ଦିନକୁ ଦିନ ପଂଜାବ କଂଗ୍ରେସରେ ସୃଷ୍ଟି ହେଲାଣି ନୂଆ ବିବାଦ, ଅଡୁଆରେ ଶୀର୍ଷ ନେତୃବୃନ୍ଦ

Published: Dec 31, 2021, 1:44 pm IST

ନୂଆଦିଲ୍ଲୀ: ପଂଜାବ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ସେଠାରେ ଶାସକ କଂଗ୍ରେସ ମଧ୍ୟରେ ବିଦ୍ରୋହ ସେତିକି ବଢିବାରେ ଲାଗିଛି। ନିକଟରେ ମୁଖ୍ୟମନ୍ତ୍ରୀ ପଦରୁ କ୍ୟାପେଟନ ଅମରେନ୍ଦ୍ର ସିଂଙ୍କୁ ହଟାଇବା ପରେ ମଧ୍ୟ ବିବାଦ ଥମିପାରୁ ନାହିଁ। ବିଶେଷ କରି କଂଗ୍ରେସର ପ୍ରମୁଖ ନେତା ନବଜୋତ ସିଂ ସିଦ୍ଧୁ ସେଠାକାର ରାଜନୀତିକୁ ଗୋଳିଆ କରିବାରେ ଲାଗିଛନ୍ତି।

ନିକଟରେ କଂଗ୍ରେସ ତରଫରୁ କୁହାଗଲା ଯେ, ପଂଜାବରେ କୌଣସି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରାଯିବ ନାହିଁ। ସମସ୍ତେ ଏକାଠି ହୋଇ ଲଢେଇ କରିବେ। ଏହାକୁ ନେଇ ବର୍ତ୍ତମାନ ସେଠାକାର ରାଜନୀତିରେ ତୁମ୍ବିତୋଫାନ ସୃଷ୍ଟି ହେବାରେ ଲାଗିଛି। ବିଶେଷ କରି ସିଦ୍ଧୁ ଏପରି ନିଷ୍ପତିକୁ ନେଇ ଉତକ୍ଷିପ୍ତ ହୋଇପଡିଛନ୍ତି।

ପଂଜାବର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବା ପାଇଁ ସିଦ୍ଧୁ ପୁରା ଦମରେ ଲାଗିପଡିଛନ୍ତି। ସେ ଯେପରି କ୍ୟାପେଟନଙ୍କୁ ଆଉଟ କରିବା ପାଇଁ ଲାଗିପଡିଥିଲେ ଠିକ୍ ସେହି କାମ ଆରମ୍ଭ କରିଛନ୍ତି। କଂଗ୍ରେସର ନିଷ୍ପତିକୁ ବଦଳାଇ ତାଙ୍କ ନାମ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିବାକୁ ସିଦ୍ଧୁ ପୁଣି କଂଗ୍ରେସ ନେତୃବୃନ୍ଦଙ୍କ ଉପରେ ଚାପ ପ୍ରୟୋଗ କରିବାରେ ଲାଗିଛନ୍ତି।

କ୍ୟାପଟେନ ଅମେରନ୍ଦ୍ର ସିଂଙ୍କୁ ବାହାର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ସିଦ୍ଧୁ। ସେ ଭାବିଥିଲେ ଯେ, କ୍ୟାପେଟନ ଯିବା ପରେ କଂଗ୍ରେସ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରିବ। ହେଲେ ତାହା ହେଲା ନାହିଁ। ଶେଷରେ କଂଗ୍ରେସ ଜଣେ ଦଳିତ ବିଧାୟକ ଚରଣଜିତ ସିଂ ଚାନ୍ନିଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ବସାଇଲେ। ଯାହାକୁ ନେଇ ସିଦ୍ଧୁ ସେତେବେଳେ କ୍ଷୁବ୍ଧ ହୋଇପଡିଥିଲେ।

ସେପଟେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ତାଙ୍କ ନାମ ଘୋଷଣା କରିବା ପାଇଁ ସିଦ୍ଧୁ ଚାପ ପ୍ରୟୋଗ କରୁଥିବା ବେଳେ ଏପଟେ ମୁଖ୍ୟମନ୍ତ୍ରୀ ଚାନ୍ନି ନିଜକୁ ଲୋକପ୍ରିୟ କରିବା ଚେଷ୍ଠାରେ ଅଛନ୍ତି। ତାଙ୍କୁ କଂଗ୍ରେସ ପୁଣି ମୁଖ୍ୟମନ୍ତ୍ରୀ କରୁ ବୋଲି ସେ ଆଶା କରି ରହିଛନ୍ତି। ସେହିପରି ସୁଖଜିନ୍ଦର ରାନ୍ଧୱା ଏବଂ ସୁନୀଲ ଜାଖରଙ୍କ ପରି ନେତାମାନେ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ବୋଲି ଆଶା ବାନ୍ଧି ନିଜନିଜ ରାସ୍ତାରେ ଲବି ଆରମ୍ଭ କରିଛନ୍ତି।

ଏସବୁକୁ ନେଇ କଂଗ୍ରେସ ରାଜନୀତି ବର୍ତ୍ତମାନ ଗୋଲିଆ ହେବାରେ ଲାଗିଛି। ରାଜନୈତିକ ସମୀକ୍ଷକଙ୍କ ମତରେ କଂଗ୍ରେସ ସିଦ୍ଧୁଙ୍କୁ ମୁଖ୍ୟମନ୍ତ୍ରୀ କରିବା ସପକ୍ଷରେ ନାହିଁ। ଯଦି ତାହା ହୋଇ ଥାଆନ୍ତା ତେବେ କ୍ୟାପଟେନ ପରେ ତାଙ୍କୁ ନିଆଯାଇ ଥାଆନ୍ତା। ବର୍ତ୍ତମାନ ମଧ୍ୟ ତାଙ୍କ ନାମ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରାଗଲା ନାହିଁ। ଏଥିରୁ ସ୍ପଷ୍ଟ ହୋଇଛି ଯେ କଂଗ୍ରେସ ପଂଜାବରେ ସିଦ୍ଧୁଙ୍କୁ ବାଦ ଦେଇ ଅନ୍ୟ କାହାକୁ ମୁଖ୍ୟମନ୍ତ୍ରୀ କରିବ। ଏହାକୁ ନେଇ ପଂଜାବ ରାଜନୀତି ଗୋଳିଆରୁ ଗୋଳିଆ ହେବାରେ ଲାଗିଛି।

Related posts