BREAKING: ସାଂସଦ ଅପରାଜିତା ଷଡଙ୍ଗୀ ମଧ୍ୟ ଯିବେ ମା ତାରାତାରିଣୀ ମନ୍ଦିର

Published: May 18, 2022, 9:22 am IST

ଭୁବନେଶ୍ବର: ଓଡିଶାର ପ୍ରସିଦ୍ଧ ଶକ୍ତିପିଠ ମା ତାରା ତାରିଣୀର ନବୀକରଣ ପ୍ରତିଷ୍ଠା ଉତ୍ସବର ଆୟୋଜନ ହେଉଛି। ଏହି ଉତ୍ସବର ଆଜି ହେଉଛି ପୂର୍ଣ୍ଣାହୂତି ପର୍ବ। ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମା ତାରାତାରିଣୀ ମନ୍ଦିର ପରିଦର୍ଶନରେ ଯାଉଛନ୍ତି। ସେ ସେଠାରେ ଏହି ବିକାଶ କାର୍ଯ୍ୟର ତଦାରଖ କରିବା ସହିତ ପୂର୍ଣ୍ଣାହୂତିରେ ଯୋଗ ଦେବେ।

ଏହି ମନ୍ଦିରର ନବୀକରଣ ନେଇ ରାଜ୍ୟ ସରକାରଙ୍କ ତରଫରୁ ବେଶ ବଡ ପଦକ୍ଷେପ ଗ୍ରହଣ କରାଯାଇଛି। ଏପରିକି ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ମଧ୍ୟ ବେଶ୍ ଗୁରୁତର ସହ ସରକାର ନେଇଛନ୍ତି। ସେଥିପାଇଁ ଗୋଟିଏ ଦିନ ପୂର୍ବରୁ ମୁଖ୍ୟ ଶାସନ ସଚିବ ଏବଂ 5ଟି ସଚିବ ଗଂଜାମ ଗସ୍ତ କରିଛନ୍ତି। ଏହି ଟିମ ମନ୍ଦିରର ବିଭିନ୍ନ କାର୍ଯ୍ୟ ଦେଖିବା ସହିତ ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଉଦ୍ୟମ ଜାରୀ ରଖିଛନ୍ତି।

ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ମଧ୍ୟ ମା ତାରାତାରିଣୀ ଦର୍ଶନ କରିବାକୁ ଯାଉଛନ୍ତି। ସେ ଆସନ୍ତା କୋଡିଏ ତାରିଖରେ ଗଂଜାମ ଯାଉଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପରି ଅପରାଜିତାଙ୍କ ଗସ୍ତକୁ ମଧ୍ୟ ପ୍ରଚାର ପ୍ରସାର କରିବା ପାଇଁ ତାଙ୍କ ଟିମ ବେଶ ଉଦ୍ୟମ ଜାରୀ ରଖିଛି।

ମା ତାରାତାରିଣୀ ବିକାଶ ନେଇ ବିଜେଡି ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା ସାଉଁଟିଥିବା ବେଳେ ଅପରାଜିତା ତାହାକୁ ହାତ ଛଡା କରିବାକୁ ଚାହୁଁ ନାହାଁନ୍ତି। ସେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ପରି ଗସ୍ତ କରିବେ ବୋଲି ତାଙ୍କ ଅଫିସ ତରଫରୁ ଘୋଷଣା କରାଯାଇଛି। ସେଥିପାଇଁ ସେଠାରେ ଥିବା ତାଙ୍କ ଦଳୀୟ କର୍ମିଙ୍କୁ ପ୍ରସ୍ତୁତ ରହିବାକୁ କୁହାଯାଇଛି।

ତେବେ ପ୍ରଶ୍ନ ଉଠୁଛି ଯେ  ଅପରାଜିତା ସେଠାକୁ କେବଳ ଦର୍ଶନ ପାଇଁ ଯାଉଛନ୍ତି ନାଁ କିଛି ସମାଲୋଚନା କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ବିଶେଷ ସୁତ୍ର ଅନୁସାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ସମାଲୋଚନା କରିବା ପରି ଏହି ପ୍ରକଳ୍ପକୁ ଅପରାଜିତା ସମାଲୋଚନା କରିବେ। ସେଥିପାଇଁ ସେ ସେଠାକୁ ଯାଇ ତନ୍ନତନ୍ନ ଅନୁଧ୍ୟାନ କରିବେ ବୋଲି କୁହାଯାଉଛି।

Related posts