Categories
ବିଶେଷ ଖବର ରାଜ୍ୟ ଖବର

ହଜ଼ାର ହଜ଼ାର ଭକ୍ତଙ୍କ ଗହଣରେ ମା ତାରାତାରିଣୀ ନବୀକରଣ ଉତ୍ସବରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଗଞ୍ଜାମ ଜିଲ୍ଲା ଆଜି ଉତ୍ସବ ମୁଖରିତ। ଜିଲ୍ଲାର ସବୁ ରାସ୍ତା ଆଜି ଯାଇ ପହଞ୍ଚିଛି ମା ତାରାତାରିଣୀଙ୍କ ପୀଠରେ। ଲୋକଙ୍କ ସୁଅ ଛୁଟିଛି ରତ୍ନଗିରି ପାହାଡକୁ, ମାଙ୍କ ଆସ୍ଥାନକୁ। ଗଞ୍ଜାମର ଆରାଧ୍ୟ ଦେବୀ ମା ତାରାତାରିଣୀଙ୍କ ପୀଠର ଆଜି ହୋଇଛି କାୟାକଳ୍ପ। କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ନବନିର୍ମିତ ମନୋରମ ମନ୍ଦିରର ଆଜି ହୋଇଛି ପ୍ରତିଷ୍ଠା ଉତ୍ସବ। ପବିତ୍ର ମନ୍ତ୍ରଧ୍ବନୀର ଉଚ୍ଚାରଣ ତଥା ମଙ୍ଗଳ ବାଦ୍ୟର ନିନାଦରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି।

ଗତ ୫ ଦିନ ଧରି ଚାଲିଥିବା ପ୍ରତିଷ୍ଠା ଉତ୍ସବର ଆଜି ସଂପନ୍ନ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ପୁରୋଧା ଭାବରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ। ‌ଏହି ଅବସରରେ ଆଜିର ଦିନଟିକୁ ଏକ ପବିତ୍ର ଦିନ ଭାବରେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ ସାରା ଓଡିଶା, ବିଶେଷକରି ଗଞ୍ଜାମବାସୀଙ୍କର ମଙ୍ଗଳ କାମନା କରି ମାଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି।

ମୁଖ୍ୟମନ୍ତ୍ରୀ ପ୍ରଥମେ ମାଙ୍କର ଦର୍ଶନ କରି ପୂଜାର୍ଚ୍ଚନା କରିବା ସହିତ ପ୍ରତିଷ୍ଠା କାର୍ଯ୍ୟରେ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶା ଦେବଭୂମି। ଓଡିଶାରେ ଶକ୍ତି ପୂଜାର ପରମ୍ପରା ବହୁ ପ୍ରାଚୀନ। ଓଡିଶାର ଗାଁ ଗାଁରେ ମାଙ୍କର ପୂଜା ଅନାଦି କାଳରୁ ଚାଲିଆସିଛି। ମା ତାରାତାରିଣୀ ହେଉଛନ୍ତି ଗଞ୍ଜାମର ଇଷ୍ଟ ଦେବୀ। ଗଞ୍ଜାମବାସୀଙ୍କ ସୁଖଦୁଃଖ ରେ ଆମେ ମାଙ୍କ ଶରଣ ନେଇଥାଉ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିବା ସହ ମାଙ୍କ ଆଶୀର୍ବାଦ ଓ ମାଙ୍କ ଇଚ୍ଛାରେ ହିଁ ତାଙ୍କ ମନ୍ଦିର ଆଜି ଏହି ଭବ୍ୟ ରୂପ ଗ୍ରହଣ କରିଛି। ଏହି କାର୍ଯ୍ୟରେ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।

ମା ତାରାତାରିଣୀଙ୍କ ମନ୍ଦିରର ନୂଆ ରୂପକୁ ଓଡିଶାର କଳା ସ୍ଥାପତ୍ୟ ଓ ଭାସ୍କର୍ଯ୍ୟର ଅନୁପମ ନିଦର୍ଶନ ଭାବରେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟରେ ନିୟୋଜିତ ଶିଳ୍ପୀ ଓ କାରିଗର ମାନଙ୍କୁ ବିଶେଷ ଅଭିନନ୍ଦନ ଜଣାଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମୁଁ ଯେବେ ବି ମାଙ୍କ ଦର୍ଶନ ପାଇଁ ପୀଠକୁ ଆସିଛି, ସେତେବେଳେ ମୋତେ ବହୁତ ଭଲ ଲାଗିଛି।

ମନ୍ଦିରର ଏହି ନୂଆ ରୂପ ଓ ବିକଶିତ ପରିବେଶ ଅଧିକ ଭକ୍ତ ଓ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବାରେ ସହାୟକ ହେବ ବୋଲି ମତ ଦେଇ ସେମାନଙ୍କ ନିମନ୍ତେ କରାଯାଇଥିବା ବିଭିନ୍ନ ସୁବିଧା ସୁଯୋଗର ଉଚ୍ଚପ୍ରଶଂସା କରିଥିଲେ। ଶେଷରେ ଶାନ୍ତି ଓ ସହଯୋଗ ଭିତ୍ତିରେ ଗଞ୍ଜାମର ବିକାଶ ପାଇଁ ସମସ୍ତେ ମିଳିମିଶି କାମ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଜଣାଇଥିଲେ।

ଭକ୍ତ ଓ ପର୍ଯ୍ୟଟକ ଙ୍କ ପାଇଁ ବିକଶିତ ବିଭିନ୍ନ ସୁବିଧା ସୁଯୋଗ ର ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଥିଲେ ଏବଂ ଋଷିକୂଲ୍ୟା ନଦୀ ତଟ ଉନ୍ନତି କରଣ କାର୍ଯ୍ୟ ର ଭିତ୍ତି ମଧ୍ୟ ରଖିଥିଲେ.

ପ୍ରତିଷ୍ଠା ଉତ୍ସବ ରେ ପୂରୀ ଶ୍ରୀ ଜଗନ୍ନାଥ ମନ୍ଦିର, ଭୁବନେଶ୍ୱର ର ଶ୍ରୀ ଲିଙ୍ଗରାଜ ମନ୍ଦିର. ମା ସମଲେଶ୍ୱରୀ ମନ୍ଦିର, କେନ୍ଦ୍ରାପଡ଼ା ଶ୍ରୀ ବଳଦେବ ଜୀଉ ମନ୍ଦିର ସମତେ ରାଜ୍ୟର ବିଭିନ୍ନ ମନ୍ଦିର ର ସେବାୟତ ମାନେ ମଧ୍ୟ ଯୋଗ ଦେଇଥିଲେ.

ଏହି ଭବ୍ୟ ମନ୍ଦିର ନିର୍ମାଣରେ ବିଶିଷ୍ଟ ସ୍ଥପତି ପଦ୍ମଵିଭୂଷଣ ସ୍ବର୍ଗତ ରଘୁନାଥ ମହାପାତ୍ରଙ୍କର ବିଶେଷ ଅବଦାନ ରହିଥିଲା .

ପ୍ରତିଷ୍ଠା ଉତ୍ସବ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟନାୟକ ସ୍ବର୍ଗତ ରଘୁନାଥ ମହାପାତ୍ର ଙ୍କ ନାତି ଶ୍ରୀ ସ୍ମିତେଶ ମହାପାତ୍ର ଙ୍କୁ ସମ୍ବର୍ଦ୍ଧିତ କରିଥିଲେ.ଅନ୍ୟତମ ସ୍ଥପତି ନାରାୟଣ ତ୍ରିପାଠୀ ଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା.

ସୂଚନାଯୋଗ୍ୟ ଯେ ବ୍ରହ୍ମପୁର ଠାରୁ ୩୦ କିଲୋମିଟର ଦୂରରେ ଋଶିକୂଲ୍ୟା ନଦୀ କୂଳରେ ମା ତାରାତାରିଣୀଙ୍କ ପୀଠ ଏକ ପ୍ରସିଦ୍ଧ ଶକ୍ତିସ୍ଥଳ। କୁମାରୀ ପାହାଡର ସର୍ବୋଚ୍ଚ ଶିଖରରେ ପୂଜା ପାଆନ୍ତି ଦୁଇ ଦେବୀ ମା ତାରା ଓ ତାରିଣୀ। ଏହି ପୀଠକୁ ଏକ ନୂଆ କଳେବର ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପ ଆଜି ସାକାର ହୋଇଛି।

ମୁଖ୍ୟମନ୍ତ୍ରୀ ଙ୍କ ସଚିବ (5T) ଶ୍ରୀ ଭି କେ ପାଣ୍ଡିଆନ ଗଞ୍ଜାମ ଜିଲ୍ଲାପାଳ ଥିବା ସମୟରେ ମନ୍ଦିର ରୂପାନ୍ତରର ଭୂମି ପୂଜନ କରାଯାଇଥିଲା.

ପୂର୍ବରୁ ଭକ୍ତ ମାନେ ଅନେକ ପାହାଚ ଚଢି ମା ଙ୍କ ଦର୍ଶନ ପାଇଁ ଯାଉଥିଲେ ଏବେ ropeway ସହ ପୀଠକୁ ସୁନ୍ଦର ରାସ୍ତା ମଧ୍ୟ ତିଆରି ହୋଇଛି.

ଏହି କାର୍ଯ୍ୟକ୍ରମ ରେ ଉଦବୋଧନ ଦେଇ ବାଚସ୍ପତି ଶ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଓ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ତାରା ତାରିଣୀ ମନ୍ଦିର ର ରୂପାନ୍ତର କୁ 5T ରୂପାନ୍ତରଣ କାର୍ଯ୍ୟକ୍ରମ ର ପ୍ରକୁଷ୍ଟ ଉଦାହରଣ ଭାବରେ ବର୍ଣ୍ଣନା କରିଥିଲେ.

କାର୍ଯ୍ୟକ୍ରମ ରେ ମନ୍ତ୍ରୀ ମଣ୍ଡଳ ର ସଦସ୍ୟ ବୃନ୍ଦ ସାଂସଦ ବିଧାୟକ ମୁଖ୍ୟ ଶାସନ ସଚିବ ମୁଖ୍ୟମନ୍ତ୍ରୀ ଙ୍କ ସଚିବ 5T ଗଞ୍ଜାମ ଜିଲ୍ଲାପାଳ ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ .

ଭକ୍ତ ମାନଙ୍କ ପାଇଁ ମନ୍ଦିର ପରିସରରେ ଏକ ମନୋଜ୍ଞ ପରିବେଶ ସୃଷ୍ଟି କରାଯାଇଛି। ପ୍ରସାଦ ସେବନ ଗୃହ, ଦୀପ ପ୍ରଜ୍ବଳନ ସ୍ଥାନ, ବାଖ୍ୟାନ କେନ୍ଦ୍ର, ମୁଣ୍ଡନ କେନ୍ଦ୍ର, ବିଶ୍ରାମସ୍ଥଳ, ସେଣ୍ଟ୍ରାଲ ପ୍ଲାଜା ଓ ଅତ୍ୟାଧୁନିକ ଆଲୋକ ବ୍ୟବସ୍ଥା ଆଦି ନୂତନ ସୁବିଧା ସହିତ ସ୍ବଚ୍ଛ ପାନୀୟ ଜଳ ଓ ଅନ୍ୟାନ୍ୟ ସୁବିଧାର ବ୍ୟବସ୍ଥା କରାଯାଇଛି ।

ପାହାଚ ଶ୍ରେଣୀ, ରୋପ୍‌ ୱେ ଏବଂ ନୂତନ ସଡକ ସହିତ ଦ୍ବାରା ପୀଠକୁ ଯିବା ପାଇଁ ୩ ପ୍ରକାରର ବ୍ୟବସ୍ଥା କରାଯାଇଛି । ଏହାସହିତ ନଦୀ କୂଳ ସଡକକୁ ମଧ୍ୟ ନୂତନ ଭାବେ ନିର୍ମାଣ କରାଯାଇଛି ଏବଂ ଏଠାରୁ ଋଷିକୂଲ୍ୟା ନଦୀର ସୌନ୍ଦର୍ଯ୍ୟକୁ ଅନୁଭବ କରିବାର ସୁଯୋଗ ପର୍ଯ୍ୟଟକ ମାନଙ୍କ ପାଇଁ ଏକ ଅପୂର୍ବ ଆକର୍ଷଣ ସୃଷ୍ଟି କରିପାରିଛି। ଏ ସମସ୍ତ ବ୍ୟବସ୍ଥା ପାଇଁ ୧୧୫ କୋଟିରୁ ଅଧିକ ଟଙ୍କା ବିନିଯୋଗ କରାଯାଇଛି।

Categories
ବିଶେଷ ଖବର ରାଜ୍ୟ ଖବର

BREAKING: ସାଂସଦ ଅପରାଜିତା ଷଡଙ୍ଗୀ ମଧ୍ୟ ଯିବେ ମା ତାରାତାରିଣୀ ମନ୍ଦିର

ଭୁବନେଶ୍ବର: ଓଡିଶାର ପ୍ରସିଦ୍ଧ ଶକ୍ତିପିଠ ମା ତାରା ତାରିଣୀର ନବୀକରଣ ପ୍ରତିଷ୍ଠା ଉତ୍ସବର ଆୟୋଜନ ହେଉଛି। ଏହି ଉତ୍ସବର ଆଜି ହେଉଛି ପୂର୍ଣ୍ଣାହୂତି ପର୍ବ। ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମା ତାରାତାରିଣୀ ମନ୍ଦିର ପରିଦର୍ଶନରେ ଯାଉଛନ୍ତି। ସେ ସେଠାରେ ଏହି ବିକାଶ କାର୍ଯ୍ୟର ତଦାରଖ କରିବା ସହିତ ପୂର୍ଣ୍ଣାହୂତିରେ ଯୋଗ ଦେବେ।

ଏହି ମନ୍ଦିରର ନବୀକରଣ ନେଇ ରାଜ୍ୟ ସରକାରଙ୍କ ତରଫରୁ ବେଶ ବଡ ପଦକ୍ଷେପ ଗ୍ରହଣ କରାଯାଇଛି। ଏପରିକି ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ମଧ୍ୟ ବେଶ୍ ଗୁରୁତର ସହ ସରକାର ନେଇଛନ୍ତି। ସେଥିପାଇଁ ଗୋଟିଏ ଦିନ ପୂର୍ବରୁ ମୁଖ୍ୟ ଶାସନ ସଚିବ ଏବଂ 5ଟି ସଚିବ ଗଂଜାମ ଗସ୍ତ କରିଛନ୍ତି। ଏହି ଟିମ ମନ୍ଦିରର ବିଭିନ୍ନ କାର୍ଯ୍ୟ ଦେଖିବା ସହିତ ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଉଦ୍ୟମ ଜାରୀ ରଖିଛନ୍ତି।

ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ମଧ୍ୟ ମା ତାରାତାରିଣୀ ଦର୍ଶନ କରିବାକୁ ଯାଉଛନ୍ତି। ସେ ଆସନ୍ତା କୋଡିଏ ତାରିଖରେ ଗଂଜାମ ଯାଉଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପରି ଅପରାଜିତାଙ୍କ ଗସ୍ତକୁ ମଧ୍ୟ ପ୍ରଚାର ପ୍ରସାର କରିବା ପାଇଁ ତାଙ୍କ ଟିମ ବେଶ ଉଦ୍ୟମ ଜାରୀ ରଖିଛି।

ମା ତାରାତାରିଣୀ ବିକାଶ ନେଇ ବିଜେଡି ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା ସାଉଁଟିଥିବା ବେଳେ ଅପରାଜିତା ତାହାକୁ ହାତ ଛଡା କରିବାକୁ ଚାହୁଁ ନାହାଁନ୍ତି। ସେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ପରି ଗସ୍ତ କରିବେ ବୋଲି ତାଙ୍କ ଅଫିସ ତରଫରୁ ଘୋଷଣା କରାଯାଇଛି। ସେଥିପାଇଁ ସେଠାରେ ଥିବା ତାଙ୍କ ଦଳୀୟ କର୍ମିଙ୍କୁ ପ୍ରସ୍ତୁତ ରହିବାକୁ କୁହାଯାଇଛି।

ତେବେ ପ୍ରଶ୍ନ ଉଠୁଛି ଯେ  ଅପରାଜିତା ସେଠାକୁ କେବଳ ଦର୍ଶନ ପାଇଁ ଯାଉଛନ୍ତି ନାଁ କିଛି ସମାଲୋଚନା କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ବିଶେଷ ସୁତ୍ର ଅନୁସାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ସମାଲୋଚନା କରିବା ପରି ଏହି ପ୍ରକଳ୍ପକୁ ଅପରାଜିତା ସମାଲୋଚନା କରିବେ। ସେଥିପାଇଁ ସେ ସେଠାକୁ ଯାଇ ତନ୍ନତନ୍ନ ଅନୁଧ୍ୟାନ କରିବେ ବୋଲି କୁହାଯାଉଛି।

Categories
ବିଶେଷ ଖବର ସଂସ୍କୃତି

କାଠରେ ମାତ୍ର ଚାରି ଇଞ୍ଚ ଉଚ୍ଚତାର ମା ତାରା ତାରିଣୀ ମନ୍ଦିର ନିର୍ମାଣ କରି ଚର୍ଚ୍ଚାରେ ଦିଲୀପ

ବ୍ରହ୍ମପୁର: ବ୍ରହ୍ମପୁର ସହରର କ୍ଷୁଦ୍ର କାଷ୍ଠ ଶିଳ୍ପୀ ଗ୍ରାଣ୍ଡମାଷ୍ଟର ଦିଲୀପ ମହାରଣା ପୁଣି ଥରେ ଏକ ନୂଆଁ ବିସ୍ମୟ ସୃଷ୍ଟି କଲାଭଳି ଏକ କଳାକୃତି ନିର୍ମାଣ କରିଛନ୍ତି। ପୁର୍ବରୁ ସେ ପୁରୀ ଶ୍ରୀମନ୍ଦିର, ରାମ ମନ୍ଦିର ଏକ ଇଞ୍ଚ ଏବଂ ଅଧା ଇଞ୍ଚ ବିଶିଷ୍ଠ ମା ଦୁର୍ଗାଙ୍କ ପ୍ରତିମୂର୍ତ୍ତି, ବ୍ରହ୍ମପୁର ବୁଢ଼ୀ ଠାକୁରାଣୀଙ୍କର କ୍ଷୁଦ୍ରତମ ମୁଖା, ବିଶ୍ୱର ସବୁଠାରୁ କ୍ଷୁଦ୍ରତମ ନନ୍ଦିଘୋଷ ରଥ ନିର୍ମାଣ କରି ସାରା ଦେଶରେ ଚହଳ ସୃଷ୍ଟି କରିଥିଲେ।

ଏବେ ତା ସହ ଇଣ୍ଡିଆ ବୁକ ଅଫ ରେକର୍ଡ୍ସ ଏସିଆ ବୁକ ଅଫ ରେକର୍ଡ୍ସରେ ଗ୍ରାଣ୍ଡମାଷ୍ଟର ଉପାଧି ପାଇଥିଲେ ଏବଂ ଏକ୍ସକ୍ଲୁସିଭ ୱାରଲଡ଼ ରେକର୍ଡ୍ସରେ ନିଜକୁ ସ୍ଥାନିତ କରି ବ୍ରହ୍ମପୁର ମାଟିକୁ ଅନେକ ସମ୍ମାନ ଆଣିବା ସହ କିଛି ନୁଆଁ କରିବା ସଂକଳ୍ପ ନେଇ ଆଗକୁ ବଢ଼ିଛନ୍ତି। ତେବେ ବର୍ତ୍ତମାନ ଦକ୍ଷିଣ ଓଡିଶା ସମେତ ସାରା ରାଜ୍ୟରେ ଚୈତ୍ର ମେଳା ପାଇଁ ବେସ ପ୍ରସିଦ୍ଧ ଲାଭ କରିଥିବା ଶକ୍ତିପୀଠ ତାରା ତାରିଣୀ ମନ୍ଦିରର ଏକ ଅବିକଳ ପ୍ରତିକୃତି କାଠରେ ନିର୍ମାଣ କରିଛନ୍ତି।

ମାତ୍ର ଚାରି ଇଞ୍ଚ ଉଚ୍ଚତା ବିଶିଷ୍ଠ ମା ତାରା ତାରୀଣିଙ୍କ ମୁଖ୍ୟ ମନ୍ଦିର ସମେତ ଜଗମୋହନ ନାଟ ମଣ୍ଡପ ତା ସହ ପଞ୍ଚୁ ଦେବା ଦେବୀଙ୍କର ମନ୍ଦିର ଯଜ୍ଞ ବେଦିକା, ମହା ସ୍ନାନ ମଣ୍ଡପ ସୁନ୍ଦର ପାଚେରୀ ସହିତ ମୁଖ୍ୟ ହସ୍ତୀ-ବେହରଣ ଦ୍ୱାର ପାଶ୍ୱ ଦେବୀ ନାରଶିହିଁ ବାରାହି ଏବଂ ଚାମୁଣ୍ଡା ମୁଖ୍ୟ ମନ୍ଦିର ଉପରେ ଅଁଳା ବେଢ଼ା ଏବଂ ଦଧି ନଉତି କଳସ ସହ ମାଙ୍କର ମନ୍ଦିରର ଚାରି ଦ୍ଵାରକୁ ଅତି ନିଖୁଣ ଭାବରେ କାଠରେ ଖୋଦିତ କରିଛନ୍ତି।

ପୁରା ମନ୍ଦିରକୁ କରିବାରେ ଦିଲୀପଙ୍କୁ ସାତ(୭)ଦିନ ସମୟ ଲାଗିଥିବା ବେଳେ ଏହା ମା ତାରା ତାରୀଣିଙ୍କର କାଠରେ ତିଆରି ବିଶ୍ୱର ସବୁଠାରୁ କ୍ଷୁଦ୍ରତମ ପ୍ରତିକୃତି। ଦିଲୀପଙ୍କ ବାପା ଭଗବାନ ମହାରଣା ଏବଂ ଭାଇ ମନୋଜ ମହାରଣା ତାଙ୍କୁ ସହଯୋଗ କରିଥିଲେ। ତାଙ୍କ ମାଁମୁ ସନ୍ୟାସୀ ମହାରଣା ମନ୍ଦିର ନିର୍ମାଣ କାର୍ଯ୍ୟ ସମ୍ପାଦନ କରିବା ପାଇଁ ତାଙ୍କୁ ମନ୍ଦିରର ସବିଶେଷ ତଥ୍ୟ ଦେଇଥିଲେ ।

ସେହିପରି ତାରା ତାରିଣୀ ମନ୍ଦିରର ସେବକ ସଂଘ ତରଫରୁ ଧ୍ରୁବ ରଣା, ତପନ ରଣା, ବାପ ରଣା ତାଙ୍କୁ ମନ୍ଦିରର ସବୁ ନିର୍ମାଣ ତଥ୍ୟ ବିଷୟରେ ସହଯୋଗ କରିଥିଲେ। ଆଜି ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ପ୍ରଚେଷ୍ଟା ଯୋଗୁଁ ତାରା ତାରିଣୀ ମନ୍ଦିର ଏଭଳି ଏକ ବିଶ୍ୱସ୍ତରୀୟ ଭାସ୍କର୍ଯ୍ୟର ମାନ୍ୟତା ଲାଭ କରିପାରିବା ସହ ଏତେ ସବୁ ଉନ୍ନତିମୂଳକ କାର୍ଯ୍ୟ ହୋଇ ପାରିଛି। ତେଣୁ ଦିଲୀପ ଏହି ମନ୍ଦିରର ପ୍ରତିକୃତିକୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ କରିବା ସହ ଏହି କ୍ଷୁଦ୍ରତମ ମନ୍ଦିରକୁ ମୁଖ୍ୟମନ୍ତ୍ରୀଙ୍କୁ ନିଜ ହାତରେ ଉପହାର ଦେବା ପାଇଁ ଇଚ୍ଛା ପ୍ରକାଶ କରିଛନ୍