ମୁଖ୍ୟମନ୍ତ୍ରୀଙ୍କୁ ଭେଟି କୃତଜ୍ଞତା ଜଣାଇଲେ ଛ ଜିଲ୍ଲାର ମିଶନ ଶକ୍ତି ମା: ଜାଣନ୍ତୁ କାରଣ

Published: Sep 16, 2022, 7:54 pm IST

ଭୁବନେଶ୍ବର: ଜାତୀୟ ପତାକା ତିଆରି କରିବାର ସୁଯୋଗ ପାଇ ଆମେ ଗର୍ବିତ। ମୁଖ୍ୟମନ୍ତ୍ରୀ ଆମ ଉପରେ ଭରସା କରି ଆମକୁ ଏ ମହାନ ସୁଯୋଗ ଦେଇଥିବାରୁ ଆମେ ତାଙ୍କ ନିକଟରେ କୃତଜ୍ଞ। ଆଜି ନବୀନ ନିବାସରେ ୬ଟି ଜିଲ୍ଲାର ମିଶନ ଶକ୍ତିର ମା ମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଏହା କହିଛନ୍ତି।

ଆଜି ସଂଧ୍ୟାରେ ନବୀନ ନିବାସଠାରେ ଗଞ୍ଜାମ, ଗଜପତି, ନୂଆପଡା, ରାୟଗଡା, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ୮୪ଟି ମିଶନ ଶକ୍ତି ଗୋଷ୍ଠୀର ମା ମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଥିଲେ। ଏହି ଅବସରରେ ଗତ ଅଗଷ୍ଟ ୧୫ ତାରିଖ ୭୫ତମ ସ୍ବାଧୀନତା ଦିବସ ପାଳନ ଅବସରରେ ମା ମାନେ ଜାତୀୟ ପତାକା ତିଆରି ଦାୟିତ୍ବ ନେଇ ଦକ୍ଷତାର ସହ ତୁଲାଇ ଥିବାରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆପଣମାନଙ୍କ ଉପରେ ମୋର ପୁରା ଭରସା ରହିଛି। ଆପଣମାନଙ୍କ ଭିତରେ ବହୁତ କିଛି କରିବାର ସାମର୍ଥ ରହିଛି । ବହୁତ କମ୍ ସମୟ ପାଇ ମଧ୍ୟ ଆପଣମାନେ ୩୦ ଲକ୍ଷ ଜାତୀୟ ପତାକା ତିଆରି କରି ରାଜ୍ୟ ପାଇଁ ଗୌରବ ଆଣିପାରିଛନ୍ତି। ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ।

ମିଶନ ଶକ୍ତିର ମା ମାନେ କହିଥିଲେ ଯେ ଜାତୀୟ ପତାକା ତିଆରି କରିବାର ଆନନ୍ଦ ପାଇ ଆମେ ବହୁତ ଖୁସି। ଆମେ ଏବଂ ମଧ୍ୟାହ୍ନ ଭୋଜନ ଠାରୁ ଆରମ୍ଭ କରି ଅଙ୍ଗନବାଡୀ ପିଲାଙ୍କ ଡ୍ରେସ୍ ସିଲେଇ କରିବା, ଇଲ୍କ୍ଟ୍ରି ବିଲ୍ ଆଦାୟ କରିବା ଆଦି କାମ ବହୁତ ଭଲ ଭାବରେ କରିପାରୁଛୁ। ନୂଆପଡାରେ ଆମେ ଡ୍ରାଇଭିଂ ଶିକ୍ଷା ମଧ୍ୟ ନେଉଛୁ। ଆମେ ବି ପାରିବୁ, ଏ ବିଶ୍ବାସ ଆମର ବଢିଛି। ଆମେ ସମସ୍ତେ ଏବେ କିଛି ନା କିଛି ଉପଯୋଗୀ କାର୍ଯ୍ୟରେ ନିୟୋଜିତ ହୋଇପାରିଛୁ ବୋଲି ସେମାନେ କହିଥିଲେ।

ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ସ୍ବାଧୀନତାର ୭୫ତମ ପୂର୍ତ୍ତି ଅବସରରେ ରାଜ୍ୟ ସରକାର ମିଶନ ଶକ୍ତି ମା ମାନଙ୍କୁ ୩୦ ଲକ୍ଷ ଜାତୀୟ ପତାକା ପ୍ରସ୍ତୁତି ଓ ବଣ୍ଟନ ଦାୟିତ୍ବ ଦେଇଥିଲେ।

Related posts