ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଅଡୁଆ ବଢିଲା, ଜାରୀ ହେଲା ଲୁକ ଆଉଟ ନୋଟିସ

Published: Aug 21, 2022, 11:07 am IST

ନୂଆଦିଲ୍ଲୀ: ସିବିଆଇ ରେଡ ପରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଅଡୁଆ ବଢିବାରେ ଲାଗିଛି। ମଦ ଦୁର୍ନୀତି ମାମଲାରେ ସିବିଆଇ ସିସୋଦିଆଙ୍କ ସମେତ ୧୪ ଜଣଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ୍ ଜାରି କରିଛି। ଫଳରେ ମନୀଷ ସିସୋଦିଆ ଏବଂ ଅନ୍ୟମାନେ ଆଉ ବିଦେଶ ଗସ୍ତ କରିପାରିବେ ନାହିଁ ।

ଏହି ଘଟଣାରେ ସିବିଆଇ ଶୁକ୍ରବାର ଦିନ ସିସୋଦିଆଙ୍କ ବାସଭବନରେ ରେଡ୍ କରିଥିଲା। ଏଥିସହ କିଛି ସରକାରୀ ଅଫିସର ଓ ବ୍ୟବସାୟୀଙ୍କ ଠିକଣା ସମେତ ୩୧ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଓ ଇଲେକ୍‌ଟ୍ରୋନିକ ଗ୍ୟାଜେଟ୍ ଜବତ ହୋଇଛି ବୋଲି କୁହାଯାଉଛି।

ଏହାପରେ ସିବିଆଇ ଶନିବାର ଦିନ ପଚରାଉଚରା ଆରମ୍ଭ କରିଥିଲା ଓ ତିନି ଅଭିଯୁକ୍ତଙ୍କ ବୟାନ ରେକର୍ଡ କରିଥିଲା। ସିବିଆଇ ଦ୍ୱାରା ରୁଜୁ ହୋଇଥିବା ଏଫ୍‌ଆଇଆର୍‌ରେ ସିସୋଦିଆଙ୍କ ସମେତ ୧୫ ଜଣଙ୍କ ନାଁ ସାମିଲ ଅଛନ୍ତି। ଏଥିରୁ ୩ ଜଣ ଅଭିଯୁକ୍ତଙ୍କୁ ଗତକାଲି ସିବିଆଇ ଅଫିସକୁ ଡକାଇ ପୁଚରାଉଚରା କରିଥିଲା।

ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଶନିବାର ସାମ୍ବାଦିକ ସମ୍ମିଳନୀ କରି ତାଙ୍କୁ ଗିରଫ କରାଯିବା ନେଇ ଆଶଙ୍କା ପ୍ରକାଶ କରିଥିଲେ। ସେ କହିଥିଲେ, ‘କେନ୍ଦ୍ର ସରକାର ଦିଲ୍ଲୀର ଶିକ୍ଷା କ୍ଷେତ୍ରରେ କରାଯାଇଥିବା ବଡ କାମ ଉପରେ ବ୍ରେକ୍ ଲଗାଇବାକୁ ଚାହୁଁଛନ୍ତି। ସେଥିପାଇଁ ମୋତେ ୨ରୁ ୪ ଦିନ ମଧ୍ୟରେ ଗିରଫ କରାଯାଇପାରେ।’

Related posts