ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବାକୁ ବାର ସେଟ ପ୍ରାର୍ଥୀପତ୍ର ନେଲେ

Published: May 26, 2022, 5:13 pm IST

ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନ ଯେତିକି ପାଖେଇବାରେ ଲାଗିଛି ବିଜେଡି ନେତାଙ୍କ ହୃଦସ୍ପନ୍ଦନ ସେତିକି ବଢିବାରେ ଲାଗିଛି। କାରଣ ଏହ ମାସ ୩୧ ତାରିଖରେ ପ୍ରାର୍ଥୀ ପତ୍ର ଦାଖଲ କରାଯିବ। ସେହିପରି  ଜୁନ ୧ ତାରିଖରେ ନାମାଙ୍କନ ଯାଞ୍ଚ କରାଯିବାକୁ ଥିବା ବେଳେ ଜୁନ ୩ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରାଯାଇପାରିବ। ଜୁନ ୧୦ ତାରିଖରେ ଭୋଟ ଗ୍ରହଣ ହେବ।

ସେହିପରି ରାଜ୍ୟସଭା ଉପନିର୍ବାଚନ ପାଇଁ ମଧ୍ୟ ତାରିଖ ଘୋଷଣା ହୋଇସାରିଛି। ସେହି ଅନୁସାରେ ଉପନିର୍ବାଚନ ପାଇଁ ୨ ଜୁନ୍‌ରେ ନାମାଙ୍କନ ଦାଖଲର ଶେଷ ତାରିଖ ରଖାଯାଇଛି। ସେହିପରି ଜୁନ ୩ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ। ୬ ଜୁନ ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି। ଏହି ଆସନ ପାଇଁ ଆସନ୍ତା ୧୩ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ।

ଏହି ଚାରି ଆସନ ପାଇଁ ଆଜି ବିଧାନସଭାରେ ଥିବା ବିଧାନସଭା ରିଟର୍ଣ୍ଣିଂ ଅଫିସରଙ୍କଠାରୁ ବିଜେଡି ୧୨ ସେଟ୍ ପ୍ରାର୍ଥୀପତ୍ର ସଂଗ୍ରହ କରିଛି। ଦଳୀୟ ନେତା ତଥା ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଏହା ନେଇଛନ୍ତି। ଚାରୋଟି ଆସନ ପାଇଁ ତିନି ସେଟ୍ ଲେଖାଏଁ ୧୨ ସେଟ୍ ନେଇଛନ୍ତି। ବିଜେଡି ବ୍ୟତିତ ଅନ୍ୟଦଳର ସଂଖ୍ୟା ନ ଥିବାରୁ ସେମାନେ କେହି ପ୍ରାର୍ଥୀପତ୍ର ନେବାର ସମ୍ଭାବନା ନାହି।

ତେବେ ବର୍ତ୍ତମାନ ଯାହା ସବୁଠାରୁ ବଡ ଚର୍ଚ୍ଚାର ବିଷୟ ତାହା ହେଲା ଯେ, ନବୀନ ରାଜ୍ୟସଭାକୁ କାହାକୁ ପଠାଇବେ। କାହାକୁ ପ୍ରାର୍ଥୀ କରିବେ। ସବୁ ପୁରୁଷ ପ୍ରାର୍ଥୀ ହେବେ ନା ମହିଳା ରହିବେ। ଏ ସବୁକୁ ନେଇ ବର୍ତ୍ତମାନ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି।

ବିଶେଷ ସୁତ୍ର ଅନୁସାରେ ଚାରୋଟି ଆସନ ମଧ୍ୟରୁ ନବୀନ ଦୁଇଟି ଆସନରେ ମହିଳାଙ୍କ ପ୍ରାର୍ଥୀ କରିବାର ସମ୍ଭାବନା ରହିଛି। ଆଉ ଦୁଇଟିରେ ସସ୍ମିତ ପାତ୍ରଙ୍କୁ ପୁଣିଥରେ ପ୍ରାର୍ଥୀ କରାଯିବା ସହ ପ୍ରଦୀପ ମାଝିଙ୍କୁ ମଧ୍ୟ ଟିକେଟ ମିଳିପାରେ। ତେବେ ଦୁଇ ଜଣ ମହିଳାଙ୍କ ମଧ୍ୟରୁ ନବୀନ ଜଣଙ୍କୁ ଅଣ ରାଜନୈତିକ କ୍ଷେତ୍ରରୁ ନେବେ ବୋଲି ଜଣାପଡିଛି।

Related posts