କେନ୍ଦ୍ରାପଡା ୧୫୦୦ କୋଟି ଓ ଯାଜପୁରରେ ୨୦୦୦ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ

Published: Dec 15, 2021, 7:25 pm IST

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ କେନ୍ଦ୍ରାପଡା ଓ ଯାଜପୁର ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡା ଜିଲ୍ଲାରେ ୧୫୦୦ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। କେନ୍ଦ୍ରାପଡା ସହିତ ବିଜୁ ବାବୁଙ୍କର ସଂପର୍କକୁ ମନେ ପକାଇ ସେ କହିଥିଲେ ଯେ କେନ୍ଦ୍ରାପଡା ଥିଲା ବିଜୁ ବାବୁଙ୍କ କର୍ମ ଭୂମି। କେନ୍ଦ୍ରାପଡାବାସୀଙ୍କ ସୁଖଦୁଃଖରେ ସେ ସାମିଲ ଥିଲେ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଜି ମଧ୍ୟ କେନ୍ଦ୍ରାପଡାର ମାଟି, ପାଣି ଓ ପବନରେ ବିଜୁ ବାବୁଙ୍କ ସ୍ମୃତି ଜଡିତ ହୋଇ ରହିଛି।

କେନ୍ଦ୍ରାପଡାରେ ଶିଳ୍ପର ବିକାଶ ପାଇଁ ବହୁ ଦିନ ଧରି ଦାବୀ ଥିଲା ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ କେନ୍ଦ୍ରାପଡାରେ ଇସ୍ପାତ ଶିଳ୍ପ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ବିଶ୍ବ ପ୍ରସିଦ୍ଧ ଷ୍ଟିଲ କମ୍ପାନୀ ଆର୍‌ସେଲର ମିତ୍ତଲ ସହିତ ରାଜିନାମା କରିଛନ୍ତି। ଏହାଦ୍ବାରା କେନ୍ଦ୍ରାପଡା ଜିଲ୍ଲା ଦେଶର ଶିଳ୍ପ ମାନଚିତ୍ରରେ ଯୋଡି ହେବ ବୋଲି ସେ କହିଥିଲେ। କେନ୍ଦ୍ରାପଡାର ଭୂମିହୀନ ଚାଷୀମାନଙ୍କ ପାଇଁ ବଳରାମ ଯୋଜନାରେ ୨୧ ହଜାର ଚାଷୀଙ୍କୁ ୪୩ କୋଟି ଟଙ୍କାର ସହାୟତା ଦିଆଯାଇଛି ବୋଲି ପ୍ରକାଶ କରି ସେ କହିଥିଲେ ଯେ ଭୂମିହୀନ ଚାଷୀଙ୍କୁ ସହାୟତା ଦେବାରେ ଓଡିଶା ସାରା ଦେଶରେ ଏକ ନମ୍ବର।

ଯାଜପୁରରେ ମୁଖ୍ୟମନ୍ତ୍ରୀ ୨୦୦୦ କୋଟି ଟଙ୍କା ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ଯାଜପୁରର ମିଶନ ଶକ୍ତିର ମା ମାନଙ୍କ କାମକୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସେମାନଙ୍କର ବିଜିନେସକୁ ବଢାଇବା ପାଇଁ ୨୨୨ କୋଟି ଟଙ୍କାର ଋଣ ସହାୟତା ଦିଆଯାଇଛି। ଭଲ ପିଇବା ପାଣି ଉପରେ ରାଜ୍ୟ ସରକାରଙ୍କ ଗୁରୁତ୍ବ ରହିଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଯାଜପୁର ମ୍ୟୁନିସ୍‌ପାଲଟିର ସବୁ ପରିବାରକୁ ପାଇପ ପାଣିର ସୁବିଧା ଦିଆଯାଇପାରିଛି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବ୍ୟାସନଗର ସହିତ ଆଉ ୮ଟି ବ୍ଲକ୍‌ରେ ପାଇପ ପାଣି ପାଇଁ ୧୦୦୦ କୋଟି ଟଙ୍କାର ପ୍ରକଳ୍ପ ଆରମ୍ଭ କରାଯାଇଛି। ସେହିପରି ବରି ଓ କୋରେଇ ବ୍ଲକ୍‌ ପାଇଁ ମଧ୍ୟ ପାଇପ ପାଣିର ପ୍ରକଳ୍ପ ପ୍ରସ୍ତୁତ କରାଯାଉଛି ବୋଲି ସେ କହିଥିଲେ। ୨୦୨୪ ସୁଦ୍ଧା ଜିଲ୍ଲାର ସବୁ ପରିବାରକୁ ପାଇପ ପାଣିର ସୁବିଧା ଯୋଗାଇ ଦିଆଯିବ ବୋଲି ସେ ଘୋଷଣା କରିଥିଲେ।

Related posts