ୟୁକ୍ରେନ୍‌ରୁ ଫେରିଲେ ୭୭ ଓଡିଆ ଛାତ୍ରଛାତ୍ରୀ: ବିମାନବନ୍ଦରରେ ପିଲାଙ୍କ ଓ ପରିବାରର ଖୁସିରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ

Published: Mar 7, 2022, 6:54 pm IST

ଭୁବନେଶ୍ବର: ଦୀର୍ଘ ୧୨ ଦିନର ଉତ୍କଣ୍ଠା ଓ ଆଶଙ୍କାର ଆଜି ଅନ୍ତ ଘଟିଛି। ୟୁକ୍ରେନ୍‌ରେ ପଢୁଥିବା ଓଡିଆ ଛାତ୍ରଛାତ୍ରୀଙ୍କ ପରିବାର ପାଇଁ ଆଣିଛି ଆଶ୍ବସ୍ତି। ଯୁଦ୍ଧ ବିଧ୍ବସ୍ତ ୟୁକ୍ରେନ୍‌ରେ ପାଠ ପଢୁଥିବା ୭୭ ଓଡିଆ ଛାତ୍ରଛାତ୍ରୀ ଆଜି ରାଜ୍ୟ ସରକାରଙ୍କ ଦ୍ବାରା ଯୋଗାଇ ଦିଆଯାଇଥିବା ସ୍ବତନ୍ତ୍ର ବିମାନରେ ଭୁବନେଶ୍ବରରେ ପହଞ୍ଚିଛନ୍ତି।

ଓଡିଶା ଫେରିଆସିଥିବା ଛାତ୍ରଛାତ୍ରୀ ମାନଙ୍କ ପରିବାରର ଏହି ଆନନ୍ଦମୟ ମୁହୂର୍ତ୍ତରେ ବିମାନବନ୍ଦରରେ ସେମାନଙ୍କ ସହ ସାମିଲ ହୋଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟ ସରକାରଙ୍କ ଦ୍ବାରା ଯୋଗାଇ ଦିଆଯାଇଥିବା ସ୍ବତନ୍ତ୍ର ବିମାନ ଆଜି ନୂଆଦିଲ୍ଲୀରୁ ୭୭ଜଣ ଓଡିଆ ଛାତ୍ରଛାତ୍ରୀଙ୍କୁ ନେଇ ସଂଧ୍ୟା ୦୫.୩୦ ମିନିଟରେ ଭୁବନେଶ୍ବରରେ ପହଞ୍ଚିଥିଲା। ଯୁଦ୍ଧ ଅଞ୍ଚଳରୁ ଫେରିଆସିଥିବା ପିଲାମାନଙ୍କୁ ପାଖରେ ପାଇ ବାପା ମାଙ୍କ ଆଖିରୁ ଝରିପଡିଥିଲା ଆନନ୍ଦର ଅଶ୍ରୁ। ହୃଦୟରେ ଆସିଥିଲା ଆଶ୍ବସ୍ତି। ପିଲାମାନଙ୍କ ନିରାପଦ ଉଦ୍ଧାର ପାଇଁ ସେମାନେ ସମସ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଥିଲେ। ମୁଖ୍ୟମନ୍ତ୍ରୀ ନିଜେ ବିମାନବନ୍ଦରେ ଉପସ୍ଥିତ ରହି ପିଲାମାନଙ୍କ ଭଲମନ୍ଦ ପଚାରି ବୁଝିଥିଲେ। ସେମାନେ ଆଗକୁ ଯେପରି ପାଠ ପଢିପାରିବେ, ସେଥିଲାଗି ସମସ୍ତ ପ୍ରକାର ଉଦ୍ୟମ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଆଶ୍ବସନା ଦେଇଥିଲେ।

ସୂଚନାଯୋଗ୍ୟ ଯେ ଯୁଦ୍ଧ ବିଧ୍ବସ୍ତ ୟୁକ୍ରେନରୁ ପିଲାମାନଙ୍କୁ ଉଦ୍ଧାର କରିବାପାଇଁ ରାଜ୍ୟ ସରକାର ବ୍ୟାପକ ବନ୍ଦୋବସ୍ତ କରିଥିଲେ। ଦୁଇଟି ବସ୍‌ ଯୋଗେ ସେମାନଙ୍କୁ ଯୁଦ୍ଧ ଅଂଚଳରୁ ନିରାପଦ ଉଦ୍ଧାର କରାଯାଇଥିଲା। ଏତଦ୍‌ ବ୍ୟତୀତ ସେମାନଙ୍କ ପାଠପଢାରେ ଯେପରି ଅସୁବିଧା ନ ହୁଏ ସେଥିପାଇଁ ଦେଶର ମେଡିକାଲ କଲେଜରେ ସେମାନଙ୍କ ପାଠପଢା ପାଇଁ ବ୍ୟବସ୍ଥା କରିବାପାଇଁ ଗତକାଲି ମୁଖ୍ୟମନ୍ତ୍ରୀ ଚିଠି ଲେଖି ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ଏବଂ ଏ ଦିଗରେ ରାଜ୍ୟ ସରକାର ସମସ୍ତ ସହଯୋଗ ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ମଧ୍ୟ ଉପସ୍ଥିତ ରହି ପିଲାମାନଙ୍କ ସହିତ ଆଲୋଚନା କରିଥିଲେ।

Related posts