ବ୍ୟାଙ୍କ ଗ୍ରାହକଙ୍କୁ କଲବଲ କଲେଣି ସାଇବର ଠକ, ଗତ ବର୍ଷ ଚଳୁ କଲେ ପ୍ରାୟ ୮ କୋଟି ୬ ଲକ୍ଷ ଟଙ୍କା

Published: Jan 2, 2022, 6:08 pm IST

ଭୁବନେଶ୍ବର: ଦିନକୁ ଦିନ ସାଇବର ଠକଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି। ଫଳରେ ଲୋକେ ବ୍ୟାଙ୍କରେ ଟଙ୍କା ରଖିବାକୁ ବର୍ତ୍ତମାନ ଭୟ କଲେଣି। କାରଣ ଏହି ସାଇବର ଠକମାନେ ଦିନକୁ ଦିନ ନୂଆ ନୂଆ ତରିକାରେ ଠକିବାରେ ଲାଗିଛନ୍ତି। ଫଳରେ ନା ଗ୍ରାହକ ନା ସାଇବର ଆର୍ମି ତାହାର ଖୋଜ ଖବର ପାଇପାରୁଛନ୍ତି।

ବର୍ତ୍ତମାନ ହିସାବ ଅନୁସାରେ ଏଇ ୨୦୨୧ ମସିହାରେ ସାଇବର ଠକଙ୍କ ଦୋରାତ୍ମା ବହୁ ମାତ୍ରାରେ ବୃଦ୍ଧି ପାଇଛି। ଏମାନେ ଭୁବନେଶ୍ବରରୁ ପ୍ରାୟ ୬୭୧୯ ଜଣଙ୍କୁ ଚୁନ ଲଗାଇଥିବାର ଜଣାପଡିଛି। ପୋଲିସ ରେକର୍ଡ ଅନୁସାରେ ୨୦୨୧ ମସିହାରେ ଏହି ସାଇବର ଠକମାନେ  ମୋଟ ୮ କୋଟି ୬ ଲକ୍ଷ ୬୮ ହଜାର ୮୪୯ ଟଙ୍କା ଠକିଛନ୍ତି।

ହିସାବ ଅନୁସାରେ ଏହି ଠକମାନେ ମାର୍ଚ୍ଚ ମାସରେ ସର୍ବାଧିକ ଠକେଇ କରିଥିବାର ଜଣାପଡିଛି। ଏହି ମାସରେ ସେମାନେ ପ୍ରାୟ ୮୪ ଲକ୍ଷ ଟଙ୍କା ଠକିଛନ୍ତି। ସେହିପରି ଗତ ଜୁନ ମାସରେ ଏମାନେ ପ୍ରାୟ ୮୩ ଲକ୍ଷ ଟଙ୍କା ଠକିଥିବାର ଜଣାପଡିଛି। କେବଳ ଫେବୃୟାରୀ ମାସରେ ସେମାନେ କମ ଠକିଛନ୍ତି। ଏହି ମାସରେ ସେମାନେ ଠକିଥିବା ପରିମାଣ ହେଉଛି ପ୍ରାୟ ୫୧ ଲକ୍ଷ ଟଙ୍କା।

ଏହି ଠକମାନେ ପ୍ରତ୍ୟେକ ଦିନ ପ୍ରାୟ ଶହେରୁ ଦୁଇ ଶହ ଲୋକଙ୍କୁ ଟାର୍ଗେଟ କରିଥାନ୍ତି। ସେମାନଙ୍କ ମଧ୍ୟରୁ ଠକମାନେ ପ୍ରାୟ ୨୦ ଜଣଙ୍କୁ ଠକିବାରେ ସଫଳ ହୋଇଥାନ୍ତି। ଫଳରେ ଏମାନେ ଦୈନିକ ପ୍ରାୟ ୨ ଲକ୍ଷ ୨୨ ହଜାର ଟଙ୍କା ଠକିଥାନ୍ତି ବୋଲି ହିସାବ କରାଯାଇଛି। ଗତ ଡିସେମ୍ବର ମାସରେ ଏହି ଠକମାନେ ୬୦ ଲକ୍ଷ ୬୯ ହଜାର ଟଙ୍କା ଲୁଟିଥିବାର ଜଣାପଡିଛି।

ଗତ ଜାନୁୟାରୀ ମାସରେ ରାଜ୍ୟରେ ସର୍ବାଧିକ ସାଇବର ଠକେଇ ମାମଲା ଋଜୁ ହୋଇଛି। ଏହି ମାସରେ ୧୨୦୭ଟି ସାଇବର ମାମଲା ଋଜୁ କରାଯାଇଛି। ସେହି ମାସରେ ଠକମାନେ ମୋଟ ୫୨ ଲକ୍ଷ ୧୬ ହଜାର ଠକି ନେଇଥିଲେ। ଏମାନଙ୍କ ଠକର ପଦ୍ଧତିରୁ ଜଣାପଡିଛି ଯେ, ୟୁପିଆଇ ମାଧ୍ୟମରେ ଏମାନେ ଅଧିକ ଠକୁଛନ୍ତି। ଅନ୍ୟପକ୍ଷରେ କ୍ରେଡିଟ କାର୍ଡ, ଡେବିଡ କାର୍ଡ ଏବଂ ଇଣ୍ଟରନେଟ ବ୍ୟାଙ୍କି ଠକର ପରିମାଣ କମ ରହିଛି।

ତେବେ ସବୁଠାରୁ ଚକିତ କରିବା ତଥ୍ୟ ହେଉଛି ଏହି ଠକମାନେ ଗାଁଗହଳି ଅପେକ୍ଷା ସହରଞ୍ଚାଳ ଗ୍ରାହକଙ୍କୁ ଅଧିକ ଚାର୍ଗେଟ କରିଥାନ୍ତି। ହିସାବ ଅନୁସାରେ ଗତ ମାସରେ ରାଜ୍ୟରେ ମୋଟ ୪୧୪ ଟି ସାଇବର ମାମଲା ଋଜୁ କରାଯାଇଥିଲା। ତେବେ ସେଥି ମଧ୍ୟରୁ କେବଳ ଭୁବନେଶ୍ବରରେ ୨୧୩ଟି ମାମଲା ରହିଥିବାର ଜଣାପଡିଛି।

Related posts