ଓଡ଼ିଶା ବିଜ୍ଞାନ ଏକାଡେମୀର ପୁରସ୍କାର ଘୋଷିତ, ସୁଧାକର ପଣ୍ଡାଙ୍କୁ ‘ବିଜୁ ପଟ୍ଟନାୟକ ପୁରସ୍କାର’

Published: Oct 4, 2022, 12:01 pm IST

ଭୁବନେଶ୍ୱର : ଓଡ଼ିଶା ବିଜ୍ଞାନ ଏକାଡେମୀ ପକ୍ଷରୁ ୨୦୨୦ ମସିହା ପାଇଁ ବୈଜ୍ଞାନିକ ପୁରସ୍କାର ଘୋଷଣା କରାଯାଇଛି । ପୁରସ୍କାର ସୂଚୀ ରାଜ୍ୟ ସରକାରଙ୍କ ବିଜ୍ଞାନ ଓ କାରିଗରୀ ବିଭାଗ ଦ୍ୱାରା ଅନୁମୋଦିତ ହୋଇଛି ।

ବୈଜ୍ଞାନିକ ଉତ୍କର୍ଷ ପାଇଁ ଜଟଣୀସ୍ଥିତ ‘ନାଇଜର’ର ନିର୍ଦ୍ଦେଶକ ପ୍ରଫେସର ସୁଧାକର ପଣ୍ଡାଙ୍କୁ ‘ବିଜୁ ପଟ୍ଟନାୟକ ପୁରସ୍କାର’ ପ୍ରଦାନ କରାଯିବ । ଅନୁରୂପ ଭାବରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ଜୀବବିଜ୍ଞାନ ବିଭାଗ ମୁଖ୍ୟ ପ୍ରଫେସର ଲୁନା ସାମନ୍ତ, ଆଇଏମ୍‌ଏମ୍‌ଟି, ଭୁବନେଶ୍ୱରର ମୁଖ୍ୟ ବୈଜ୍ଞାନିକ ଡ. ଦଣ୍ଡଶ୍ରୀନିବାସ ରାଓ, ରାଉରକେଲା ଏନ୍‌ଆଇଟିର ପ୍ରଫେସର ଅନୁପ କୁମାର ପଣ୍ଡା ଏବଂ ଲକ୍ଷ୍ନୌସ୍ଥିତ ଜାତୀୟ ଉଦ୍ଭିଦ ବିଜ୍ଞାନ ଗବେଷଣା ପ୍ରତିଷ୍ଠାନରେ କାର୍ଯ୍ୟରତ ଓଡ଼ିଆ ବୈଜ୍ଞାନିକ ଡ. ସରୋଜ କାନ୍ତ ବାରିକଙ୍କୁ ‘ସାମନ୍ତ ଚନ୍ଦ୍ରଶେଖର ପୁରସ୍କାର’ ପ୍ରଦାନ କରାଯିବ ।

‘ଯୁବ ବୈଜ୍ଞାନିକ’ ଭାବରେ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ରର ପୋଷ୍ଟ ଡକଫରାଲ ଫେଲୋ ଡ. ଶଶାଙ୍କ ଶେଖର ସ୍ୱାଇଁ, ନାଇଜରର ପୋଷ୍ଟ ଡକଫରାଲ ଫେଲୋ ଡ. ନିବେଦିତା ଦାଶ, ରାଉରକେଲା ଏନ୍‌ଆଇଟିର ଆସିଷ୍ଟାଣ୍ଟ ପ୍ରଫେସର ଡ. ଜ୍ଞାନରଞ୍ଜନ ସେନାପତି ଓ ରାଜ୍ୟ ବାହାରେ କାର୍ଯ୍ୟରତ ନାଇଜରର ଆସିଷ୍ଟାଣ୍ଟ ପ୍ରଫେସର ଡ. ସତ୍ୟପ୍ରସାଦ ପି. ସେନାନାୟକଙ୍କୁ ପୁରସ୍କୃତ କରାଯିବ ।

ପ୍ରଫେସର ଡ. ସଂଗୀତା ରଥ ଓ ଶ୍ରୀ ହିମାଂଶୁ ଶେଖର ଫତେସିଂହଙ୍କୁ ‘ପ୍ରାଣକୃଷ୍ଣ ପରିଜା ବିଜ୍ଞାନ ପୁସ୍ତକ’ ପୁରସ୍କାର ପ୍ରଦାନ କରାଯିବ । ବରିଷ୍ଠ ବୈଜ୍ଞାନିକ ଭାବରେ ପ୍ରଫେସର ଭାସ୍କର ଚନ୍ଦ୍ର ଦାସ, ପ୍ରଫେସର ସତ୍ୟାନନ୍ଦ ସ୍ୱାଇଁ ଓ ପ୍ରଫେସର ଅଜୟ କୁମାର ପାତ୍ର ସମ୍ବର୍ଦ୍ଧିତ ହେବେ ।

ଏହି ବୈଜ୍ଞାନିକମାନଙ୍କୁ ଓଡ଼ିଶା ବିଜ୍ଞାନ ଏକାଡେମୀ ପକ୍ଷରୁ ନିକଟ ଭବିଷ୍ୟତରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ଉତ୍ସବରେ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରାଯିବ ବୋଲି ଏକାଡେମୀର ସଂପାଦକ ପ୍ରଫେସର ଆଶିଷ କୁମାର ମହାନ୍ତି ପ୍ରକାଶ କରିଛନ୍ତି।

Related posts