ଋଷର ରାଷ୍ଟ୍ରପତି ପୁଟିନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ, ସମ୍ପର୍କ ହେବ ଆହୁରି ମଜବୁତ

Published: Dec 6, 2021, 8:20 pm IST

ନୂଆଦିଲ୍ଲୀ: ହାଇଦ୍ରାବାଦ ଗୃହରେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାକ୍ଷାତ ହୋଇଥିଲା। ଏକବିଂଶତମ ବାର୍ଷିକ ଭାରତ-ଋଷ ସମ୍ମିଳନୀରେ ଉଭୟ ନେତା ଯୋଗ ଦେଇଥିଲେ। ଭାରତ ଏବଂ ଋଷ ମଧ୍ୟରେ ଏହା ହେଉଛି ଏକବିଂଶତମ ବାର୍ଷିକ ସମ୍ମିଳନୀ। ଋଷର ରାଷ୍ଟ୍ରପତି କିଛି ଘଣ୍ଟା ପାଇଁ ଭାରତ ଗସ୍ତରେ ରହିବେ। ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ବାର୍ତ୍ତାଳାପ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଆର୍ଥିକ କ୍ଷେତ୍ରରେ ମଧ୍ୟ ଆମର ସମ୍ପର୍କକୁ ଆଗକୁ ନେବା ପାଇଁ ଆମେ ଏକ ଦୀର୍ଘକାଳୀନ ଦୃଷ୍ଟିକୋଣ ଗ୍ରହଣ କରୁଛୁ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଆମେ ୨୦୨୫ ସୁଦ୍ଧା ୩୦ ବିଲିୟନ ଡଲାର ବାଣିଜ୍ୟ ଏବଂ ୫୦ ବିଲିୟନ ଡଲାର ବିନିଯୋଗର ଲକ୍ଷ୍ୟ ସ୍ଥିର କରିଛୁ। କୋଭିଡ ଆହ୍ଵାନ ସତ୍ତ୍ୱେ ଭାରତ ଏବଂ ଋଷ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଏବଂ ସାମରିକ ଭାଗିଦାରୀରେ କୌଣସି ପରିବର୍ତ୍ତନ ହୋଇନାହିଁ। କୋଭିଡ ବିରୋଧରେ ଲଢେଇରେ ଦୁଇ ଦେଶ ମଧ୍ୟରେ ସହଯୋଗ ମଧ୍ୟ ହୋଇଛି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଆମର ଦ୍ୱିପାକ୍ଷିକ ସମ୍ପର୍କ ପାଇଁ ୨୦୨୧ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଏହି ବର୍ଷ ଆମର ୧୯୭୧ ଶାନ୍ତି ବନ୍ଧୁତା ଏବଂ ସହଯୋଗ ଚୁକ୍ତିନାମାର ପାଞ୍ଚ ଦଶନ୍ଧି ଏବଂ ଆମର ସାମରିକ ଭାଗିଦାରୀର ୨ ଦଶନ୍ଧି ପୂରଣ କରୁଛି।

ଆଜି ଆମ ମଧ୍ୟରେ ସ୍ୱାକ୍ଷରିତ ବିଭିନ୍ନ ଚୁକ୍ତିନାମା ଏଥିରେ ସାହାଯ୍ୟ କରିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅନ୍ତର୍ଗତ ମୂଳ ବିକାଶ ଏବଂ ସହ-ଉତ୍ପାଦନ ମାଧ୍ୟମରେ ଆମର ପ୍ରତିରକ୍ଷା ସହଯୋଗକୁ ଆହୁରି ମଜବୁତ କରାଯାଉଛି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଆମର ପ୍ରତିରକ୍ଷା ଏବଂ ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ଦ୍ଵିପାକ୍ଷୀୟ ଆଲୋଚନା ହୋଇସାରିଛି। ଆମର ସହଯୋଗରେ ଉନ୍ନତି ଆଣିବା ପାଇଁ ଏହା ହେଉଛି ଏକ ନୂତନ ପ୍ରଣାଳୀ। ଆଫଗାନିସ୍ତାନ ଏବଂ ଅନ୍ୟାନ୍ୟ ଆଞ୍ଚଳିକ ପ୍ରସଙ୍ଗରେ ଆମେ ନିରନ୍ତର ସମ୍ପର୍କରେ ଅଛୁ।

ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି ଯେ, ମୁଁ ଭାରତ ଗସ୍ତରେ ଆସିଥିବାରୁ ବହୁତ ଖୁସି। ଗତ ବର୍ଷ ଦୁଇ ଦେଶ ମଧ୍ୟରେ ବାଣିଜ୍ୟରେ ୧୭% ହ୍ରାସ ଘଟିଥିଲା। କିନ୍ତୁ ଚଳିତ ବର୍ଷ ପ୍ରଥମ ୯ ମାସରେ ବାଣିଜ୍ୟରେ ୩୮% ବୃଦ୍ଧି ଘଟିଛି। ସେ କହିଛନ୍ତି ଯେ, ଆମେ ସହଯୋଗୀ ଏବଂ ବହୁତ ଗୁରୁତ୍ୱପୂର୍ଣ୍ଣ ଜିନିଷ ଉପରେ ଏକାଠି କାମ କରୁଛୁ, ଯେଉଁଥିରେ ଶକ୍ତି କ୍ଷେତ୍ର, ଅନ୍ତରିକ୍ଷ କ୍ଷେତ୍ର ସମେତ ଉଚ୍ଚ ଟେକ୍ନୋଲୋଜି ଅନ୍ତର୍ଭୁକ୍ତ। ଆଜି ଆମେ ଏଠାରେ ଆଲୋଚନା କରିଥିବା କାର୍ଯ୍ୟକ୍ରମଗୁଡିକ ମଧ୍ୟରେ ଭାରତୀୟ ମହାକାଶଚାରୀଙ୍କ ତାଲିମ ସାମିଲ ଥିଲା।

ଗତ ଦୁଇ ବର୍ଷ ମଧ୍ୟରେ ପୁଟିନ ଭାରତ ଗସ୍ତ କରିନଥିଲେ। କରୋନା ମହାମାରୀ ହେତୁ ସେ ଜି-୨୦ ଏବଂ ସିଓପି-୨୬ ପରି ସମ୍ମିଳନୀରେ ମଧ୍ୟ ଯୋଗ ଦେଇପାରିନଥିଲେ। କୋଭିଡ ଯୋଗୁଁ ସେ ଚୀନ୍ ଗସ୍ତକୁ ମଧ୍ୟ ସ୍ଥଗିତ ରଖିଥିଲେ। ତେବେ ଏହି ବର୍ଷ ସେ କେବଳ ଆମେରିକାର ରାଷ୍ଟ୍ରପତିଙ୍କୁ ଭେଟିଥିଲେ। ପୁଟିନ ଜୁନ୍ ୧୬ ତାରିଖରେ ଜେନେଭାରେ ପହଞ୍ଚିଥିଲେ।

Related posts