ସାଧାରଣତନ୍ତ୍ର ଦିବସ ଦିନ ପତାକା ଉତ୍ତୋଳନ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୁଆଡେ ଗଲେ !

Published: Jan 27, 2022, 6:15 am IST

ଭୁବନେଶ୍ବର: ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସକାଳେ ପତାକା ଉତ୍ତୋଳନରେ ଯୋଗଦେବା ପାଇଁ  ଭୁବନେଶ୍ବରର ଗାନ୍ଧୀମାର୍ଗରେ ପହଁଚିଥିଲେ। ସେଠାରେ ସେ ରାଜ୍ୟପାଳଙ୍କ ସହିତ ମଞ୍ଚ ଉପରେ ରହିଥିଲେ। ପତାକା ଉତ୍ତୋଳନ ସହିତ ପରେଡରେ ସେ ରାଜ୍ୟପାଳଙ୍କ ସହିତ ଅଭିବାଦନ ମଧ୍ୟ ଗ୍ରହଣ କଲେ।

ସବୁ କାର୍ଯ୍ୟ ସରିବା ପରେ ରାଜ୍ୟପାଳ ଯିବାକୁ ବାହାରିଲେ। ଏହାପରେ ପରେ ମୁଖ୍ୟମନ୍ତ୍ରୀ ମଧ୍ୟ ଯିବାକୁ ବାହାରିଲେ। ମୁଖ୍ୟମନ୍ତ୍ରୀଙ୍କ କାରକେଡ ରାଜମାର୍ଗ ଦେଇ ନବୀନ ନିବାସ ଆଡକୁ ଯିବା କଥା। ହେଲେ କଣ ହେଲା କେଜାଣି ତାଙ୍କର କାରକେଡ ଲୋକସେବା ଭବନ ଆଡକୁ ଗଲା। ସମସ୍ତେ ଆଶ୍ଚର୍ଯ୍ୟ ମଧ୍ୟ ହୋଇପଡିଲେ।

ସେଠାରେ ଥିବା ସୁରକ୍ଷା କର୍ମି ମଧ୍ୟ ଚକିତ ହେଲେ। ସେମାନେ ଜାଣିପାରେ ନାହିଁ ଆଜି ଛୁଟି ଦିନରେ ଅଫିସ ବନ୍ଦ ଥିବା ବେଳେ ମୁଖ୍ୟମନ୍ତ୍ରୀ କଣ ପାଇଁ ଭିତରକୁ ଆସିଲେ। ନିୟମ ଅନୁସାରେ ସୁରକ୍ଷା କର୍ମି ଅଭିନନ୍ଦନ କରି ତାଙ୍କୁ ଭିତରକୁ ଛାଡିଲେ। ହେଲେ ଭିତରେ ତ ତାଲା ପଡିଛି। ସେମାନେ କଣ କରିବେ କିଛି ଜାଣିପାରିଲେ ନାହିଁ।

ମୁଖ୍ୟମନ୍ତ୍ରୀଙ୍କ କାର ପୂର୍ବରୁ ଯେପରି ଲୋକସେବା ଭବନର ଭିତରେ ଥିବା ମୁଖ୍ୟ ଫାଟକରେ ଲାଗେ ସେହିପରି ଲାଗିଲା। ମୁଖ୍ୟମନ୍ତ୍ରୀ କାରରୁ ଓହ୍ଲାଇଲେ। ତାଙ୍କ ସହିତ ତାଙ୍କର ବ୍ୟକ୍ତିଗତ ସଚିବ ଭି କେ ପାଣ୍ଡିୟାନ ମଧ୍ୟ ଓହ୍ଲାଇଲେ।

ହେଲେ ସେ ଲୋକସେବା ଭବନ ଭିତରକୁ ଗଲେ ନାହିଁ। ଲୋକସେବା ଭବନ ଆଗରେ ଥିବା ପାର୍କରେ ସେ ବୁଲିବା ଆରମ୍ଭ କଲେ। ତାଙ୍କ ଦେଖାଦେଖି ତାଙ୍କର ବ୍ୟକ୍ତିଗତ ସଚିବ ମଧ୍ୟ ତାଙ୍କ ସାଥୀରେ ବୁଲିଲେ। ଏପରିକି ସୁରକ୍ଷା କର୍ମି ମଧ୍ୟ ଅଳ୍ପ ବାଟ ପର୍ଯ୍ୟନ୍ତ ତାଙ୍କ ସାଥିରେ ଗଲେ। ମୁଖ୍ୟମନ୍ତ୍ରୀ କିଛି ସମୟ ସେହି ପାର୍କରେ ଏକା ଏକା ବୁଲିବାକୁ ଲାଗିଲେ। କେଉଁଠି କି ଫୁଲ ଫୁଟିଛି ତାହା ଦେଖିଲେ। ଏହାପରେ କାର ପାଖକୁ ଆସି ନବୀନ ନିବାସ ଗଲେ।

Related posts