ଗୁରୁବାର ଦିନ ଦୁଲିକିବ ଓଡିଶା ରାଜନୀତି, ବିଜେଡି ବିଜେପି ମୁହାଁମୁହିଁ, ନବୀନ ବନାମ ନଡ୍ଡା

Published: Sep 27, 2022, 6:03 pm IST

ଭୁବନେଶ୍ବର: ଆସନ୍ତା ଗୁରୁବାର ଦିନ ଓଡିଶା ରାଜନୀତିରେ ଧଡକନ ସୃଷ୍ଟି ହେବ। ସାଧାରଣ ନିର୍ବାଚନ ତଥା ଓଡିଶା ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାରୁ ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି ହେବାରେ ଲାଗିଛି। ଉଭୟ ବିଜେଡି ଏବଂ ବିଜେପି ସହିତ କଂଗ୍ରେସ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇ ଲୋକଙ୍କ ନିକଟତର ହେବାକୁ ପ୍ରଚେଷ୍ଠା ଆରମ୍ଭ କରିଦେଇଛନ୍ତି।

ତେବେ ଆସନ୍ତା ଗୁରୁବାର 29 ତାରିଖରେ ଓଡିଶା ରାଡନୀତିରେ ଅଧିକ କଂପନ ସୃଷ୍ଟି ହେବ। କାରଣ ସେଦିନ ଦୁଇ ପ୍ରମୁଖ ଦଳ ବିଜେଡି ଏବଂ ବିଜେପି ମହାସମାବେଶର ଆୟୋଜନ କରୁଛନ୍ତି। ବିଜେଡି ବରମୁଣ୍ଡ ପଡିଆରେ ବିରାଟ ବୈଠକ କରିବ। ଯେଉଁଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବେ। ଏଥିରେ ସମସ୍ତ ବିଧାୟକ ସାଂସଦ, ଛାମୁଆ ସଂଗଠନର ମୁଖିଆ ଏବଂ ଅନ୍ୟ ନିର୍ବାଚିତ ପ୍ରତିନିଧି ଯୋଗଦେବେ।

ସେହିପରି ସେହି ଦିନ ବିଜେପି ମଧ୍ୟ ଭୁବନେଶ୍ବରର ଜନତା ମଇଦାନରେ ଅନୁରୂପ ମହାସମାବେଶର ଆୟୋଜନ କରିଛି। ସେହି ସଭାରେ ଯୋଗଦେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଏଥିପାଇଁ ବିଜେପି ତରଫରୁ ବହୁ ଆଡମ୍ବର କରାଯାଇଛି। ନଡ୍ଡା  29 ତାରିଖ ସକାଳେ ଆସିବେ। ତାଙ୍କୁ ଏକ ବିରାଟ ଶୋଭାଯାତ୍ରାରେ ଦଳୀୟ କାର୍ଯ୍ୟାଳୟକୁ ନିଆଯିବ।

ଜେପି ନଡ୍ଡା ବିଜେପି ଅଫିସରୁ ସିଧା ଜନତା ମଇଦାନ ଯିବେ। ସେଠାରେ ଦଳର ନେତାମାନଙ୍କୁ ନିଜର ଅଭିଭାଷଣ ପ୍ରଦାନ କରିବେ। ଏହାପରେ ସେ ଦଳୀୟ କାର୍ଯ୍ୟାଳୟକୁ ଆସି ଦଳର ପ୍ରମୁଖ ନେତାମାନଙ୍କ ସହିତ ଆଲୋଚନା କରିବେ। ନଡ୍ଡାଙ୍କ ଓଡିଶା ଗସ୍ତ ନେଇ ବିଜେପି ଶିବିର ବେଶ ଉତଫୁଲିତ ହୋଇପଡିଛି।

ସେହିପରି ବିଜେଡି, ବିଜେପିକୁ ଶକ୍ତିହୀନ ପ୍ରମାଣିତ କରିବା ପାଇଁ ତାହାର ଶକ୍ତି ପ୍ରଦର୍ଶନ ପାଇଁ ଉଦ୍ୟମ ଜାରୀ ରଖିଛି। ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ନେତୃତ୍ବରେ ଏହି ପ୍ରସ୍ତୁତି ଜୋରଦାର କରାଯାଇଛି। ବରମୁଣ୍ଡା ପଡିଆରେ ଯେପରି ଶୃଙ୍ଖଳିତ ଭାବେ ଏହି କାର୍ଯ୍ୟକ୍ରମ ସଫଳତାର ସହ ହେବ ସେ ନେଇ ପ୍ରଣବ ପ୍ରକାଶ ଘନଘନ ବୈଠକ ଜାରୀ ରଖିଛନ୍ତି।

ବିଜେଡି ବିଜେପି ସହିତ ସେହିଦିନ କଂଗ୍ରେସ ମଧ୍ୟ ତାହାର କାର୍ଯ୍ୟକ୍ରମ କରିବାକୁ ନିଷ୍ପତି କରିଛି। ଭାରତ ଯୋଡ କାର୍ଯ୍ୟକ୍ରମ ମାଧ୍ୟମରେ ସେଦିନ ଲୋକଙ୍କ ନିକଟରେ ପହଁଛିବା ପାଇଁ ସଭାପତି ଶରତ ପଟ୍ଟନାୟକ ମଧ୍ୟ ଉଦ୍ୟମ ଜାରି ରଖିଛନ୍ତି। ଅନ୍ୟପକ୍ଷରେ ଓଡିଶାରେ ଆମ ଆଦମୀ ପାର୍ଟି ମଧ୍ୟ 29 ତାରିଖରେ ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମ ରଖିଛି।

ଏଥିରୁ ସ୍ପଷ୍ଟ ହେଲାଣି ଯେ, ବର୍ତ୍ତମାନ ଓଡିଶାର ସମସ୍ତ ରାଜନୈତିକ ଦଳ ନିର୍ବାଚନକୁ ଦୃଷ୍ଟିରେ ରଖି ସେମାନଙ୍କ ପ୍ରଚାର ଆରମ୍ଭ କରିବାକୁ ଯୋଜନା କରିସାରିଲେଣି। ଗୁରୁବାର ଦିନ ଏହାର ପୂର୍ଣ୍ଣାଙ୍ଗ ରୂପ ନେବ ବୋଲି ଜଣାପଡିସାରିଲାଣି।

Related posts