ବଢିଲା ବିଧାନସଭା ଓ ଲୋକସଭା ପ୍ରାର୍ଥୀଙ୍କ ପ୍ରଚାର ଖର୍ଚ୍ଚ ପରିମାଣ, ଆସନ୍ତା ନିର୍ବାଚନରୁ ହେବ ଲାଗୁ

Published: Jan 7, 2022, 7:30 am IST

ନୂଆଦିଲ୍ଲୀ: ଭାରତ ନିର୍ବାଚନ କମିଶନ ବିଧାନସଭା ଏବଂ ଲୋକସଭା ନିର୍ବାଚନ ଲଢିବାକୁ ଥିବା ପ୍ରାର୍ଥୀଙ୍କ ପାଇଁ ନୂଆ ନିୟମ ଲାଗୁ କରିଛନ୍ତି। ତାହା ହେଲା, ଏଣିକି ସେମାନେ ନିର୍ବାଚନ ପ୍ରଚାର ଖର୍ଚ୍ଚକୁ ବୃଦ୍ଧି କରିପାରିବେ। ପୂର୍ବରୁ ଯେତିକି ଖର୍ଚ୍ଚ କରୁଥିଲେ ନିର୍ବାଚନ କମିଶନ ସେଥିରେ ପ୍ରାୟ 20 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।

ନୂଆ ନିୟମ ଅନୁସାରେ ଏଣିକି ବିଧାୟକ ପ୍ରାର୍ଥୀମାନେ ପ୍ରଚାର ପାଇଁ 40 ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ। ପୂର୍ବରୁ ଏହି ପରିମାଣ 28 ଲକ୍ଷ ଥିଲା। ସେହିପରି ସାଂସଦ ପ୍ରାର୍ଥୀମାନେ ନିର୍ବାଚନ ପ୍ରଚାର ପାଇଁ 95 ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ। ପୂର୍ବରୁ ଏହି ପରିମାଣ 54 ଲକ୍ଷ ଟଙ୍କା ଥିଲା। ବର୍ତ୍ତମାନ ପରିସ୍ଥିତିକୁ ଦେଖି ନିର୍ବାଚନ କମିଶନର ଏପରି ନିଷ୍ପତି ନେଇଛନ୍ତି।

ଏହି ଖର୍ଚ୍ଚ ମୂଲ୍ୟ ନିର୍ଦ୍ଧାରଣ ପାଇଁ କମିଶନର ଏକ କମିଟ ଗଠନ କରିଥିଲେ। ଏହି କମିଟ ବିଭିନ୍ନ ବର୍ଗର ଲୋକ ତଥା ବିଶେଷଜ୍ଞଙ୍କ ପରାମର୍ଶ ନେଇଥିଲେ। ସେହିପରି ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ। ସେହି ଆଲୋଚନାକୁ ବିଚାରକୁ ନେଇ କମିଶନର ଏହି ଖର୍ଚ୍ଚ ପରିମାଣ ବୃଦ୍ଧି କରିଛନ୍ତି।

ତେବେ ଏଥିରେ କେତେକ ଛୋଟଛୋଟ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ଅଲଗା ଖର୍ଚ୍ଚ ଧାର୍ଯ୍ୟ କରିଛନ୍ତି। ଗୋଆ, ସିକିମି, ମଣିପୁର,ପୁଡୁଚେରୀ ପରି ଅଞ୍ଚଳଗୁଡିକ ପାଇଁ ନିର୍ବାଚନ ଖର୍ଚ୍ଚ ଭିନ୍ନ କରାଯାଇଛି। ଏଥିରେ ସାଂସଦ ପ୍ରାର୍ଥୀଙ୍କ ପାଇଁ 54 ଲକ୍ଷ ଟଙ୍କାରୁ 75 ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ବିଧାୟକ ପ୍ରାର୍ଥୀଙ୍କ ପାଇଁ 20 ଲକ୍ଷ ଟଙ୍କାରୁ 28 ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି।

ପୂର୍ବୁ 2014 ମସିହାରେ କମିଶନର ଏହି ଖର୍ଚ୍ଚ ପରିମାଣ ବୃଦ୍ଧି କରିଥିଲେ। ଏହାପରେ 2020 ମସିହାରେ ଏଥିରେ ଆଉ 10 ପ୍ରତିଶତ ବୃଦ୍ଧି କରାଯାଇଥିଲା। ଏହି ଖର୍ଚ୍ଚ ପରିମାଣ ଆଜି ପର୍ଯ୍ୟନ୍ତ ଲାଗୁ ହୋଇ ଆସୁଥିଲା ବେଳେ ଏବେ 2022ରେ ପୁଣି ବୃଦ୍ଧି କରିଛନ୍ତି। ବର୍ତ୍ତମାନ ଯେଉଁ ପାଞ୍ଚୋଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି ସେଠାରେ ଏହି ବର୍ଦ୍ଧିତ ଖର୍ଚ୍ଚ ପରିମାଣ ଲାଗୁ କରାଯିବ।

Related posts