କୃଷକ ଆନ୍ଦୋଳନର ଗଡରୁ ଜାରି ରହିଛି ୟୁପିରେ ନିର୍ବାଚନ ଯୁଦ୍ଧ, ସକାଳ ୯ ଟା ପର୍ଯ୍ୟନ୍ତ ୭.୯୩% ଭୋଟ୍

Published: Feb 10, 2022, 10:23 am IST

ଲକ୍ଷ୍ନୌ: ୟୁପି ବିଧାନସଭା ନିର୍ବାଚନ ୨୦୨୨ର ପ୍ରଥମ ପର୍ଯ୍ୟାୟରେ ଆଜି ୧୧ ଟି ଜିଲ୍ଲାର ମୋଟ ୫୮ ଟି ବିଧାନସଭା ଆସନରେ ଭୋଟ୍ ଦିଆଯାଉଛି। ଥଣ୍ଡା ସତ୍ତ୍ୱେ ଲୋକମାନେ ବହୁ ସଂଖ୍ୟାରେ ମତଦାନ କେନ୍ଦ୍ରରେ ଭିଡ଼ ଜମାଇଛନ୍ତି। ମୁଜାଫରନଗର, ହାପୁଡ, ମଥୁରା, ଆଗ୍ରା ର ଅନେକ ମତଦାନ କେନ୍ଦ୍ରରେ ସକାଳୁ ଲୋକଙ୍କ ଭିଡ ଦେଖିବାକୁ ମିଳୁଛି। ଲୋକମାନେ ମତଦାନ ବୁଥରେ ଲାଇନରେ ଅପେକ୍ଷା କରିଥିବା ଦେଖାଯାଇଛି। ଗତ ବର୍ଷ ଏହି ଅଞ୍ଚଳ କୃଷକଙ୍କ ଆନ୍ଦୋଳନର ଏକ ଗଡ଼ ପାଲଟିଥିଲା।

ପ୍ରଥମ ପର୍ଯ୍ୟାୟରେ ପଶ୍ଚିମ ୟୁପିର ଅଧିକାଂଶ ଆସନରେ ମତଦାନ ଚାଲିଛି। ସକାଳ ୭ ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଜାରି ରହିବ। ଏହାପୂର୍ବରୁ ନିର୍ବାଚନ କମିଶନ ଶାନ୍ତିପୂର୍ଣ୍ଣ ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ କରି ମତଦାନ କେନ୍ଦ୍ରରେ କଡା ସୁରକ୍ଷା ବ୍ୟବସ୍ଥା କରିଛନ୍ତି। ଏହି ପର୍ଯ୍ୟାୟରେ ୫୮ ଟି ବିଧାନସଭା ଆସନ ପାଇଁ ୬୨୩ ଜଣ ପ୍ରାର୍ଥୀ ଅଛନ୍ତି, ସେଥିମଧ୍ୟରୁ ୭୩ ଜଣ ମହିଳା ପ୍ରାର୍ଥୀ ଅଟନ୍ତି।

ସେକ୍ଟର ୧୨ ଏବଂ ନୋଏଡାର ସେକ୍ଟର ୨୭ ର ଦୁଇଟି ବିଦ୍ୟାଳୟରେ ନିର୍ମିତ ମତଦାନ କେନ୍ଦ୍ରକୁ ସଜାଯାଇଛି। ଯାହାଦ୍ୱାରା ବହୁ ସଂଖ୍ୟକ ଲୋକ ସେଠାକୁ ଆସି ଭୋଟ୍ ଦେଇପାରିବେ।

ପ୍ରଥମ ପର୍ଯ୍ୟାୟରେ ଶ୍ୟାମଲି, ହାପୁଡ, ଗଗୌତମବୁଦ୍ଧ ନାଗର, ମୁଜାଫରନଗର, ମେରଠ, ବାଗପାତ, ଗାଜିଆବାଦ, ବୁଲନ୍ଦସହର, ଆଲିଗଡ, ମଥୁରା ଏବଂ ଆଗ୍ରା ଜିଲ୍ଲାର ବିଧାନସଭା ଆସନରେ ଭୋଟ୍ ଗ୍ରହଣ ଚାଲିଛି। ପ୍ରଥମ ପର୍ଯ୍ୟାୟରେ ୨.୨୮ କୋଟି ଭୋଟର ସେମାନଙ୍କର ଅଧିକାର ବ୍ୟବହାର କରିବାକୁ ସକ୍ଷମ ହେବେ, ଯେଉଁଥିରେ ୧.୨୪ କୋଟି ପୁରୁଷ, ୧.୦୪ କୋଟି ମହିଳା ଏବଂ ୧୪୪୮ ଟ୍ରାନ୍ସଜେଣ୍ଡର ଭୋଟର ଅନ୍ତର୍ଭୁକ୍ତ।

ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସରକାର ମନ୍ତ୍ରୀ ଶ୍ରୀକାନ୍ତ ଶର୍ମା, ସୁରେଶ ରାଣା, ସନ୍ଦୀପ ସିଂ, କପିଲ ଦେବ ଅଗ୍ରୱାଲ, ଅତୁଲ ଗର୍ଗ ଏବଂ ଚୌଧୁରୀ ଲକ୍ଷ୍ମୀ ନାରାୟଣଙ୍କ ରାଜନୈତିକ ଭାଗ୍ୟ ସ୍ଥିର ହେବ।

Related posts