ବାଚନରେ ବିଜେପି ଅପେକ୍ଷା ବିରୋଧୀ ଦଳ ଅଧିକ ଶକ୍ତିଶାଳୀ ହେବ।

2024 ଲୋକସଭା ନିର୍ବାଚନରେ ​​ବିରୋଧୀ ଏକ ଇତିହାସ ସୃଷ୍ଟି କରିବେ ବୋଲି ମମତା ଦାବି କରିଥିଲେ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଥିଲେ ଯେ ଏଥର ଲୋକସଭା ନିର୍ବାଚନରେ ଦେଶର ଭୋଟର ମୋଦୀ ବିରୋଧରେ ଯିବେ। ଯାହାକୁ ନେଇ ଜାତୀୟ ରାଜନୀତିରେ ବେଶ୍ ଚର୍ଚ୍ଚା ହୋଇଥିଲା। ଏବେ ପୁଣି ମମତାଙ୍କ ନୂଆଦିଲ୍ଲୀ ଗସ୍ତ ଜାତୀୟ ରାଜନୀତିରେ ବେଶ୍ ଗୁରୁତ୍ବ ସୃଷ୍ଟି ହୋଇଛି।

Related posts