ଅଭିନେତା ତଥା ସମାଜସେବୀ ସୋନୁ ସୁଦ୍ ନବୀନଙ୍କୁ ଭେଟିବା ପରେ ରାଜ୍ୟସଭା ଯିବା ନେଇ ଚର୍ଚ୍ଚା

Published: May 29, 2022, 6:37 am IST

ଭୁବନେଶ୍ବର: ବଲିଉଡ ଅଭିନେତା ତଥା ସମାଜସେବୀ ସୋନୁ ସୁଦ୍ ଶନିବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। କିଛି ସମୟ ଧରି ତାଙ୍କ ସହିତ ଆଲୋଚନା ମଧ୍ୟ କରିଛନ୍ତି। ଏହି ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି କେ ପାଣ୍ଡିୟାନ ମଧ୍ୟ ଉପସ୍ଥିତ ଥିଲେ। ଏହି ସାକ୍ଷାତ ଏକ ସୌଜନ୍ୟମୂଳକ ଥିଲା। କାରଣ ସୋନୁ ଟାଇମସ ବିଜେନେସ ଆୱାର୍ଡ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିଲେ।

ହେଲେ ଏହାକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଚାଲିଛି। ବର୍ତ୍ତମାନ ରାଜ୍ୟସଭା ନିର୍ବାଚନ ଥିବାରୁ ନବୀନ କୁଆଡେ ସୋନୁ ସୁଦଙ୍କୁ ଟିକେଟ ଦେଇପାରନ୍ତି ବୋଲି ଚାଲିଛି ଆଲୋଚନା। ସେତିକି ନୁହେଁ, ନବୀନ ତାଙ୍କୁ କଣ ପାଇଁ ଓଡିଶାରୁ ପଠାଇବେ ତାହା ମଧ୍ୟ ଆଲୋଚନା ହେଉଛି। ଏହା କୁହାଯାଉଛି ଯେ, ନବୀନ ଜାତୀୟ ସ୍ତରରେ ପ୍ରସଂଶା ପାଇବା ପାଇଁ ସୋନୁଙ୍କୁ ରାଜ୍ୟସଭା ପଠାଇ ପାରନ୍ତି।

ସୋନ ସୁଦ୍ ଚଳଚିତ୍ର ଅଭିନେତା ଭାବେ ଯେତିକି ପରିଚିତ ସେହିପରି ଜଣେ ସମାଜସେବୀ ଭାବେ ମଧ୍ୟ ସେତିକି ପରିଚିତ। ତାଙ୍କର ଅସାହୟଙ୍କୁ ସାହାର୍ଯ୍ୟ କରିବା କାର୍ଯ୍ୟକୁ ସାରା ଦେଶରେ ବେଶ ପ୍ରସଂଶା କରାଯାଉଛି। କରୋନା ସମୟରେ ସେ ଯେପରି କାର୍ଯ୍ୟ କଲେ ତାହା ସାରା ଦେଶବାସୀ ତାଙ୍କୁ ମନେ ରଖିଛନ୍ତି।

ଏପରିକି କରୋନା ସମୟରେ ମଧ୍ୟ ସୋନୁ ଓଡିଶା ଲୋକଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି। ଗଂଜାମର ଜଣେ ରୋଗୀଙ୍କୁ ହସପିଟାଲରେ ବେଡ ଯୋଗାଇଦେବା ହେଉ କିମ୍ବା ମୁମ୍ବାଇରୁ ଓଡିଆ ଲୋକଙ୍କୁ ଓଡିଶା ପଠାଇବା ହେଉ, ସୋନୁ ଏହି ସେବା କରି ଦେଖାଇଛନ୍ତି। ଫଳରେ ଦେଶବାସୀ ତାଙ୍କର ଏପରି ପରୋପକାରୀ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରୁଛନ୍ତି।

ସେଥିପାଇଁ ଯଦି ଓଡିଶାରୁ ତାଙ୍କୁ ରାଜ୍ୟସଭା ପଠାଯାଏ ତେବେ ସାରା ଦେଶରେ ନବୀନଙ୍କୁ ଲୋକେ ପ୍ରଶଂସା ନିଶ୍ଚିତ କରିବେ। କାରଣ ଏପରି ଜଣେ ପରୋପକାରୀ ବ୍ୟକ୍ତିଙ୍କୁ ରାଜ୍ୟସଭା ପଠାଇବାକୁ ସମସ୍ତେ ଚାହିଁଥାନ୍ତି। ଫଳରେ ସୋନୁଙ୍କୁ ରାଜ୍ୟସଭା ପଠାଇଲେ ଜାତୀୟ ରାଜନୀତିରେ ନବୀନ ଏକ ମାଷ୍ଟର ଷ୍ଟ୍ରୋକ ମାରିବେ।

Related posts