କୃଷକଙ୍କ ଆୟବୃଦ୍ଧି ନିମନ୍ତେ କାର୍ଯ୍ୟକ୍ଷମ ହେଲା ୯୭ ହଜାର ବୋରଓ୍ୱେଲ୍

Published: Apr 30, 2022, 5:06 pm IST

ଭୁବନେଶ୍ୱର: କୃଷିକାର୍ଯ୍ୟରୁ ନିରନ୍ତର ଆୟବୃଦ୍ଧି ଦିଗରେ ଅନ୍ୟ ଏକ ବଳିଷ୍ଠ ପଦକ୍ଷେପ ଭାବେ ବିଜୁ କୃଷକ ବିକାଶ ଯୋଜନା ମାଧ୍ୟମରେ ଗଭୀର ବୋରଓ୍ୱେଲ୍ କାର‌୍ୟ୍ୟକ୍ରମକୁ ଅଧିକ ସଘନ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ଓଡ଼ିଶା ଜଳ ସେଚନ ନିଗମ ଦ୍ୱାରା ପରିଚାଳିତ ଏହି ଯୋଜନାର ସମୀକ୍ଷା କରି ଶ୍ରୀ ମହାପାତ୍ର ଏହି ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟ ଲୋକସେବା ଭବନରୁ ଡିଜିଟାଲ୍ ମୋଡରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଯୋଜନା କାର୍ଯ୍ୟାନ୍ୱୟନ ସମ୍ବନ୍ଧିତ ଆର୍ଥିକ, ପ୍ରଶାସନିକ ଓ ବୈଷୟିକ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ ।

କ୍ଷେତ୍ରସ୍ତରରେ ଯୋଜନାର ଲୋକପ୍ରିୟତାକୁ ଅନୁଧ୍ୟାନ କରି ଶ୍ରୀ ମହାପାତ୍ର କହିଥିଲେ ଯେ ଗଭୀର ବୋରଓ୍ୱେଲ୍ ଯୋଜନା ମାଧ୍ୟମରେ ଫସଲ ବିବିଧକରଣ ଏବଂ ଅର୍ଥକରୀ ଫସଲ ଉତ୍ପାଦନକୁ ଅଧିକ ସହଜ ଓ ଫଳପ୍ରସୁ କରିହେବ । ଏହା ମଧ୍ୟ ବର୍ଷତମାମ ନିରନ୍ତର କୃଷି କାର୍ଯ୍ୟ ଏବଂ କୃଷକଙ୍କ ଆୟବୃଦ୍ଧିରେ ସହାୟକ ହେବ । ଆବଶ୍ୟକ ପରିମାଣରେ ଜଳସେଚନ ନଥିବା ସମସ୍ତ ବ୍ଲକ୍ରେ ଏହି ଯୋଜନାକୁ ସଘନ ଭାବେ କାର୍ଯ୍ୟାନ୍ୱୟନ କରିବାକୁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ ।

ବୋରଓ୍ୱେଲରୁ ଉତ୍ପାଦିତ ଜଳର ଗୁଣାତ୍ମକମାନ ପରୀକ୍ଷା ସହ ନିୟନ୍ତ୍ରିତ ଜଳସେଚନ ପଦ୍ଧତିରେ ଏହାର ସର୍ବାଧିକ ଉପଯୋଗ କରିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଥିଲେ । ବୋରଓ୍ୱେଲ୍ ହେଉଥିବା ଅଞ୍ଚଳମାନଙ୍କରେ କୃଷକମାନଙ୍କୁ ଫସଲ ବିବିଧକରଣ ବିଷୟରେ ତାଲିମ ଓ ବୈଷୟିକ ପରାମର୍ଶ ଦେବା ପାଇଁ କୃଷି ଓ ଉଦ୍ୟାନ କୃଷି ବିଭାଗ ଅଧିକାରୀମାନଙ୍କୁ କହିଥିଲେ । ସ୍ୱାଭିମାନ ଅଞ୍ଚଳରେ ଏହି କାର‌୍ୟ୍ୟକ୍ରମକୁ ସମନ୍ୱିତ ଜନଜାତି ଉନ୍ନୟନ ସଂସ୍ଥା (ଆଇ.ଟି.ଡ଼ି.) ମାଧ୍ୟମରେ ଅଧିକ ଲୋକପ୍ରିୟ କରାଇବା ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ଉଭୟ ଜଳ ସଂପଦ ଓ ଅନୁସୂଚୀତଜାତି ଓ ଜନଜାତି ଉନ୍ନୟନ ବିଭାଗଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ଜଣାଇଥିଲେ ଯେ ବୋରଓ୍ୱେଲ୍ ଯୋଜନାକୁ ଅଧିକ ତ୍ୱରାନ୍ୱିତ ଏବଂ ସ୍ୱଚ୍ଛ କରିବା ନିମନ୍ତେ ଅନ୍ଲାଇନ୍ ଦରଖାସ୍ତ ଗ୍ରହଣ, ଏବଂ ଅନ୍ଲାଇନ୍ ମଞ୍ଜୁରୀ ବ୍ୟବସ୍ଥା ପ୍ରଚଳନ କରାଯାଇଛି । ବୋରଓ୍ୱେଲ୍ ପିଛା ପ୍ରାୟ ୩.୮୮ ଲକ୍ଷ ଟଙ୍କା ବିନିଯୋଗ ହେଉଥିବା ବେଳେ ହିତାଧିକାରୀଙ୍କ ଅଂଶଧନକୁ ବହୁ ସିମୀତ ରଖାଯାଇଛି । ସାଧାରଣ ବର୍ଗର ହିତାଧିକାରୀ ୨୦ ହଜାର ଏବଂ ଅନୁସୂଚୀତ ଜାତି ଓ ଜନଜାତି ବର୍ଗର ହିତାଧିକାରୀ ୧୦ ହଜାର ଟଙ୍କାର ଅଂଶଧନ ଦେଇଛନ୍ତି । ଚଳିତ ବର୍ଷ ମାର୍ଚ୍ଚ ମାସ ଶେଷସୁଦ୍ଧା ପ୍ରାୟ ୯୭ ହଜାର ବୋରଓ୍ୱେଲ୍ କୁ କାର‌୍ୟ୍ୟକ୍ଷମ କରାଯାଇ ଚାଷୀମାନଙ୍କୁ ହସ୍ତାନ୍ତର କରାଯାଇଛି । ଗୋଟିଏ ବୋରଓ୍ୱେଲ୍ରୁ ଉତ୍ପାଦିତ ଜଳରେ ପ୍ରାୟ ୫ ହେକ୍ଟର ଜମିକୁ ବିଭିନ୍ନ ପ୍ରକାର ଚାଷ ନିମନ୍ତେ ପାଣି ଯୋଗାଯାଇ ପାରୁଛି ।

୨୦୨୫-୨୬ ଆର୍ଥିକ ବର୍ଷ ଶେଷସୁଦ୍ଧା ରାଜ୍ୟର ସମସ୍ତ ଜିଲ୍ଲାରେ ପ୍ରାୟ ୧ ଲକ୍ଷ ନୂଆ ବୋରଓ୍ୱେଲ୍ ଖନନ କରି ୫ ଲକ୍ଷ ହେକ୍ଟରରୁ ଅଧିକ ଚାଷ ଜମିକୁ ବର୍ଷତମାମ ଜଳସେଚନ ଯୋଗାଇବା ନିମନ୍ତେ ବୈଠକରେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ଏଥିରେ ପ୍ରାୟ ୪୧୯୮.୧୬ କୋଟି ଟଙ୍କା ବିନିଯୋଗ ହେବ । ସ୍ୱାଭିମାନ ଅଞ୍ଚଳ ପାଇଁ ସ୍ୱତନ୍ତ୍ରଭାବେ ମଞ୍ଜୁର ହୋଇଥିବା ୪୧୯ ଟି ଗଭୀର ବୋରଓ୍ୱେଲ୍କୁ ଶିଘ୍ର କାର୍ଯ୍ୟାନ୍ୱୟନ କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । ଏହି ଅଞ୍ଚଳରେ ହିତାଧିକାରୀ ଅଂଶଧନ ଆଇ.ଟି.ଡ଼ି.ଏ. ମାଧ୍ୟମରେ ପୈଠ କରାଯିବ । ୨ ରୁ ୩ ମାସ ମଧ୍ୟରେ ଏହି ସବୁ ବୋରଓ୍ୱେଲ୍ ର ଟେଣ୍ଡର ପ୍ରକ୍ରିୟା ଶେଷ କରି କ୍ଷେତ୍ରସ୍ତରୀୟ କାର୍ଯ୍ୟାନ୍ୱୟନ ଆରମ୍ଭ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ ।

ଦୁର୍ଗମ ଓ ପାହାଡ଼ିଆ ଅଞ୍ଚଳମାନଙ୍କରେ ସୌର-ଶକ୍ତି ମାଧ୍ୟମରେ ବୋରଓ୍ୱେଲ୍ ପମ୍ପ୍ ବସାଯିବ। ଏଥି ପାଇଁ ପ୍ରତି ବୋରଓ୍ୱେଲ୍ ପିଛା ୩.୯୪ ଲକ୍ଷ ଟଙ୍କାର ଖର୍ଚ୍ଚ ଆକଳନ କରାଯାଇଛି ବୋଲି ଶ୍ରୀମତୀ ଗର୍ଗ କହିଥିଲେ । ପ୍ରତି ବର୍ଷ ୨୫୦୦ ଟି ହିସାବରେ ୨୦୨୫-୨୬ ଆର୍ଥିକ ବର୍ଷ ଶେଷସୁଦ୍ଧା ସମୁଦାୟ ୧୨,୫୦୦ ବୋରଓ୍ୱେଲ୍ କାର୍ଯ୍ୟକ୍ଷମ କରିବା ପାଇଁ ଲକ୍ଷ୍ୟ ଧାର‌୍ୟ୍ୟ କରାଯାଇଥିଲା । ଏହି ପ୍ରକଳ୍ପରେ ପ୍ରାୟ ୪୯୨.୫୦ କୋଟି ଟଙ୍କା ବିନିଯୋଗ ହେବ ଏବଂ ଜଳକ୍ଳିଷ୍ଟ ଅଞ୍ଚଳରେ ପ୍ରାୟ ୬୨,୫୦୦ ହେକ୍ଟର ଜମି ଜଳସେଚିତ ହେବ ।

ଉନନୟନ କମିଶନର ଶ୍ରୀ ପ୍ରଦୀପ କୁମାର ଜେନା, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା କୃଷି ଉତ୍ପାଦନ କମିଶନର ଶ୍ରୀ ସଂଜୀବ ଚୋପ୍ରା, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଳ କୁମାର ଦେବ, ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ନିକୁଞ୍ଜବିହାରୀ ଧଳ, ଜଳ ସଂପଦ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀମତୀ ଅର୍ଚ୍ଚନା ପଟ୍ଟନାୟକ, ଉଠାଜନସେଚନ ନିଗମ କାର‌୍ୟ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ବାଲେଶ୍ୱରନାଥ ସାହୁ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶ୍ରୀ ଜନାର୍ଦ୍ଦନ ମାଝୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Related posts